ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜରୁରୀ କାଳୀନ ପରିସ୍ଥିତିରେ ନଗଦ ଟଙ୍କା ପାଇଁ ଲୋକେ ଦୌଡ଼ି ଆସନ୍ତି ଏଟିଏମ୍ ନିକଟକୁ I କିନ୍ତୁ ଏଟିଏମ୍ ବନ୍ଦ ଥିବା ଦେଖି ନିରାଶ ହେବା ସହିତ ନିଜ ବ୍ୟାଙ୍କ୍ ଖାତାରେ ଟଙ୍କା ଥିଲେ ମଧ୍ୟ ଜରୁରୀ ଆବଶ୍ୟକତା ମେଣ୍ଟାଇବା ପାଇଁ ସାଙ୍ଗ ସାଥୀଙ୍କ ନିକଟରେ ହାତ ପାତି ନଗଦ ଟଙ୍କା ମାଗିଥାନ୍ତି I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗାଙ୍ଗପୁର ଉପକଣ୍ଠରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ରେ I ସୂଚନା ପ୍ରକାରେ ଗାଙ୍ଗପୁର ଗ୍ରାମଟି ଓଡ଼ିଶା ରାଜନୈତିକ ମାନଚିତ୍ରରେ ଏକ ପ୍ରମୁଖ ଗ୍ରାମ ହୋଇଥିବା ବେଳେ ଏହି ଗ୍ରାମ ଉପରେ ବେଲଗୁଣ୍ଠା ବ୍ଳକ୍ ସମେତ ନିକଟସ୍ଥ ସୋରଡ଼ା, ଧରାକୋଟ ଏବଂ ଆସିକା ବ୍ଳକ୍ ର ମଧ୍ୟ ବିଭିନ୍ନ ଗ୍ରାମର ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରିଥାନ୍ତି I ଏହି ସବୁ ଅଞ୍ଚଳର ଲୋକଙ୍କ ଆବଶ୍ଯକତାକୁ ଦୃଷ୍ଟିରେ ରଖି 2011 ମସିହାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ଏକ ଶାଖା ଖୋଲାଯାଇଥିଲା I କିଛି ବର୍ଷ ମଧ୍ୟରେ ବ୍ୟାଙ୍କ୍ ପାର୍ଶ୍ୱରେ ହିଁ ଏକ ଏଟିଏମ୍ ସ୍ଥାପନ କରାଯାଇଥିଲା I ବ୍ୟାଙ୍କ୍ ପ୍ରତିଷ୍ଠା ପର ଠାରୁ ହିଁ ଏହି ବ୍ୟାଙ୍କ୍ ର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା I ବର୍ତ୍ତମାନ ଏହି ବ୍ୟାଙ୍କ୍ ଏବଂ ଏହାର ଏଟିଏମ୍ ଉପରେ ଗାଙ୍ଗପୁର ଗ୍ରାମ ପଂଚାୟତର ସମସ୍ତ ଗ୍ରାମ ସମେତ ନିକଟସ୍ଥ ଖଇରପୁଟି,ପାଇଲିପଡ଼ା,କ୍ଷତ୍ରିୟବରପୁର,ଶାସନ, ଆସିକା ବ୍ଳକ୍ ର ମୁନିଗାଡ଼ି,ସିଙ୍ଗିପୁର,ଖୁକୁଣ୍ଡିଆ,ଧରାକୋଟ ବ୍ଳକ୍ ର ଝାଡ଼ବନ୍ଧ,ପଣିବନ୍ଧ,ଦିଗି,ଜାହାଡା, ସୋରଡା ବ୍ଳକ୍ ର ପଳାସପଲ୍ଲୀ,ଗୁଡ଼ିବନ୍ଧ ଆଦି ଗ୍ରାମରୁ ପାଖାପାଖି ଚାଳିଶି ହଜାର ଗ୍ରାହକ ନିର୍ଭର କରନ୍ତି I କିନ୍ତୁ ଗ୍ରାହକ ସଂଖ୍ୟା ବଢ଼ିଥିଲେ ମଧ୍ୟ ତଦନୁଯାୟୀ ବ୍ୟାଙ୍କ୍ ର ସୁବିଧା ସୁଯୋଗ ବଢ଼ି ପାରି ନାହିଁ I ଆବଶ୍ଯକ କର୍ମଚାରୀ ଅଭାବରୁ ଗୋଟିଏ କାମ ପାଇଁ ବ୍ୟାଙ୍କ୍ ରେ ଲମ୍ବା ସମୟ ଲାଗୁଥିବା ବେଳେ ଆବଶ୍ଯକ ସ୍ଥାନ ଅଭାବରୁ ବ୍ୟାଙ୍କ ଭିତରେ ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହେଉଛି I ସରକାର ବ୍ୟାଙ୍କ୍ ଖାତା ଖୋଲିବା ପାଇଁ ପ୍ରୋତ୍ସାହିତ କରୁ୍ଥିବା ବେଳେ ଏହି ବ୍ୟାଙ୍କ୍ ରେ ଖାତାଟିଏ ଖୋଲିବା ପାଇଁ ମାସାଧିକ ସମୟ ଲାଗୁଛି I ସାଧାରଣ ଟଙ୍କା ଉଠାଣ ଏବଂ ଜମା ପାଇଁ ତିନି ଘଣ୍ଟାରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଛି I ବହୁ ସମୟରେ ଲୋକେ ଦିନ ସାରା ଅପେକ୍ଷା କଲା ପରେ ମଧ୍ୟ କାମ ନହୋଇପାରିବା ଯୋଗୁଁ ନିରାଶରେ ଫେରୁଛନ୍ତି I ଏହି ବ୍ୟବସ୍ଥାକୁ ଅଧିକ ଯନ୍ତ୍ରଣା ଦାୟକ କରୁଛି ଏହାର ଏଟିଏମ୍ ଅବ୍ୟବସ୍ଥା I ଏଟିଏମ୍ ଟି ସ୍ଥାପନ ପରଠାରୁ ହିଁ ଏହା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି I ପ୍ରାୟ ଚାଳିଶି ହଜାର ଗ୍ରାହକଙ୍କ ପାଇଁ ଗୋଟିଏ ମାତ୍ର ଏଟିଏମ୍ ଥିବାରୁ ଏହା ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି I ବହୁ ସମୟରେ ଏଟିଏମ୍ ରେ ନଗଦ ଟଙ୍କା ରହୁ ନଥିବା ବେଳେ ଏହି ମେସିନ୍ ବାରମ୍ବାର ଖରାପ ହେବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଥରେ ଏହି ମେସିନ୍ ଖରାପ ହେଲେ ସପ୍ତାହ ସପ୍ତାହ ଧରି ମରାମତି ନହୋଇ ବନ୍ଦ ହୋଇ ରହୁଛି I ଏଥିପାଇଁ ଲୋକେ ବିଶେଷ କରି ଶନିବାର,ରବିବାର ଏବଂ ବ୍ୟାଙ୍କ୍ ଛୁଟି ଥିବା ସମୟରେ ନିଜର ଆବଶ୍ଯକ ନଗଦ ରାଶି ଉଠାଇ ପାରୁ ନାହାଁନ୍ତି I ଏଥିପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ପାରୁନାହିଁ I ଏନେଇ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଏଜେନ୍ସି ପରସ୍ପର କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ ଲୋକେ ନିଜ ସମସ୍ୟା ସମ୍ପର୍କରେ କାହାକୁ ଜଣାଇବେ ଜାଣି ପାରୁନାହାଁନ୍ତି I ଏପଟେ ଏଟିଏମ୍ ର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ଯେ କେହି ବି ନାକ ଟେକିବ I ବର୍ଷ ବର୍ଷ ଧରି ଏହାର କବାଟ ନଥିବା ଯୋଗୁଁ ରାତିରେ ବୁଲା କୁକୁରଙ୍କ ବିଶ୍ରାମସ୍ଥଳ ପାଲଟିଛି ଗାଙ୍ଗପୁର ଏଟିଏମ୍ I ଏହି ଅବ୍ୟବସ୍ଥା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି I ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଗାଙ୍ଗପୁର ଠାରେ ଅଧିକ ଏଟିଏମ୍ ମେସିନ୍ ଏବଂ ଟଙ୍କା ଜମା ମେସିନ୍ ସ୍ଥାପନ କରିବା ପାଇଁ ଅଞ୍ଚଳବାସୀ କୌଣସି କରିଛନ୍ତି I
ରାଜ୍ୟ
ଅବ୍ୟବସ୍ଥା ଘେରରେ ଗାଙ୍ଗପୁର ଏଟିଏମ୍; ସପ୍ତାହ ସପ୍ତାହ ଧରି ହେଉଛି ଅକାମୀ ; ଗ୍ରାହକ ହନ୍ତସନ୍ତ
- Hits: 6