ଝାରସୁଗୁଡ଼ା :(ସୁଭାଷ ସହାରେ) : ଛତିଶଗଡ଼କୁ ଚାଲାଣ ହେଉଥିଲା ଚୋରାକାଠ। ମାତ୍ର ବନ ବିଭାଗ ହାତରେ ଧରାପଡ଼ିଲା । ଜବତ ହେଲା କାଠ। ଓଡ଼ିଶାରୁ କାଠ ଚୋରା ଚାଲାଣ ହୋଇ ମାଲାମାଲ ହେଉଛନ୍ତି ଉଭୟ ପକ୍ଷର ସରକାରୀ ଓ ବେସରକାରୀ ଦଲାଲ।
ଘଟଣାଟି ଘଟିଛି ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ବେଲପାହାଡ଼ ରେଞ୍ଜ ଅର୍ନ୍ତଗତ ଲଖନପୁର ବ୍ଲକର କନକତୋରା ଅଞ୍ଚଳରେ। ଏକ ନମ୍ବର ବିହୀନ ଟ୍ରାକ୍ଟରରେ ପ୍ରାୟ ୭୦ ସିଏଫଟି କାଠ ଚୋରାରେ ବାଦିମାଲରୁ ଛତିଶଗଡ଼କୁ ଚାଲାଣ ହେବା ବେଳେ ଜବତ ହୋଇଛି। କିନ୍ତୁ ବନ ବିଭାଗର କର୍ମଚାରୀମାନଙ୍କୁ ଦେଖି ଟ୍ରାକ୍ଟର ଚାଳକ ଓ ଅନ୍ୟ କାଠଚୋରମାନେ ମଝି ରାସ୍ତାରେ ଟ୍ରାକ୍ଟର ଛାଡ଼ି ଚମ୍ପଟ ମାରିଥିଲେ। ବନ ବିଭାଗ ତରଫରୁ ପ୍ରକାଶ ଯେ ଟ୍ରାକ୍ଟରରେ ବହୁମୂଲ୍ୟ ନିମ୍ବ, ଅର୍ଜୁନ ଗଛର ଗଣ୍ଡି ରହିଥିଲା। ଆକଳନ ଅନୁସାରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ।
ସୂଚନାଯୋଗ୍ୟ ଯେ ଛତିଶଗଡ଼ ଓ ଓଡ଼ିଶା ସୀମାରେ ବିସ୍ତୃତ ଅଞ୍ଚଳରେ ଜଙ୍ଗଲ ଲାଗି ରହିଛି। ବିଭିନ୍ନ ଅପରାଧମୂଳକ କାର୍ଯ୍ୟ କରୁଥିବା ଅପରାଧିଙ୍କ ପାଇଁ ଏହା ସ୍ବର୍ଗ। ପ୍ରତ୍ୟେକ ମାସ ଏଠାରୁ ଲକ୍ଷ ଲକ୍ଷ ଟଙ୍କାର କାଠ ଚୋରା ଚାଲାଣ ହୁଏ ବୋଲି ସ୍ଥାନୀୟ ବାସିନ୍ଦା କହନ୍ତି। ମାତ୍ର ଏହାକୁ ନେଇ ଉଭୟ ପକ୍ଷର ବନ ବିଭାଗ ଯେପରି ସତର୍କତା ଅବଲମ୍ବନ କରିବା କଥା ତାହା ହେଉନାହିଁ। ଏହିପରି ଲାଗି ରହିଲେ, ଏହି ଜଙ୍ଗଲ ଓ ତା ଉପରେ ନିର୍ଭରଶୀଳ ଲୋକେ ଭବିଷ୍ୟତରେ ବିପଦର ସମ୍ମୁଖୀନ ହେବେ, ଏଥିରେ ସନ୍ଦେହ ନାହିଁ।