ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ କମିଟି ମାଧ୍ୟମରେ ଭାରତୀୟ କପା ନିଗମ ଲିମିଟେଡ଼ , ରାୟଗଡା ପକ୍ଷରୁ ଚାଷୀଙ୍କ କପା କ୍ରୟ ନିମନ୍ତେ କପାମଣ୍ଡି ଉଦ୍ ଘାଟନ ହୋଇଯାଇଛି ।
ଏହି ଅବସରରେ କପାଚାଷୀ ସଚେତନତା ଓ କପାର ଗୁଣାତ୍ମକ ମାନ ପରୀକ୍ଷା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କପାମଣ୍ଡିକୁ ଭାରତୀୟ କପା ନିଗମ ଲିମିଟେଡ଼, ରାୟଗଡାର ପରଚେଜ ଅଫିସର ଶ୍ରୀ କେ: ସୁଧାକର ରାଓ ଏବଂ ଆରଏମସି: ସେକ୍ରେଟାରୀ ଶ୍ରୀ ଲାଡ଼ି ରଘୁବାବୁ ମିଳିତ ଭାବେ ଉଦଘାଟନ କରିଥିଲେ ।
ପରେ ଆୟୋଜିତ ଏକ ଚାଷୀ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟତଃ ଅଗ୍ରୀମ ଟୋକେନ୍ ଆଣି ତା ମାଧ୍ୟମରେ ଚାଷୀ ମଣ୍ଡିକୁ ବିକ୍ରୟ ପାଇଁ କପା ଆଣିବା ସହ କପାମଣ୍ଡି ସପ୍ତାହରେ ମାତ୍ର ଦୁଇଦିନ ତଥା ମଙ୍ଗଳବାର ଓ ବୁଧବାର ଦିନ ଭାରତୀୟ କପା ନିଗମ ସିସିଆଇ (cci) ରାୟଗଡା ଦ୍ୱାରା କପା କ୍ରୟ କରାଯିବ ଏବଂ ଚାଷୀ ବିକ୍ରୟ କପାର ଉଚିତ ମୂଲ୍ୟ ପାଇବା ପାଇଁ ଗୁଣାତ୍ମକ ମାନର ଶୁଖିଲା ଓ ପରିଷ୍କାର କପା ମଣ୍ଡିକୁ ସକାଳ ୯ ଘଣ୍ଟିକା ଠାରୁ ୨ ଘଣ୍ଟିକା ସମୟ ମଧ୍ୟରେ ବିକ୍ରୟ ପାଇଁ ଆଣି ପାରିବେ ବୋଲି ଅଧିକାରୀ ମାନେ କହିଥିଲେ ।
ଏହି କପାଚାଷୀ ସଚେତନତା କାର୍ଯ୍ୟକ୍ରମରେ ଆରଏମସି:- ସେକ୍ରେଟାରୀ ଶ୍ରୀ ଲାଡ଼ି ରଘୁବାବୁ , କପାକ୍ରୟ ନିଗମର ପରଚେଜ ଅଫିସର ଶ୍ରୀ କେ:-ସୁଧାକର , ଆରଏମସି:- କାର୍ଯ୍ୟାଳୟର ଶ୍ରୀ ମନୋଜ ପାଣିଗ୍ରାହୀ ଏବଂ ଜଗଦୀଶ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।
ପରେ କପାମଣ୍ଡିକୁ ବିକ୍ରୟ ନିମନ୍ତେ ଆସିଥିବା କପା ଗୁଡିକୁ ନିଗମର କ୍ରୟ ଅଧିକାରୀ ଶ୍ରୀ ସୁଧାକର , କପାର ଗୁଣାତ୍ମକ ମାନ ଯାଞ୍ଚ କରି ପରୀକ୍ଷା କରିଥିଲେ ।
ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୁହାଯାଇଛି ଯେ , ଏଥି ପୂର୍ବରୁ ପ୍ରଚାର ଅଭିଯାନ ରଥ ବାହାରି ମୁଖ୍ୟତଃ କପାଚାଷ ହେଉଥିବା ଜିଲ୍ଲାର ୪ ଟି ବ୍ଲକ କାଶୀନଗର , ଗୁମ୍ମା , ଗୋଷାଣୀ ଓ ରାୟଗଡ ବ୍ଲକର ପ୍ରାୟ ୫୦ ଟି ଗ୍ରାମ ପରିକ୍ରମା କରି ପ୍ରାୟ ୧୨ ଶହ କପାଚାଷୀଙ୍କୁ ସଚେତନ କରାଉଛି ।
କପା ବିକ୍ରୟ ପାଇଁ ଅଗ୍ରୀମ ଟୋକେନ୍ କିଭଳି ନେବେ , ଜମିର ପ୍ରମାଣ ପତ୍ର କିଭଳି ଓ କେଉଁଠାରୁ ଆଣିବେ , ଜଣେ ଚାଷୀଙ୍କ ଠାରୁ ସର୍ବାଧିକ ୪୦ କ୍ୟୁଣ୍ଟାଲ ପର୍ଯ୍ୟନ୍ତ କପା କ୍ରୟ କରିବା , ନିର୍ଦ୍ଧାରିତ କପାର ଗୁଣାତ୍ମକ ମାନ ଓ ସରକାରଙ୍କ ସର୍ବନିମ୍ନ କ୍ୟୁଣ୍ଟାଲ ପ୍ରତି ସହାୟକ ମୂଲ୍ୟ ଏବଂ କପାର ଉଚିତ ମୂଲ୍ୟ ପାଇବା ପାଇଁ ଶୁଖିଲା ଓ ପରିଷ୍କାର କପା ମଣ୍ଡିକୁ ବିକ୍ରି ନିମନ୍ତେ ଆଣିବା ପାଇଁ ପ୍ରଭୃତି ଉପରେ କପାଚାଷ ହେଉଥିବା ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ କପାଚାଷୀ ମାନଙ୍କୁ ସଚେତନ କରାଉଛି ବୋଲି କୁହାଯାଇଛି ।
ରାୟଗଡ ବ୍ଲକ ପଦ୍ମପୁର ଗ୍ରାମର ଜଣେ କପାଚାଷୀ ଶ୍ରୀ ଡି: ନୀଳକଣ୍ଠ କହିଛନ୍ତି ଯେ , ଚଳିତବର୍ଷ ଆମର ଭଲ କପା ଫସଲ ହୋଇଛି । ପୁଣି ଚଳିତଥର କପାର କ୍ୟୁଣ୍ଟାଲ ପ୍ରତି ସହାୟକ ମୂଲ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଛି । ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ ।