"ମନ୍ଦିର ବାହାରକୁ ଆସିଥିବା ସୋଲ ଚନ୍ଦ୍ରସୂର୍ଯ୍ୟ ନାଗାର୍ଜୁନ ବେଶରେ ଲାଗି ହୋଇନଥିଲା"
ଲାଗି ହୋଇଥିବା ଚନ୍ଦ୍ରସୂର୍ଯ୍ୟ ଓ ସମସ୍ତ ବେଶ ସାମଗ୍ରୀ ନୀଳାଦ୍ରି ବିହାର ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଇଛି
ପୁରୀ (ଶାସକ ପ୍ରଶାସକ) : ଶ୍ରୀଜୀଉଙ୍କ ନାଗାର୍ଜ୍ଜୁନ ବେଶରେ ଲାଗି ହୋଇଥିବା ଚନ୍ଦ୍ରସୂର୍ଯ୍ୟ ବାହାରକୁ ଆସିବା ନେଇ କିଛିଦିନ ଧରି ଚାଲିଥିବା ହଇଚଇରେ ଆଜି ପୂର୍ଣ୍ଣଛେଦ ପକାଇଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାରଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ତଦନ୍ତର ରିପୋର୍ଟରୁ | ସାଧାରଣ କଥାରେ କହିଲେ ଶ୍ରୀଜୀଉଙ୍କ ନାଗାରଜ୍ଜୁନ ବେଶର କୌଣସି ଚନ୍ଦ୍ରସୂର୍ଯ୍ୟକୁ କେହି "ଗ୍ୟାପ" ବା ଗାଏବ କରିନାହାନ୍ତି , ଇଏ ଗୋଟେ "କମ୍ୟୁନିକେସନ ଗ୍ୟାପ" ବା ବୁଝାମଣାରେ ଭୁଲ | ମାନେ ଯେଉଁ ଚନ୍ଦ୍ରସୂର୍ଯ୍ୟ ବାହାରକୁ ଆସିଥଲା ବୋଲି କୁହାଯାଉଛି, ସେ ଚନ୍ଦ୍ରସୂର୍ଯ୍ୟ ଶ୍ରୀଜୀଉଙ୍କ ଠାରେ ଜମା ଲାଗି ହୋଇନଥିଲା | ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ସ୍ପଷ୍ଟିକରଣରୁ ଏହା ସ୍ପଷ୍ଟ ହୋଇଛି |
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି କୋଇଥିବା ବିବୃତିରେ କିହଯାଇଛି ଯେ ଆସି ଶ୍ରୀମନ୍ଦିରରେ ଗତ ତା ୨୭ ତାରିଖ ରେ ଅନୁଷ୍ଠିତ ହୋଇଥିବା ପବିତ୍ର ନାଗାର୍ଜୁନ ବେଶର ସୋଲ ଚନ୍ଦ୍ରସୂର୍ଯ୍ୟ କେହି ନେଇ ଯାଇଥିବାର ଅଭିଯୋଗ ହୋଇଥିଲା । ଗତ ତା. ୨୮ତାରିଖ ଦିନ ଜନୈକ ବ୍ୟକ୍ତି ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଧରି ଶ୍ରୀମନ୍ଦିର ବାହାରକୁ ଆସିବା ବେଳେ ତାଙ୍କ ପ୍ରତିକ୍ରିୟା ନେବା ସହ ନାଗାର୍ଜୁନ ବେଶର ସୋଲ ଚନ୍ଦ୍ରସୂର୍ଯ୍ୟ ମନ୍ଦିର ବାହାରକୁ ଆସିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହାକୁ ଗୁରୁତ୍ବର ସହ ନେଇ ମୁଖ୍ୟ ପ୍ରଶାସକ ସମଗ୍ର ଘଟଣା ଉପରେ ସବିଶେଷ ତଦନ୍ତ କରିବାକୁ ନୀତି ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ମତେ ନୀତି ପ୍ରଶାସକ ସବିଶେଷ ତଦନ୍ତ କରିଛନ୍ତି ।
ତଦନ୍ତରୁ ଜଣାପଡିଛି ଯେ, ଏବର୍ଷ ହରଚଣ୍ଡି ସାହିର ଚକ୍ରକୋଟ ଶ୍ରୀ ବଳରାମ ଖୁଣ୍ଟିଆ ନାଗାର୍ଜୁନ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଯୋଗାଇଥିଲେ । ତାଙ୍କ ବାସଭବନରେ ଶ୍ରୀ ଖୁଣ୍ଟିଆ କାରିଗର ନିୟୋଜିତ କରି ବେଶ ନିର୍ମାଣ କରିଥିଲେ । ବେଶ ନିର୍ମାଣ ସମୟରେ ବେଶରେ ଲାଗିବାକୁ ଥିବା ସାମଗ୍ରୀର ତାଲିକା ଶ୍ରୀମନ୍ଦିର କମାଣ୍ଡର 1994 ମସିହାରେ ଅନୁଷ୍ଠିତ ନାଗାର୍ଜୁନ ବେଶ ସାମଗ୍ରୀ ତାଲିକା ଆଧାରରେ ମୁଖ୍ୟ କାରିଗର ଶ୍ରୀ ବସନ୍ତ କୁମାର ରଣାଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଏହା ପରେ ବି ତାଲିକା ବାହାରେ ସୋଲର ଦୁଇଟି ସେଟ୍ ଚନ୍ଦ୍ରସୂର୍ଯ୍ୟ ଶ୍ରୀ ରଣା ତିଆରି କରିଥିଲେ । ନାଗାର୍ଜୁନ୍ ବେଶ ଦିନ ଭୋରରୁ ଦାତା ଏବଂ କାରିଗରମାନେ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆଣିଥିଲେ । ସେହି ବେଶ ସାମଗ୍ରୀରେ ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଲାଗି ଥିଲା । ତେବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ସୁବର୍ଣ୍ଣ ଚନ୍ଦ୍ରସୂର୍ଯ୍ୟ ଲାଗି କରାଯାଉଥିବାର ବିଧି ଥିବାରୁ ଶ୍ରୀମନ୍ଦିର ମେକାପ ସେବକ ସେହି ସୋଲର ଚନ୍ଦ୍ରସୂର୍ଯ୍ୟକୁ ବେଶ ସାମଗ୍ରୀରୁ ବାହାର କରିବାକୁ କାରିଗରଙ୍କୁ ପରାମର୍ଶ ଦେଇଥିଲେ ।
ତତ୍ପରେ ନାଟମଣ୍ଡପରେ ବେଶ ସାମଗ୍ରୀମାନ ରଖାଯାଇଥିବା ସମୟରେ କାରିଗର ସେହି ସୋଲର ଚନ୍ଦ୍ରସୂର୍ଯ୍ୟକୁ ବେଶ ସାମଗ୍ରୀରୁ ବାହାର କରିନେଇଥିଲେ ଏବଂ କମାଣ୍ଡର ପୂର୍ବରୁ ଦେଇଥିବା ତାଲିକା ବାହାରେ କୌଣସି ଜିନିଷ କାରିଗରଙ୍କ ଦ୍ବାରା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇ ନଥିଲା । କମାଣ୍ଡର ପୂର୍ବରୁ ଦେଇଥିବା ତାଲିକା ଅନୁସାରେ ହିଁ ମହାପ୍ରଭୁଙ୍କ ବେଶରେ ସାମଗ୍ରୀମାନ ଲାଗି କରାଯାଇଥିଲା । ଏହାପରେ ବାହାର କରାଯାଇଥିବା 2ଟି ସେଟ୍ ଚନ୍ଦ୍ରସୂର୍ଯ୍ୟ ମଧ୍ୟରୁ ଗୋଟିଏକୁ ଭଣ୍ଡାର ମେକାପ ଶ୍ରୀ ମଧୁସୂଦନ ମେକାପ ବ୍ୟକ୍ତିଗତ ଅନୁରୋଧରେ ଭଣ୍ଡାର ଲୋକନାଥଙ୍କୁ ଲାଗି କରିବାକୁ କାରିଗରଙ୍କଠାରୁ ନେଇଥିଲେ । ସେହିପରି ଦ୍ବିତୀୟ ସେଟକୁ ଦଇତା ସେବକ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ବ୍ୟକ୍ତିଗତ ଅନୁରୋଧରେ କାରିଗରଙ୍କ ଠାରୁ ନୀଳମାଧବଙ୍କୁ ଲାଗି କରିବାକୁ ନେଇଥିଲେ । ଲାଗିପରେ ଏହାକୁ ଶ୍ରୀ ଦାସମହାପାତ୍ର ଶ୍ରୀମନ୍ଦିର ଗାରଦରେ ରଖିଥିଲେ ଏବଂ ନଭେମ୍ବର 28 ତାରିଖ ସକାଳେ ନିଜ ଘରକୁ ସମ୍ପୃକ୍ତ ବ୍ୟକ୍ତି ଦ୍ୱାରା ମଗାଇ ନେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ସେହି ସୋଲର ଚନ୍ଦ୍ରସୂର୍ଯ୍ୟକୁ ଶ୍ରୀ ଦାସମହାପାତ୍ରଙ୍କୁ ଦେବାକୁ ନେବା ବେଳେ ଉପସ୍ଥିତ ଥିବା ଗଣମାଧ୍ୟମର ଧ୍ୟାନ ଆକର୍ଷଣ ହୋଇଥିଲା।
ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିବାକୁ ଚାହେଁ ଯେ, ଯେଉଁ ଚନ୍ଦ୍ରସୂର୍ଯ୍ୟକୁ ନେଇ ଚର୍ଚ୍ଚା କିମ୍ବା ଅଭିଯୋଗ ହେଉଛି, ତାହା ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ବେଶ ସାମଗ୍ରୀର ଅଂଶ ବିଶେଷ ନୁହେଁ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଛି । ବେଶ ଦିନ ଓଲାଗି ପରେ ମହାପ୍ରଭୁଙ୍କ ଲାଗି ହୋଇଥିବା ସମସ୍ତ ବେଶ ସାମଗ୍ରୀ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଇଛି ।