ଆବଶ୍ୟକ ଥିବା ଅନ୍ୟାନ୍ୟ ସରଞ୍ଜାମର ଏକ ତାଲିକା ମାଗିଲେ ବିଧାୟକ ବିଜୟ ରଞ୍ଜନ ସିଂ ବରିହା
ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଗତ ଏକ ବର୍ଷ ହେବ ବାମ ଗୋଡ଼ର ଆଣ୍ଠୁ ତଳକୁ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ । ମୁଖ୍ୟତଃ ଲକଡାଉନ ପରେ ତାଙ୍କର ଏହି ଯନ୍ତ୍ରଣା ଧୀରେ ଧୀରେ ଆହୁରି ଅସହ୍ୟ ହେବାରେ ଲାଗିଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଡାକ୍ତରଙ୍କର ପରାମର୍ଶ ନେବା ସହିତ ଅନେକ ଔଷଧ ଖାଇବା ସହିତ ଅନେକ ଦାମୀ ଇଂଜେକସନ ମଧ୍ୟ ନେଇଥିଲେ ବିଧାୟକ । ହେଲେ କୋଣସି ପ୍ରକାର ଉପଶମ ନହେବାରୁ ବିଧାୟକ ଶ୍ରୀ ବରିହା ନୃସିଂହନାଥ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସା କରେଇବା ଆରମ୍ଭ କରିଥିଲେ । ବିଧାୟକଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସମୂହଙ୍କର କହିବା ମୁତାବକ ବିଭିନ୍ନ ପ୍ରକାର ପରୀକ୍ଷା ପରେ ବିଧାୟକ ଙ୍କୁ କଟିବାତ ଓ ସନ୍ଧିବାତ ହୋଇଥିବା ଜଣାପଡ଼ିଛି । ରୋଗ ନିରୂପଣ ହେବା ପରେ ମହାବିଦ୍ୟାଳୟ ର ବିଶେଷଜ୍ଞଙ୍କର ଉପସ୍ଥିତରେ ଆୟୁର୍ବେଦର ବିଭିନ୍ନ ପଦ୍ଧତିରେ ଚିକିତ୍ସା କରାଯାଇଛି । ବିଶେଷଜ୍ଞଙ୍କର ପ୍ରଦାନ କରାଯାଇଥିବା ପରାମର୍ଶ ଅନୁସାରେ ବିଧାୟକଙ୍କୁ ନିୟମିତ ଭାବରେ ଅଭ୍ୟଙ୍ଗ , ପତ୍ରପିଣ୍ଡି ସ୍ବେଦ ଓ ଫିଜିଓଥେରାପି ପ୍ରଦାନ କରାଯାଇଛି । ଏହା ସହିତ ଔଷଧ ମଧ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଥମ ଦିନ ଅପେକ୍ଷା ଆଜିର ଥେରାପି ପରେ ଅନେକାଂଶରେ ରିଲିଫ ଅନୁଭବ କରୁଛନ୍ତି ଓ ଗୋଡ଼ର ଯନ୍ତ୍ରଣା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି ବୋଲି ନିଜେ ଅନୁଭବ କରୁଥବା ବିଧାୟକ ପ୍ରକାଶ କରିଛନ୍ତି । ବିଶେଷଜ୍ଞ ଡାକ୍ତରମାନଙ୍କର କହିବା ମୁତାବକ ବିଧାୟକ ଆବଶ୍ୟକତା ମୁତାବକ ଚିକିତ୍ସା କରାଯାଉଛି । ବିଧାୟକଙ୍କର ମନୋବଳ ଅତ୍ୟନ୍ତ ଦୃଢ଼ ଥିବାରୁ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ଯନ୍ତ୍ରଣାରୁ ମୁକ୍ତ ହେବେ ବୋଲି ଜଣାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଏହି ମହାବିଦ୍ୟାଳୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ବାତ ରୋଗୀ ସ୍ଥାୟୀ ଚିକିତ୍ସା ପାଇଁ ଆସିଥାନ୍ତି । ଏହି ଅନୁଷ୍ଠାନକୁ ରୋଗୀ ଆସିବା ସମୟରେ ବିନା ସାହାଯ୍ୟରେ ଚଲବୁଲା କରିବାକୁ ଅସମର୍ଥ ଥାନ୍ତି । ଏହି ରୋଗୀ ମାନଙ୍କର ଅସୁବିଧାକୁ ଅନୁଭବ କରିବା ସହିତ ସ୍ଵଚକ୍ଷୁ ରେ ଦେଖିଥିଲେ ବିଧାୟକ । ତେଣୁ ଯଥା ଶୀଘ୍ର ରୋଗୀଙ୍କର ସୁବିଧା ପାଇଁ ଏକ ଲିଫ୍ଟ ଲଗା ଯିବ ବୋଲି ଆଜି ବିଧାୟକ କହିଛନ୍ତି । ଏହା ସହିତ ମହାବିଦ୍ୟାଳୟରେ ଆବଶ୍ୟକ ଥିବା ଅନ୍ୟାନ୍ୟ ସରଞ୍ଜାମର ଏକ ଲିଷ୍ଟ ପ୍ରଦାନ କରିବାକୁ ସେ ମହାବିଦ୍ୟାଳୟ ର ଆଡ଼ମିନିଷ୍ଟ୍ରେଟର ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ଅଧ୍ୟକ୍ଷା ଡାକ୍ତର କାମିନୀ କରଙ୍କୁ କହିଛନ୍ତି ।