କୃଷକ ଆନ୍ଦୋଳନସ୍ଥଳୀ ସିଂଘୁ ବର୍ଡ଼ରରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ
ନୂଆଦିଲ୍ଲୀ/ସିଂଘୁରୁ ଶାସକ ପ୍ରଶାସକ : କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ କୃଷକମାନଙ୍କର ଆନେ୍ଦାଳନ ଏକ ବିରାଟ ଜନଆନ୍ଦୋଳନର ରୂପ ନେଲାଣି ଏବଂ ଧୀରେ ଧୀରେ ଏହା ବ୍ୟାପକ ହେବାକୁ ଲାଗିଲାଣି । "ସଡ଼କରୁ ସଂସଦ' ଆନ୍ଦୋଳନ ଗଢ଼ିତୋଳିବା ଯେଉଁ ସ୍ଲୋଗାନ୍ ଦୁଇମାସ ତଳେ କୃଷକମାନେ ଦେଇଥିଲେ, ତାହା ସାକାର ହେବାର ସଫଳ ସ୍ୱପ୍ନ ସିଂଘୁସ୍ଥିତ ଦିଲ୍ଲୀ ସୀମାରେଖାରେ ଦେଖିବାକୁ ମିଳିଲାଣି । ଏଥିପ୍ରତି କୃଷକ ସଂଗଠନ ବେଶ୍ ସକ୍ରିୟ ହୋଇ ଦେଶ ବିଦେଶରୁ ସମର୍ଥନ, ସାହାଯ୍ୟ ଓ ସହଯୋଗ ଏବଂ ସାନ୍ତ୍ୱନା ସାଉଁଟିବାରେ କୃଷକମାନେ ସିଂଘୁ ବର୍ଡ଼ରରେ ହ୍ୱାଟ୍ସ୍ଆପ୍ ଭଳି ସାମାଜିକ ଗଣମାଧ୍ୟମରେ ନିରନ୍ତର ପ୍ରୟାସ ଚଳାଇଛନ୍ତି । ଏହା ସହିତ ଦେଶର ବିଭିନ୍ନ ରାଜନୈତିକ ଦଳ ଏହି କୃଷକ ଆନ୍ଦୋଳନରେ ସାମିଲ ହେବାକୁ ପ୍ରତିଶୃତି ଦେଇ କୃଷକ ନେତାଙ୍କ ସହିତ ଅଗଷ୍ଟ ୮ତାରିଖ ଭାରତ ବନ୍ଦକୁ ସଫଳ କରିବାକୁ ମଧ୍ୟ ଆହ୍ୱାନ ଦେଇସାରିଲେଣି ।
ଏଠାରେ ଉଲ୍ଲେଖଯୋଗ୍ୟ ଗତ ମୌସୁମୀ ଅଧିବେଶନରେ ବିଜେପି ସରକାର ନିଜର ଏକତରଫା ରାଜ୍ୟସଭା ଓ ଲୋକସଭାର ଉଭୟ ଗୃହରେ ତିନୋଟି କୃଷି ବିଲ୍କୁ ଆଇନରେ ପରିଣତ କରିଥିଲେ । କେନ୍ଦ୍ରର ମୋଦୀ ସରକାର ବିରୋଧୀ ଦଳମାନଙ୍କର ସାମାନ୍ୟ ଅନୁରୋଧକୁ ମଧ୍ୟ କର୍ଣ୍ଣପାତ କରିନଥିଲେ । ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିୋଷତଃ କୃଷକ ସଂଗଠନ ପକ୍ଷରୁ ଜନଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇ କେନ୍ଦ୍ରର ମୋଦୀ ସରକାରଙ୍କୁ କୃଷି ଆଇନକୁ ଫେରାଇ ନେବାକୁ ଦାବୀ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ଫଳସ୍ୱରୂପ ବିଭିନ୍ନ କୃଷକ ସଂଗଠନ ଏହି କୃଷି ଆଇନ୍ର ପ୍ରତ୍ୟାହାର ଦାବୀରେ ୧୧ଦିନ ଧରି ଜୋରଦାର ଆନେ୍ଦାଳନ ଆରମ୍ଭ କରିଛନ୍ତି ଏବଂ କୃଷି ଆଇନ୍ ପ୍ରତ୍ୟାହାର ନହେଲେ କୃଷକମାନେ ଏକବର୍ଷ ଧରି ଆନେ୍ଦାଳନ ଜାରି ରଖିବାକୁ ପ୍ରସ୍ତୁତ ହୋଇ ଆସିଛନ୍ତି ବୋଲି ଘୋଷଣା କରିଛନ୍ତି । ଦିଲ୍ଲୀର ସିଂଘୁ ସୀମାନ୍ତ କୃଷକ ଆନ୍ଦୋଳନର ମୁଖ୍ୟ ସ୍ଥାନ ପାଲଟିଛି ଏବଂ ଗଣମାଧ୍ୟମରେ ଆକର୍ଷଣର କେନ୍ଦ୍ର ପାଲଟିଛି । ସିଂଘୁ ଅଂଚଳରେ କୃଷକମାନଙ୍କ ପାଇଁ ହାଡ଼ଭଙ୍ଗା ଶୀତରୁ ସୁରକ୍ଷା ଦେବାକୁ ରେଜେଇ, କମଳ, ହିଟର, ଖାଦ୍ୟ ସାମଗ୍ରୀ ପ୍ରଭୃତି ସାହାଯ୍ୟର ସୁଅ ଛୁଟିଛି । ସେପଟରେ ଅସୁସ୍ଥ ତଥା କୃଷକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଅନେକ ଡାକ୍ତରମାନେ ଅକୁଣ୍ଠ ସେବା ଯୋଗାଇ ଦେଉଛନ୍ତି । ସିଂଘୁ ଆନ୍ଦୋଳନ ସ୍ଥାନରେ ଅନେକ ନିଆରା ଘଟଣା ଦେଖିବାକୁ ମିଳୁଛି ।
""ବର୍ଷ ବର୍ଷ ଧରି ଆମେ ମୋଦୀଙ୍କ ମନକି ବାତ୍, ଅର୍ଥାତ୍ ମୋଦୀଙ୍କ ମନର କଥା ଶୁଣି ଆସୁଛୁ । ଆଜି ସମୟ ଆସିଛି, କୃଷକମାନଙ୍କର ମନ୍ କୀ ବାତକୁ ମୋଦୀ ମାନିଯିବା ଦରକାର । ନିଜର ମନର କଥାରେ କୃଷି ଓ କୃଷକମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାର ଅନେକ ଘୋଷଣା କରିଥିବା ମୋଦୀ ବର୍ତମାନ କୃଷି ଆଇନ୍ ଯଥାଶୀଘ୍ର ପ୍ରତ୍ୟାହାର କରି କୃଷକମାନଙ୍କର ମନର ମନସ୍ତାପକୁ ବୁଝିପାରିବା ଆବଶ୍ୟକ । ମନ୍ କୀ ବାତରେ ଚାଷୀମାନଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କର ଉନ୍ନତି ପାଇଁ ଅନେକ ଆହ୍ୱାନ ଦେଇଥିବା ମୋଦୀ ଆଜି ଚାଷୀ ସଂଗଠନର ମନ୍ କୀ ବାତ୍କୁ ମାନି ନିଅନ୍ତୁ ବୋଲି ବିଭିନ୍ନ କୃଷକ ସଂଗଠନର ନେତା ମୋଦୀଙ୍କ ଉଦ୍ଦେଶ୍ୟରେ ଦାବୀ କରୁଛନ୍ତି ।
କୃଷକ ଆନ୍ଦୋଳନର ଘଡ଼ିସନ୍ଧି ସମୟରେ ପଞ୍ଜାବର ଗୁରୁଦାସପୁତ୍ର ବିଜେପି ସାଂସଦ ତଥା ପ୍ରସିଦ୍ଧ ଚଳଚିତ୍ର ତାରକା ସନ୍ନି ଦେଓଲ୍ ସିଂଘୁରେ ଆନ୍ଦୋଳନରତ କୃଷକ ସଂଗଠନ ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ""ସରକାରଙ୍କୁ ସମାଧାନର ମାର୍ଗ ବାହାର କରିବା ପାଇଁ କୃଷକ ନେତାମାନେ ସାହାଯ୍ୟ ଓ ସହଯୋଗ ଆଲୋଚନାରେ ଯୋଗାଇ ଦେବା ଜରୁରୀ । ଏହା ହୋଇପାରିଲେ କୃଷି ଆଇନରେ ପରିବର୍ତନ ତଥା କୃଷକମାନେ ଚାହୁଁଥିବା ଦାବୀ ମୁତାବକ ସାମଧାନର ସୂତ୍ର ବାହାରି ପାରିବ । ମୁଁ, କୃଷକ ଏବଂ ବିଜେପି ସହିତ ରହିଛି । କେନ୍ଦ୍ରର ବିଜେପି ସରକାର ସର୍ବଦା କୃଷି ଓ କୃଷକମାନଙ୍କର ହିତ ଓ ବିକାଶ ପାଇଁ ପ୍ରୟାସ କରିଆସୁଛନ୍ତି । କୃଷକମାନଙ୍କର ଏହି ଆନ୍ଦୋଳନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେଉଁ ଆଲୋଚନା ପ୍ରତ୍ୟାଲୋଚନା ଚାଲୁଛି ଏଥିରେ ଅନ୍ୟ କାହାରି ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । କେତେକ ରାଜନୈତିକ ନେତା ଓ ଦଳ କୃଷକ ଆନ୍ଦୋଳନରୁ ନିଜର ସ୍ୱାର୍ଥ ସାଧନ ପାଇଁ ଲାଗିପଡ଼ିଛନ୍ତି । କିନ୍ତୁ ବାସ୍ତବରେ ଏଭଳି ରାଜନୈତିକ ଦଳ ଓ ନେତା ଚାଷୀ ଓ ଚାଷର ସୁଚିନ୍ତା କେବେ କରନ୍ତି ନାହିଁ ।
ବିଜେପିର ଅନ୍ୟତମ ସାଂସଦ ଏବଂ ପ୍ରସିଦ୍ଧ ଗାୟକ ହସଂରାଜ ହଂସଙ୍କୁ ମଧ୍ୟ ଅଚାନକ କୃଷକ ସଂଗଠନର କୃଷକମାନେ ଘେରାଉ କରିଦେଇଥିଲେ । ଠିକ୍ ସେହିପରି ହାଡ଼ଭଙ୍ଗା ଶୀତକାକର ଭିଜା ରାତିକୁ ଟିକିଏ ଉଷ୍ମ ପରିବେଶରେ ପରିଣତ କରିବାକୁ କେତେକ ଯୁବ କୃଷକ ମଧ୍ୟ ରାତ୍ରୀରେ ଦଳବଳ ହୋଇ "ଶିର୍ ପେ ତାଜ୍' ସଙ୍ଗୀତର ତାଳେ ତାଳେ ନୃତ୍ୟ କରୁଥିଲେ । କିନ୍ତୁ ସେଠାରେ ମହିଳା କୃଷକ ନେତ୍ରୀ ଜଶ୍ବୀର୍ କୌର୍ ସେହି ଯୁବ କୃଷକମାନଙ୍କୁ ଏପରି ଖୁସି ମନେଇବାକୁ ବାରଣ କରିଥିଲେ । ଜଶ୍ବୀର୍ କୁହନ୍ତି, ""ଏହା ଖୁସି ଓ ଉତ୍ସବର ସମୟ ନୁହେଁ । ବିଜେପି ଏବଂ ମୋଦୀ ସରକାର କୃଷକର ରକ୍ତ ଶୋଷଣ ଆଇନ୍ (ଡ୍ରାକୋନିଆନ୍ ଫାର୍ମ ଲ) ଯେ ପର୍ଯ୍ୟନ୍ତ ପ୍ରତ୍ୟାହାର ନକରିଛନ୍ତି, ସେ ପର୍ଯ୍ୟନ୍ତ କେବଳ ଏକ ସଫଳ ଉତପ୍ତ ଜନ ଆନେ୍ଦାଳନ ଡେଉଛି ସମୟର ଆହ୍ୱାନ । ଏହି କୃଷି ଆଇନ୍ର ପ୍ରତ୍ୟାହାର ହେଲେ ଆମେ ଆମ ଲକ୍ଷ୍ୟ ପଥରେ ସଫଳ ହୋଇ ଖୁସି ଓ ଉତ୍ସବ ପାଳନର ସମୟ ସୃଷ୍ଟି କରିପାରିବୁ '' ।
ପ୍ରସିଦ୍ଧ ପଞ୍ଜାବୀ ମହିଳା ମଂଚ ଅଭିନେତ୍ରୀ ଦଲଜିନ୍ଦର କୌର୍ ଚେତାବନୀ ଦେଇ ବିଜେପି ଉଦ୍ଦେଶ୍ୟରେ ମହିଳା କୃଷକ ସଂଗଠନକୁ ଆହ୍ୱାନ ଦେଇ କହିଥିଲେ, ""ଏହି ଦେଶ କାହା ବାପର ଦେଶ ନୁହେଁ, ଯିଏ ଯେତେବେଳେ ଯେଉଁ ଆଇନ୍ ଚାହିଁବ ଆମ ଉପରେ ଲଦିଦେବ'' । ପଞ୍ଜାବର ଲୌହ ମହିଳା ଭାବେ ପରିଚିତ ଶୁଦେଶ ଗୋୟତ୍ କୁହନ୍ତି, ""ଯେତେ ପ୍ରକାରର ପ୍ରତିରୋଧ, ବାଧା ଏବଂ ଦମନଲୀଳା ହେଲେ ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର ବିଜେପି ନକରିବା ପର୍ଯ୍ୟନ୍ତ ମହିଳା କୃଷକ ସଂଗଠନ ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରିବେ ନାହିଁ ।
ସିଘୁ ଅଂଚଳରେ କୃଷକ ଆନ୍ଦୋଳନସ୍ଥଳୀ ଅନେକ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଇଛି । ଏହି ସବୁ ଅଂଚଳକୁ ବିଭନ୍ନ ଭାଗରେ ବିଭକ୍ତ କରାଯାଇ ପଞ୍ଜାବର ସୁପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କ ନାମରେ ନାମିତ କରାଯାଇଛି । ଏଥିମଧ୍ୟରେ ପ୍ରମୁଖ କୃଷକ କ୍ୟାମ୍ପ୍ ସ୍ଥାନର ନାମ ହେଉଛି, ବାବା ବମ୍ବାସିଂ ନଗର, ଚାଚା ଅଜିତ୍ସିଂ ନଗର, ବବିଗୁଲାବ କୌର୍ ନଗର, ସହୀଦ୍ ଭଗତ୍ ସିଂ ନଗର ଏବଂ ସହୀଦ୍ ସାଧୁସିଂ ତକ୍ତୁପୁରା ନଗର । ଏଭଳି ନାମକରଣର ମହତ୍ୱକୁ ଗୋଟି ଗୋଟି କରି ଗଣମାଧ୍ୟମ ନିକଟରେ ବଖାଣି ଥିଲେ ହରିନ୍ଦର କୌର ।
""ମୋଦୀ ସରକାର ଆମକୁ ଶୀତ କାକର ରାତିରେ ଖୋଲା ଆକାଶ ତଳେ ଆନ୍ଦୋଳନ କରିବାର ଯନ୍ତ୍ରଣାର ସ୍ୱାଦ ଚଖାଇଲେ ଏବଂ ହାତରେ ରାନ୍ଧି ଖାଇବା ମଜା ଶିଖାଇଲେ । ଆମେ ବର୍ତମାନ କୃଷି ଆଇନ୍ ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ଏହି ହାଡ଼ଭଙ୍ଗା ଶୀତରେ ପଡ଼ିରହିବୁ ଏବଂ ହାତରେ ରାନ୍ଧି ଖାଇବୁ ।'' ନିଜର ଝିଅକୁ ସନ୍ଧ୍ୟାରେ ଭିଡ଼ିଓ କଲ୍ ମାଧ୍ୟମରେ କୃଷକ ଆନ୍ଦୋଳନ ସ୍ଥାନ ସିଂଘୁର ରୋଷେଇଶାଳ, ଟ୍ରାକ୍ଟର, ଟ୍ରଲି, ସଭାସମିତି ଏବଂ ଦୁଃଖ କଷ୍ଟରେ କିପରି ଚାଲିଛି ଆନ୍ଦୋଳନର ସଂଘର୍ଷର ଦୃଶ୍ୟ ତାହାକୁ କୃଷକ ଲକ୍ଷ୍ମଣ ସିଂ ଦେଖାଇବା ଅବସରରେ ଉପରୋକ୍ତ ମତ ବଖାଣିଥିଲେ ।
କୃଷକ ଆନ୍ଦୋଳନସ୍ଥଳୀ ସିଂଘୁ ବର୍ତମାନ ପଞ୍ଜାବର ଗୁରୁଶରଣ ସିଂଙ୍କ ଭଳି ଅନେକ ନାମୀଦାମୀ ତଥା ପ୍ରମୁଖ କଳାକାର ଓ ବ୍ୟକ୍ତି ବିଶେଷଙ୍କ ସମାହାରର ସ୍ଥାନ ପାଲଟିଛି । ଦିଲ୍ଲୀର ସିଂଘୁ ସୀମାନ୍ତରେ କୃଷକ ଆନ୍ଦୋଳନକୁ ସମର୍ଥନ ଓ ସଫଳ କରିବା ପାଇଁ ଅନେକ ସୁପ୍ରସିଦ୍ଧ ଜନନେତା ମାନଙ୍କର ସାମିଲ ହେବାକୁ ସୁଅ ଛୁଟିଛି ।