
ଓଡ଼ଗାଁ, ୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ସମନ୍ୱିତ ଶିଶୁ ବିକାଶ ସେବା (ICDS) ଅଧୀନରେ ୧୫ରୁ ୧୯ ବର୍ଷ ବୟସର କିଶୋରୀମାନଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ଯୋଜନା ବର୍ତ୍ତମାନ ବ୍ୟାହତ ହୋଇଛି। ଗତ ୪ ମାସ ଧରି କୈଶୋରୀମାନଙ୍କୁ ଅଣ୍ଡା ବଣ୍ଟନ ବନ୍ଦ ରହିଥିବାରୁ ଯୋଜନାର ମୂଳ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠିଛି। ସରକାରଙ୍କ ପକ୍ଷରୁ ଶିଶୁ, କୈଶୋରୀ, ଗର୍ଭବତୀ ଏବଂ ପ୍ରସୂତି ମହିଳାଙ୍କ ସୁସ୍ଥ ବିକାଶ ପାଇଁ ବିଭିନ୍ନ ପୁଷ୍ଟିକର ଯୋଜନା କାର୍ଯ୍ୟକାରୀ କରାଯାଉଛି।
ଏହି ଯୋଜନା ଅନୁଯାୟୀ କୈଶୋରୀମାନଙ୍କୁ ମୁଢ଼ି, ବୁଟ ଚଣା ସହ ପ୍ରତିମାସ ୧୬ଟି ଅଣ୍ଡା ଯୋଗାଇ ଦିଆଯାଉଥିଲା। ଅଙ୍ଗନବାଡ଼ି କର୍ମୀମାନେ ପ୍ରଥମେ ନିଜ ଉଦ୍ୟମରେ ଅଣ୍ଡା କ୍ରୟ କରି ବଣ୍ଟନ କରୁଥିଲେ ଏବଂ ପରେ ସରକାରଙ୍କଠାରୁ ଏହାର ଅର୍ଥ ଫେରସ୍ତ ପାଉଥିଲେ। ସୂଚନା ଅନୁଯାୟୀ, ୨୦୨୫ ନଭେମ୍ବର ମାସ ପର୍ଯ୍ୟନ୍ତ ଅଣ୍ଡା ବାବଦର ଅର୍ଥ ପ୍ରଦାନ କରାଯାଇଥିଲା। କିନ୍ତୁ ତା'ପରେ ଆଉ କୌଣସି ଅର୍ଥ ମିଳିନଥିବାରୁ ଅଙ୍ଗନବାଡ଼ି କର୍ମୀମାନେ ଧାର ଉଧାର କରି ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ଅଣ୍ଡା ବଣ୍ଟନ ଜାରି ରଖିଥିଲେ। ମାତ୍ର ସେହି ସମୟ ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪ ମାସ ଧରି ଅଣ୍ଡା ବଣ୍ଟନ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଓଡ଼ଗାଁ ବ୍ଲକରେ ମୋଟ ୩,୯୬୦ ଜଣ କିଶୋରୀ ଏହି ଯୋଜନାର ସୁବିଧା ପାଉଥିଲେ। ସେମାନଙ୍କ ପାଇଁ ପ୍ରତିମାସ ୬୩,୩୬୦ଟି ଅଣ୍ଡା ବଣ୍ଟନ କରାଯାଉଥିଲା। ୪ ମାସର ବକେୟା ଏକାଥରେ ବଣ୍ଟନ କରାଗଲେ ମୋଟ ୨,୫୩,୪୪୦ଟି ଅଣ୍ଡା ବଣ୍ଟନ କରିବାକୁ ପଡ଼ିବ ଏବଂ ଜଣେ କିଶୋରୀଙ୍କୁ ଏକାବେଳେ ୬୪ଟି ଅଣ୍ଡା ମିଳିବ। କିନ୍ତୁ ପୁଷ୍ଟି ବିଶେଷଜ୍ଞଙ୍କ ମତରେ ନିୟମିତ ପୁଷ୍ଟିକର ଖାଦ୍ୟ ଗ୍ରହଣ ହିଁ ଶାରୀରିକ ବିକାଶ ପାଇଁ ଅଧିକ ଫଳପ୍ରଦ। ତେଣୁ ଏକାଥରେ ବକେୟା ବଣ୍ଟନ କଲେ ମଧ୍ୟ ଏହା ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିପାରିବ ନାହିଁ । କୈଶୋରାବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ସମ୍ବେଦନଶୀଳ ପର୍ଯ୍ୟାୟ। ଏହି ସମୟରେ ପ୍ରୋଟିନ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟର ନିୟମିତ ଯୋଗାଣ ଅତ୍ୟନ୍ତ ଆବଶ୍ୟକ। ତେଣୁ ଦୀର୍ଘଦିନ ଧରି ଅଣ୍ଡା ବଣ୍ଟନ ବନ୍ଦ ରହିବା କୈଶୋରୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ବଢ଼ାଇଛି। ସରକାର ଏହି ସମସ୍ୟାର ଶୀଘ୍ର ସମାଧାନ କରି ବକେୟା ଅର୍ଥ ପ୍ରଦାନ ସହ ନିୟମିତ ଭାବେ ଅଣ୍ଡା ବଣ୍ଟନ ସୁନିଶ୍ଚିତ କରିବାକୁ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଦାବି ଜୋର ଧରିଛି।







