ସକାଳର ସିଙ୍ଘୁ ଆନ୍ଦୋଳନ ସ୍ଥଳୀରୁ "ଶାସକ ପ୍ରଶାସକ"ର ଗ୍ରାଉଣ୍ଡ୍ ଜିରୋ ରିପୋର୍ଟ
ନୂଆଦିଲ୍ଲୀ : ଯେତେବେଳେ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବୀ ନେଇ କୃଷକ ଆନ୍ଦୋଳନ ଚାଲିଥିଲା ଏବଂ ଭାରତ ବନ୍ଦକୁ ସଫଳ କରିବାକୁ ଘୋଷଣା କରାଗଲା, ଠିକ୍ ସେତିକିବେଳେ ରାଜନୀତି ମଧ୍ୟ ଜୋର୍ ଧରିଲା । ଆମ ଆଦମୀ ଦଳ ଖୋଲାଖୋଲି କଂଗ୍ରେସକୁ କୃଷକ ବିରୋଧୀ ବୋଲି ଅଭିଯୋଗ କଲା । ଅନ୍ୟପଟରେ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ଦଳର ମୁଖ୍ୟ ଅରବିନ୍ଦ କେଜେରିୱାଲଙ୍କୁ ଗୃହ ବନ୍ଦୀ କରିଛି ବୋଲି ସର୍ବସାଧାରଣରେ ଘୋଷଣା କରି ବିବାଦ ସୃଷ୍ଟି କଲା । ଏହାର କିଛି ଦିନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦିର ସିଂହ ଏକ ବିବୃତିରେ କହିଥିଲେ, ‘ଆମ ଆଦମୀ ଦଳ’ ହେଉଛି କୃଷକ ମାନଙ୍କ ପାଇଁ ସବୁଠାରୁ ବଡ଼ ଶତ୍ରୁ । ଏଭଳି କୃଷି ମାରଣ ଦଳ ସେ କେବେ ଦେଖିନାହାନ୍ତି । ଏଥିରୁ ବୁଝାପଡୁଛି କୃଷକ ଆନ୍ଦୋଳନରୁ ରାଜନୈତିକ ଉଷ୍ମ ବାତାବରଣ ସୃଷ୍ଟି କରିବାର ଲକ୍ଷ୍ୟ । ତେବେ ସିଙ୍ଘୁ ସୀମାରେ କୃଷକ ଆନ୍ଦୋଳନ ଏଭଳି ରାଜନୈତିକ ଉଦ୍ଦେଶ୍ୟ ସାଧନକରି ନେତାମାନଙ୍କର ବ୍ୟାନବାଜିରେ ପ୍ରଭାବିତ ହୋଇନଥିଲା । ଏହା ପରିଲକ୍ଷିତ ହେଲା ଭାରତ ବନ୍ଦ ଡିସେମ୍ବର ୮ ତାରିଖ ଦିନ ।
ଗୋଟିଏ ପଟରେ ଭାରତ ବନ୍ଦ ଡାକରାରେ ଚକ୍କା ଜାମ୍, ଆଉ ଗୋଟିଏ ପଟେରେ କୃଷକ ଆନ୍ଦୋଳନର ସଫଳତା ପାଇଁ ସିଙ୍ଘୁ ଆନ୍ଦୋଳନ ସ୍ଥଳୀରେ ଉତ୍ସାହ ଓ ଉଦ୍ଦୀପନାରେ କୃଷକମାନେ ମାତି ଉଠିଥିଲେ । ସତେ ଯେପରି ସିଙ୍ଘୁ ଆନ୍ଦୋଳନ ସ୍ଥଳୀରେ କୃଷକମାନଙ୍କୁ ନ୍ୟାୟ ଦାବିରେ ଲାଗିଛି ମେଳା ମହୋତ୍ସବ ଏବଂ ଭାରତ ବନ୍ଦର କୌଣସି ପ୍ରଭାବ ନାହିଁ । ଏଥିରେ ଉଲ୍ଲେଖଯୋଗ୍ୟ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ , ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ଥିଲା ମାତ୍ର କୃଷକମାନଙ୍କୁ ସମର୍ଥନର ସୁଅ ଛୁଟିଥିଲା ସିଙ୍ଘୁ ଆନ୍ଦୋଳନ ସ୍ଥଳୀରେ । ଶହଶହ ଗାଡିମୋଟର ଆନ୍ଦୋଳନ ସ୍ଥଳୀକୁ ଛୁଟି ଆସିଥିଲେ, କୃଷକମାନଙ୍କ ପାଇଁ କେଉଁଠାରେ କୋବି ପରଟା, ସୋରିଷ ଶାଗ, ମକା ରୁଟି, ଖାଣ୍ଟି କ୍ଷୀରରେ ଚା’ ଓ ଦହିର ଲସି ପ୍ରଭୃତି ପ୍ରସ୍ତୁତ ଜୋରଦାର ଭାବେ ଚାଲିଥିଲା । ଭିନ୍ନ ଭିନ୍ନ ସାମଗ୍ରୀ ଯାନବାହାନରେ ଧରି ପହଞ୍ଚୁଥିଲେ ବିଭିନ୍ନ ସଂଗଠନର କର୍ମୀମାନେ ।
ପୁଲିସ୍ ଓ ସୁରକ୍ଷାକର୍ମୀ ବ୍ୟାରିକେଡ ଲଗାଇ ଗୋଟିଏ ପଟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତ, ବ୍ୟାରିକେଡ଼ର ଅନ୍ୟପଟରେ କୃଷକମାନଙ୍କ ସଫଳ ଆନ୍ଦାଳନ ପ୍ରସ୍ତୁତିର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ । ଜୀବନ ଜୀବିକା ପାଇଁ ଉଭୟ କୃଷକ ଓ ସୁରକ୍ଷାକର୍ମୀ ହାଡ଼ଭଙ୍ଗା ଶୀତ କାକର ରାତ୍ରିର ସଂଘର୍ଷର କାହାଣୀ ଅତ୍ୟନ୍ତ ଆବେଗମୟ । ଏହାକୁ ଦେଖିବା ପରେ ଚୀନରେ ଦୁଃଖ ଓ ବିଦ୍ରୋହ ସୃଷ୍ଟି ହେବା ସ୍ୱାଭାବିକ - ଯେଉଁମାନେ ଏହି କୃଷକ ଆନ୍ଦୋଳନକୁ ନେଇ ସ୍ୱାର୍ଥ ସାଧନ ରାଜନୈତିକ ବୟାନବାଜି କରୁଛନ୍ତି ।
ଭାରତ ବନ୍ଦରେ ଆଜି ଯେତେବେଳେ ଅଧିକାଂଶ ରାସ୍ତାଘାଟ ଶୂନଶାନ୍ ଓ ପ୍ରାୟତଃ ଜନଶୂନ୍ୟ ଦେଖାଯାଇଥିଲା ସେହି ସମୟରେ ସିଙ୍ଘୁ ଠାରେ ଜନଗହଳିର ପାଦ ପକାଇବାକୁ ଜାଗା ନଥିଲା । ଆନ୍ଦୋଳନକୁ ସଫଳ କରିବାକୁ ଏହା ଥିଲା ସଂଗ୍ରାମୀ ସମର୍ଥନର ସମାଗମ ।
ସିଙ୍ଘୁ ଆନ୍ଦୋଳନସ୍ଥଳୀର ସବୁଠାରୁ ଅଧିକ ଭିଡ ଦେଖିବାକୁ ମିଳୁଥିଲା ଖାଲସା ସହାୟତା କେନ୍ଦ୍ର ଠାରେ । ସେଠାରେ କାଜୁ ବାଦାମ, ଗୁଆ ଘିଅ, ଗାମୁଛା, ଚପଲ ଏବଂ ସାବୁନ ତଥା ମାସ୍କ ଯୋଗାଇ ଦିଆଯାଉଥିଲା । ସିଙ୍ଘୁ ଠାରେ କୃଷକମାନଙ୍କ ପାଇଁ ତଥା ଆନ୍ଦୋଳନକାରୀଙ୍କ ସୁବିଧା ଓ ସହାୟତା ପାଇଁ କେତେକ ଆତ୍ୟାବଶ୍ୟକୀୟ ଦୋକାନ ଖୋଲା ଥିଲା । ସନ୍ତୋଷ ନାମକ ଜଣେ କୃଷକ କୁହନ୍ତି ଏ ଚାଷୀଙ୍କ ସମେତ ସେମାନଙ୍କ ପରିବାରବର୍ଗ, ପିଲାଛୁଆ ଏବଂ ବନ୍ଧୁବାନ୍ଧବମାନେ ଆସୁଛନ୍ତି । ଏହା ଆନ୍ଦୋଳନକାରିଙ୍କ ମନୋବଳ ବଢାଉଛି । ଏଠାରେ ପହଂଚିବାକୁ ସେମାନଙ୍କୁ ଶୀତର ଥଣ୍ଡାରେ ଅତ୍ୟନ୍ତ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି । ମୋବାଇଲ୍ ଫୋନ ଚାର୍ଜର ଆବଶ୍ୟକତା ଏଠାରେ ଅତ୍ୟନ୍ତ ଆବଶ୍ୟକ । ସେଲୁନ ଦୋକାନ ସର୍ବଦା ଖୋଲା ରହୁନି । ଏଠାରେ ଖରାରେ କୃଷକମାନଙ୍କୁ ସମ୍ବୋଧିତ କରାଯାଉଛି ।
ରାଜରାସ୍ତା ଉପରେ ଜଳୁଛି ଚୁଲି । ପ୍ରସ୍ତୁତ ହେଉଛି ଚା’, ରୁଟି, ପରଟା, ଡାଲି ଓ ତରକାରୀ । ଧାଡି ଧାଡି ହୋଇ କୃଷକମାନେ ବସି ଖାଉଛନ୍ତି । ଜାତୀୟ ରାଜପଥରରେ ଧାରଣା ଦେଇ ବସିଥିବା କୃଷକମାନଙ୍କୁ ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେଉଛନ୍ତି ଦିଲ୍ଲୀର ବିଭିନ୍ନ ଡାକ୍ତର । ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବାବେଳେ ଆନ୍ଦୋଳନସ୍ଥଳୀରେ ୭୪ବର୍ଷ ବୟସ୍କ କୃଷକ ସୂଲଖନ ସିଂହ ଅତି ଆବେଗଭରା କଣ୍ଠରେ କୁହନ୍ତି, ‘ମୁଁ ବୃଦ୍ଧାବସ୍ଥାରେ ହାଡ଼ଭଙ୍ଗା ଶୀତରେ ଏହି ଆନ୍ଦୋଳନରେ ସାମିଲ ହୋଇଛି କାରଣ ଆମେ ତ ଆମର ଜୀବ ବିତାଇ ସାରିଲୁଣି | କିନ୍ତୁ ଆମର ଆଗାମୀ ପୀଢିର ଭବିଷ୍ୟତଙ୍କ ସୁରକ୍ଷା ଦେବାକୁ ମୋର ଏହି ସଂଗ୍ରାମ ଜାରୀ । ମୋ’ର ଦୃଢ଼ ବିଶ୍ୱାସ ଏହି ଐତିହାସିକ ଆନ୍ଦୋଳନର ଫଳାଫଳ ମଧ୍ୟ ଆସନ୍ତାକାଲିର ଏକ ଇତିହାସ ସୃଷ୍ଟି କରି ଲିପିବଦ୍ଧ ହେବ ।’ ସୁଲଖନ ଜଳନ୍ଧରସ୍ଥିତ ଅପରା ଗ୍ରାମର ବାସିନ୍ଦା । କିନ୍ତୁ ଆନ୍ଦୋଳନର ପ୍ରଥମ ଦିନରୁ ତାଙ୍କର ଘର ସିଙ୍ଘୁ ସୀମା ହୋଇଯାଇଛି । ସାରା ଦିନ ସୁଲଖନ ଆନ୍ଦୋଳନରେ ସାମିଲ କୃଷକମାନଙ୍କ ଖିଆପିଆ କଥା ଏବଂ ସେମାନଙ୍କର ସ୍ୱାସ୍ଥ୍ୟସେବା କଥା ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି । ଅପରା ଗାଁରୁ ସିଙ୍ଘୁ ଆନ୍ଦୋଳନ ସ୍ଥଳୀରୁ ଦୂରତା ପ୍ରାୟ ୪୦୦କି.ମି. । ନିଜର ଟ୍ରାକ୍ଟର ନେଇ ସୁଲଖନ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏବଂ ସେହି ଟ୍ରାକ୍ଟର ଡାଲା ତାଙ୍କର ଘର ପାଲଟିଯାଇଛି । ସେହି ଟ୍ରାକ୍ଟରରେ ସୁଲଖନଙ୍କ ସମେତ ଅନ୍ୟ ୧୭ଜଣ କୃଷକ ମଧ୍ୟ ରାତି କାଟୁଛନ୍ତି । ସୁଲଖନଙ୍କର ଆଣ୍ଠୁଗଣ୍ଠି ରୋଗାର ଯନ୍ତ୍ରଣାରେ ମଧ୍ୟ ସେ ଦିନ ସାରା ଅନ୍ୟ କୃଷକମାନଙ୍କର ସେବାରେ ଲାଗି ପଡୁଛନ୍ତି ।
