ମାନସିକ ବିକାରଗ୍ରସ୍ତ ନାବାଳକ ଫେରିଲା, ମା'କୁ ଚିହ୍ନିଲା ନାହିଁ।
ସଂପୂର୍ଣ୍ଣ ସୁସ୍ଥ ହେବା ପରେ ପରିବାରକୁ ହସ୍ତାନ୍ତର କରାଯିବ: ଚାଇଲ୍ଡଲାଇନ।
ଝାରସୁଗୁଡ଼ା(ସୁଭାଷ ସହାରେ): ଝାରସୁଗୁଡ଼ା ସହର ନିକଟବର୍ତ୍ତୀ ଲହଣ୍ଡାବୁଡ଼ ଗ୍ରାମର ବିଶାଳ ବୁଡ଼ା ତିନି ବର୍ଷ ପୂର୍ବରୁ ଘର ଛାଡ଼ି କେଉଁ ଆଡ଼କୁ ଚାଲି ଯାଇଥିଲା। ପରିବାରର ଲୋକେ ଖୋଜି ଖୋଜି କିଛି ପତ୍ତା ପାଇଲେ ନାହିଁ। କିନ୍ତୁ ମା'ର ଭରସା ମାନସିକ ବିକାର ଥିବା ଛୁଆର କେହି କିଛି କରିବ ନାହିଁ। ଶେଷରେ ମା'ର ବିଶ୍ୱାସ ସତ ହେଲା। ରାଜ୍ୟ ପରେ ରାଜ୍ୟ ସନ୍ଧାନ କରି ଚାଇଲ୍ଡଲାଇନ ଯୋଗୁଁ ବିଶାଳ ଶେଷରେ ପହଞ୍ଚିଲା ନିଜ ରାଜ୍ୟକୁ ।ବର୍ତ୍ତମାନ ସୁଦ୍ଧା ମାନସିକ ଭାରସାମ୍ୟ ଠିକ୍ ନଥିବା ବିଶାଳକୁ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ। ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାର ଚିକିତ୍ସା ଦାୟିତ୍ବ ନେବ ଜିଲ୍ଲା ଶିଶୁ ସୁରକ୍ଷା ସମିତି।
ସୂଚନା ଅନୁସାରେ, ବିଶାଳର ବାପା ମଧ୍ୟ ମାନସିକ ବିକାରଗ୍ରସ୍ତ ଥିଲେ। କିଛି ବର୍ଷ ପୂର୍ବରୁ ସେ ମଧ୍ଯ ଘର ଛାଡ଼ି ପଳାଇଥିଲେ। ନିଜ ମାଆ ପାଖରେ ରହୁଥିବା ବିଶାଳର ମଧ୍ୟ ମାନସିକ ବିକାରର ସମସ୍ୟା ରହିଥିଲା। ମାତ୍ର ଦିନେ ବାପ ଭଳି ସେ ମଧ୍ୟ ନିଜ ଘର ଛାଡ଼ି ଚାଲିଗଲା। ଯାଇ ପହଞ୍ଚିଥିଲା ନାଗପୁର। ନାଗପୁର ରେଳ ଷ୍ଟେସନରେ ଚାଇଲ୍ଡଲାଇନ ଦ୍ଵାରା ଉଦ୍ଧାର ହେବା ପରେ ନିଜ ଠିକଣା କହିବାକୁ ଅସମର୍ଥ ହେବାରୁ ତାକୁ ଉତ୍ତରପ୍ରଦେଶ ପଠାଇ ଦିଆଗଲା। ମାତ୍ର ସେଠାରେ ସେ ଓଡ଼ିଆ ବୋଲି ଜଣାପଡ଼ିବାରୁ ତାକୁ ଭୁବନେଶ୍ବର ଅଣାଯାଇଥିଲା। ନିଜକୁ କଳାହାଣ୍ଡିର ବୋଲି କହୁଥିବା ବିଶାଳକୁ ପ୍ରଥମେ ଖୋର୍ଦ୍ଧା ଚାଇଲ୍ଡଲାଇନରେ ରଖାଗଲା। ସେଠାରୁ ତାର ଫଟୋ ସବୁ ଆଡ଼କୁ ପଠାଯିବା ପରେ ଝାରସୁଗୁଡ଼ା ଚାଇଲ୍ଡଲାଇନ ବିଶାଳକୁ ଚିହ୍ନଟ କରି ତାର ପରିବାରକୁ ଖବର ଦେଇଥିଲେ।ମା' ଓ ମାମୁଁ ପହଞ୍ଚିବା ପରେ କିନ୍ତୁ ସେମାନଙ୍କୁ ଚିହ୍ନି ପାରିଲା ନାହିଁ ନିଜ ଛୁଆ। ତିନି ବର୍ଷ ମଧ୍ୟରେ ତାର ମାନସିକ ଅବସ୍ଥା ଆହୁରି ବିଗିଡ଼ି ଯାଇଅଛି। ତେଣୁ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାକୁ ପରିବାରକୁ ହସ୍ତାନ୍ତର କରା ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ସମିତି।
ଝାରସୁଗୁଡ଼ା ଜିଲ୍ଲାର ୨୮ ଜଣ ଶିଶୁ ଏହିପରି ନିଖୋଜ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଗକୁ ସରକାରଙ୍କ ପରୀ ଯୋଜନା ଭଳି ଅନ୍ୟାନ୍ୟ ଯୋଜନାରେ ଆହୁରି ଶିଶୁ ଫେରି ଆସିବାର ସମ୍ଭାବନା ରହିଛି ବୋଲି ଲୋକଙ୍କ ମତ।