![](/images/December-2020/12-indi.jpg)
ଜୀବନର ୭୩ଟି ବର୍ଷ ବସନ୍ତ ବୈଶାଖର ବେଦନାକୁ ଅଙ୍ଗେ ନିଭାଇଥିବା କୃକେ ସୁଲଖନ କୁହନ୍ତି, ‘କୃଷକର କଷଣକୁ ସରକାର କେବେ ବୁଝିପାରନ୍ତି ନାହିଁ । ଏ ଆନ୍ଦୋଳନର ଲଢାଇ ହେଉଛି ଆମ ଜୀବନ ଓ ଜମିର ହକର ସଂଘର୍ଷ । ଏଥିରେ କୌଣସି ସାଲିସ ହେବ ନାହିଁ । ଏହି ଜମିରୁ ଆମ ଜୀବନର ସୃଷ୍ଟି । ଏହାରି ଉପରେ ଆମେ ଲାଳନପାଳନ ହୋଇ ଯୌବନକୁ ଉପଭୋଗ କରିଛୁ ଓ ପରିବାର ପାଳୁଛୁ । ଜମି ପାଇଁ ଜୀବନ ଗଲେ ମଧ୍ୟ ଆମର ଦୁଃଖ ନାହିଁ ।
ସୁଲଖନଙ୍କ ମନରେ ନୂଆ କୃଷି ଆଇନକୁ ନେଇ ଅନେକ ଡର । ତାଙ୍କ ମତରେ ବିଜେପିର ଏହି କୃଷି ଆଇନ ଲାଗୁ ହେବା ପରେ କୃଷକମାନଙ୍କୁ ତାଙ୍କର ଉତ୍ପାଦିତ ଖାଦ୍ୟଶସ୍ୟର ଉଚିତ୍ ଦାମ ମିଳିବ ନାହିଁ । ଧୀରେ ଧୀରେ କୃଷକର ଜମି ଅନ୍ୟମାନଙ୍କ ହାତକୁ ଚାଲିଯିବ । ନୂଆ ନୂଆ ଆକର୍ଷଣୀୟ ଘୋଷଣା ହେବ ମାତ୍ର ପରେ ଚାଷୀ ଚିନ୍ତାରେ ମୃତ୍ୟୁବରଣ କରିବ । କାରଣ ଚକ୍ରାନ୍ତରେ ଚାଷୀର ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରି ଦେବେ । ଜୀବନ ଏବଂ ଜମି ପାଇଁ ଆମର ଏହି ସଂଘର୍ଷ ଶେଷ ହେବ କେବଳ ବିଜେପି ସରକାର କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କଲେ | ନଚେତ ଜମି ପାଇଁ ଜୀବନ ଦେବୁ ଆନ୍ଦୋଳନ ବନ୍ଦ ହେବ ନାହିଁ ।
ସିଙ୍ଘୁ ସୀମା ଦିଲ୍ଲୀ ଏବଂ ହରିୟାନାର ଏକ ଟୋଲଗେଟ୍ ମଧ୍ୟରେ ବିଭକ୍ତ ହୋଇ ନିଜର ଏକ ସୀମିତ ପରିଚୟ ଲାଭ କରିଥିଲା । ଆଜି କିନ୍ତୁ ସମୟ ବଦଳିଯାଇଛି । ସିଙ୍ଘୁ ସୀମା ସମଗ୍ର ଦେଶରେ ଚର୍ଚ୍ଚା ଓ ବିତର୍କରେ ରହି ପ୍ରସିଦ୍ଧି ଲାଭ କରିଛି କୃଷକ ଆନ୍ଦୋଳନକୁ ନେଇ । ଦିଲ୍ଲୀର ସୀମା ସିଙ୍ଘୁକୁ ଟୋଲଗେଟ୍ ଏକ ଭିନ୍ନ ଭାବେ ବିଭକ୍ତ କରିଛି । ଟୋଲଗେଟରେ ଦିଲ୍ଲୀ ପାଶ୍ୱର୍ରେ ବ୍ୟାରିକେଡ ଲଗାଯାଇ ସିଆଇଏସଏଫ୍, ଆଇଟିବିପି, ସିଆରପିଏଫ୍, ବିଏସଏଫ୍ ଓ ଆରଏଏଫ୍ ଜୱାନ ସମେତ ପୁଲିସ୍ ମୁତୟନ ହୋଇ ସେନା ଛାଉଣି ସଦୃଶ ଲାଗୁଛି । ଅପର ପାର୍ଶ୍ୱରେ ହରିୟାନା, ପଞ୍ଜାବ ତଥା ଦେଶର ଅନ୍ୟ ପ୍ରାନ୍ତର ଆସିଥିବା କୃଷକମାନେ ନିଜ କୃଷିର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ରରେ ସହିତ ସୁରକ୍ଷାକର୍ମୀଙ୍କ ସମ୍ମୁଖରେ ନିଜର ଆନ୍ଦୋଳନ କର ବା ମର ନୀତି ଆପଣାଇ ଜାରି ରଖିଛନ୍ତି । ସିଙ୍ଘୁର ଦିଲ୍ଲୀ ପାଶ୍ୱର୍ରେ ପ୍ରାୟ ଦେଢ କିଲୋମିଟର ପର୍ଯ୍ୟସ୍ତ ସମସ୍ତ ସୁରକ୍ଷା କର୍ମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଥିବାବେଳେ ଏବଂ ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଥିବାବେଳେ ଅନ୍ୟ ପାର୍ଶ୍ୱରେ ଆନ୍ଦୋଳନକାରୀ କୃଷକଙ୍କ ଲମ୍ବା ଶିବିର । ଧୀରେ ଧୀରେ ଉଭୟ କୃଷକ ଏବଂ ସୁରକ୍ଷାକର୍ମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ଦିଲ୍ଲୀ ଓ ହରିୟାନା ସୀମାର ସିଙ୍ଘୁର ଦୁଇଟି ପାର୍ଶ୍ୱ ଦୁଇଟି ଭିନ୍ନ ଦୁନିଆରେ ବିଭକ୍ତ ହୋଇଛି, ଗୋଟିଏ ପାର୍ଶ୍ୱରେ ଚାଲିଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ କ୍ଷମତା, ଯେଉଁଠାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ସୁରକ୍ଷାକର୍ମୀ ଜବାନ, ଅନ୍ୟପାର୍ଶ୍ୱରେ ଦେଶକୁ ଖାଦ୍ୟ ଯୋଗାଉଥିବା କୃଷକ ସେମାନଙ୍କ ପରିବାର ଓ ପ୍ରିୟ ପରିଜନ ତଥା ସାଧାରଣଜନତା । ଯେଉଁମାନେ ଦେଶ ଦୁନିଆ ନାମରେ ପରିଚିତ । ଉଭୟଙ୍କୁ ବିଭକ୍ତ କରିଛି କଣ୍ଟାତାର ଛାଉଣୀ ବ୍ୟାରିକେଡ଼ । ସିଙ୍ଘୁ ସୀମାରେ ମଧ୍ୟ ରହିଛନ୍ତି ଦୁଇଟି ସରକାର, ଦିଲ୍ଲୀ ଓ ହରିୟାନା ସରକାର । ଦିଲ୍ଲୀ ସରକାର ପକ୍ଷରୁ କିଛି ମାତ୍ରାରେ ଅନୁକମ୍ପା କୃଷକ ଆନ୍ଦୋଳନକୁ ମିଳୁଛି । ଶୌଚାଳୟ, ଗରମ ପାଣି ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ହରିୟାନା ସରକାରଙ୍କ ପକ୍ଷରୁ ମଧ୍ୟ କିଛି ସାହାଯ୍ୟ ସହଯୋଗ କୃଷକଙ୍କୁ ମିଳୁଛି ସତ ମାତ୍ର କୃଷକମାନେ କିପରି ଦିଲ୍ଲୀ ପହଂଚି ପାରିବେ ନାହିଁ ସେଥିପ୍ରତି ପୁରା ଜୋର ଦିଆଯାଇ ସୁରକ୍ଷାକର୍ମୀଙ୍କୁ ୨୪ଘଣ୍ଟିଆ ସତର୍କ ରଖାଯାଇଛି । ବିଡ଼ମ୍ବନାର ବିଷୟ ହରିୟାନାରେ ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରୁ ସ୍ନାନ ଶୌଚାଳୟ ପାଇଁ ଦିଲ୍ଲୀ ପାଶ୍ୱର୍କୁ ଆସୁଛନ୍ତି ।
ସିଙ୍ଘୁ ସୀମାର ବାପ ପଟରେ ସିଙ୍ଘୁ ଗ୍ରାମ ଏବଂ ଦକ୍ଷିଣ ପଟରେ କୁଣ୍ଡଲୀ ଗାଁ ଅବସ୍ଥିତ । ସିଙ୍ଘୁ ନିକଟତର ନରେଲା ଇଣ୍ଡଷ୍ଟି୍ରଆଲ୍ ଅଞ୍ଚଳ । ଏହା ଏକ ବଡ଼ ବ୍ୟବସାୟିକ ଓ ଜନସମାଗମ ସ୍ଥାନ ହେତୁ ଏଠାରେ ଚାଲିଛି ଅନେକ ଦିନ ମଜୁରିଆଙ୍କର ବସ୍ତି ଅଞ୍ଚଳ । ସିଙ୍ଘୁ ଆନ୍ଦୋଳନସ୍ଥଳୀ ଏହି ସବୁ ବସ୍ତି ଅଞ୍ଚଳର ପିଲାମାନଙ୍କ ଓ ମହିଳାମାନଙ୍କ ପାଇଁ ପାଲଟିଛି ମହୋତ୍ସବର ସ୍ଥାନ । ଘରେ ସେମାନଙ୍କର ଚୁଲି ଜୁଳନି । ସେମାନଙ୍କୁ ପେଟ ପୁରା ଖାଇବା ମିଳୁଛି ଆନ୍ଦୋଳନ ସ୍ଥାନରେ । ହାଡ଼ଭଙ୍ଗା ଡିସେମ୍ବର ଶୀତରେ ଖଣ୍ଡେ ଭଲ ସାର୍ଟ ସ୍ଵେଟର ପାଉନଥିବା ଏହି ସବୁ ବସ୍ତିର ଗରିବ ଶିଶୁମାନେ ବର୍ତ୍ତମାନ ଗରମ ପୋଷାକ ପିନ୍ଧି ଶୀତ ଅନୁଭବ କରୁନାହାନ୍ତି । ପୁନଶ୍ଚ ଶୀତରେ ଏହା ପାଲଟିଛି ଅଳିଆ ଆବର୍ଜନା ଓ କୁଟାକାଠି କାଗଜରେ ନିଆଁ ଜାଳି ଅନିଦ୍ରା ରାତି କାଟୁଥିବା ବସ୍ତିର ଗରିବ ପରିବାର ଗରମ କମ୍ବଳରେ ସୁଖ ନିଦ୍ରା ନେଇଛନ୍ତି | ସିଙ୍ଘୁର କୃଷକ ଆନ୍ଦୋଳନ ପାଇଁ ଏସବୁ ସମ୍ଭବ ହୋଇଛନ୍ତି ବୋଲି ଜଣେ ଦିନ ମଜୁରିଆ ସିରମନ କୁହନ୍ତି ।
ଦୁଇଜଣ ବୃଦ୍ଧି ମହିଳା ରମଣା (୭୧) ଓ ଶାନ୍ତିପ୍ରୀତ (୬୦) ବସ୍ତିରୁ ଆସି କୃଷକ ଆନ୍ଦୋଳନସ୍ଥଳୀରେ କିଛି ଖାଦ୍ୟ ସାମଗ୍ରୀ ସଂଗ୍ରହ କରୁଥିଲେ । ରମଣା କୁହନ୍ତି, “ଆମେ ଏଠାକୁ ସବୁଦିନ ଆସି ଖାଦ୍ୟ ଖାଉଛୁ । ଭଲ ଖାଇବା ମିଳୁଛି । ଯେତେ ଇଚ୍ଛାର ଖାଅ ଏବଂ ପେଟ ଭର୍ତ୍ତି କରି ଖାଅ । କେହି କିଛି କହିବେ ନାହିଁ, କମ୍ବଳ ଓ ପୋଷାକ ପ୍ରଭୃତି ଯାହା ମିଳୁଛି ତାକୁ ଘରକୁ ନେଇଯାଉଛୁ ।” ଏତିକି କହିବା ବେଳେ ରମଣାଙ୍କୁ ଶାନ୍ତିପ୍ରୀତ ହାତଧରି ଟାଣି ନେଇଥିଲେ ।
![](/images/December-2020/18-chasi-4.jpg)
ତିଲ୍ଲକ ନଗର ଅଞ୍ଚଳରେ ରୁପିନ୍ଦିର କୌର ନିଜ ଅଞ୍ଚଳରୁ ପ୍ରାୟ ୮୦ ହଜାର ଟଙ୍କା ସଂଗ୍ରହ କରି କୃଷକମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଶୀତବସ୍ତ୍ର ଆଣିଥିଲେ । ରୁପିନ୍ଦର ନିଜର ସହାୟତା କେନ୍ଦ୍ର ଖୋଲିବା ମାତ୍ରକେ ଭିଡ ହୋଇଗଲା । ସମସ୍ତେ ଯେତେ ଘେରିଗଲେ ମାତ୍ର ସେହି ଭିତରେ କୃଷକ କମ୍ ଥିଲେ ଏବଂ ବସ୍ତି ଅଞ୍ଚଳର ଲୋକ ଅଧିକ ଥିଲେ । ସେମାନେ ଅଧିକ ସାମଗ୍ରୀ ନେଇଗଲେ । ବସ୍ତି ଅଞ୍ଚଳର ଅନେକ ଗରିବ ଦିନ ମଜୁରିଆ ଏବେ ସେଠାରେ କାମକୁ ଯାଉନାହାନ୍ତି ବୋଲି ରୁପିନ୍ଦିର କହିଥଲେ ।
ଦିଲ୍ଲୀ ଟିକରୀରୁ ନେଇ ସିଙ୍ଗୁ ସୀମାବର୍ତ୍ତୀ ଅଞ୍ଚଳର କୃଷକ ଆନ୍ଦୋଳନ ଏବଂ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ଦେଖିଲେ ଲାଗୁଛି, ଯଦି କୃଷକ ଆନ୍ଦୋଳନ ସମାଧାନ ଶୀଘ୍ର ନହୁଏ ତେବେ କେତେବେଳେ ଯେ, ଏହି ସବୁ ସ୍ଥାନରେ ରକ୍ତାକ୍ତ ଖଣ୍ଡପ୍ରଳୟର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଖ୍ ମିସଲୀ ଫୌଜ ଉଭୟଙ୍କ ମଝିରେ ନିଜର ଘୋଡ଼ା ଏବଂ ବାନ୍ ସହିତ ପ୍ରସ୍ତୁତ ହୋଇ ରହିଛନ୍ତି ।
ନିଜର ନାମ ଗୋପନ ରଖି କୁହନ୍ତି, “ଏହା ଧର୍ମର ଲଢେଇ ନୁହେଁ, ଏହା ସତ୍ୟ ଓ ହକ ପାଇଁ ଲଢେଇ । ଗୋଟିଏ ପଟରେ ରାଜା ଅନ୍ୟ ପଟରେ ପ୍ରଜା । ରାଜା ଯେତେବେଳେ ଅନ୍ୟାୟ କରିବେ ପ୍ରଜା ରାଜରାସ୍ତାକୁ ଆସିବେ | ଏଠାରେ ବିଚାରପତି ଓକିଲ ଏବଂ ଜବାନମାନେ ରହୁଛନ୍ତି । ସତ ଓ ମିଛ ମଧ୍ୟରେ ପ୍ରଭେଦ ସେମାନେ ଏହି ଆନ୍ଦୋଳନରେ ଜାଣିପାରିଛନ୍ତି । ଆମମାନଙ୍କ ପାଇଁ ଏହା ସବୁଠାରୁ କଠିନ ସମୟ । ଏହି କୃଷକ ଆମର, ଜବାନ ଭାଇ ମଧ୍ୟ ନିଜର ଏବଂ ସରକାର ଆମ ସମସ୍ତଙ୍କର । ଏହି ଆନ୍ଦୋଳନରେ ଲଢେଇରେ ଆମେ କେବଳ ଛଟପଟ ହୋଇଚାଲିଛୁ । ଆମର ହିଁ କ୍ଷତି ହେଉଛି । ସତ ଓ ହକକୁ ନେଇ ଆନ୍ଦୋଳନ କରିବାର ଏହି ସମୟ । ସତ୍ୟ ଓ ହକକୁ ନେଇ ଆଲୋଚନା ହେଲେ ଏ ଆନ୍ଦୋଳନର ସମାଧାନ ହୋଇପାରିବ ।