ହେଡଲାଇନସ୍:

ସରିଲା କୋଣାର୍କ ଉତ୍ସବ, ପୁଣି ଆର ବରଷକୁ ଅପେକ୍ଷା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶୀରେ କୃଷ୍ଣଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ

କୋଣାର୍କ (ଶାସକ ପ୍ରଶାସକ) : ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ  । ଅବସର ଥିଲା ପର୍ଯ୍ୟଟନ ବିଭାଗ ଆୟୋଜିତ କୋର୍ଣାକ ଉତ୍ସବର ଉଦ୍‍ଯାପନୀ ସଂଧ୍ୟା  । ଉଜ୍ୱଳ ଆଲୋକ ଓ ଶୋଭନୀୟ ସାଜସଜ୍ଜାରେ ମୁକ୍ତାକାଶ ମଞ୍ଚ ସ୍ୱାଗତ କରିଥିଲା ଶାସ୍ତ୍ରୀୟ ନୃତ୍ୟର ପ୍ରଖ୍ୟାତ ଶିଳ୍ପୀଗଣଙ୍କୁ  । 

ପ୍ରଥମ ଚରଣରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରସ୍ତୁତି ଥିଲା ଦେବ ଆରାଧନା ସମ୍ବଳିତ ମଙ୍ଗଳାଚରଣ ଓ ଶଙ୍କରାଭରଣ ପଲ୍ଲବୀ  । ଶୁଦ୍ଧ ନୃତ୍ୟ ପଲ୍ଲବୀରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଓ ଗୁରୁ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ସଂଯୋଜନାକୁ ନିଖୁଣଭାବେ ପରଶି ଦେଇଥିଲେ ଗବେଷଣା କେନ୍ଦ୍ରର ସଫଳ ସୃଷ୍ଟିଗଣ  । ଏହାପରେ ପି. ଭି. କୃଷ୍ଣମୂର୍ତ୍ତିଙ୍କ ପରିକଳ୍ପନା ଆଧାରରେ ଗବେଷଣା କେନ୍ଦ୍ରରେ ସଂଯୋଜିତ ହୋଇଥିବା ନୃତ୍ୟାଭିନୟ କୃଷ୍ଣଗାଥାକୁ ଉପସ୍ଥାପନ କରିଥିଲେ ଶିଳ୍ପୀ ବୃନ୍ଦ  । ଓଡ଼ିଶାର ମଧ୍ୟଯୁଗୀୟ ବୈଷ୍ଣବ କବିମାନଙ୍କର ରଚନାକୁ ନେଇ ରାଧା-କୃଷ୍ଣଙ୍କ ପ୍ରତି ବିଳାସର ଏକ ସମ୍ପୂର୍ଣ୍ଣ ଚିତ୍ରକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀମାନେ  । ଓଡ଼ିଶୀ, ଚମ୍ଭୁ, ଛାନ୍ଦ ଓ ଗୀତଗୋବିନ୍ଦର ମଧୁର ପଦାବଳୀରେ ବେଶ ମନଛୁଆଁ ଥିଲା  । ଗୁରୁ କେଳୁଚରଣ ମହାପାତ୍ରଙ୍କ ସଂଯୋଜିତ ନୃତ୍ୟ, କସ୍ତୁରୀ ପଟ୍ଟନାୟକଙ୍କ ନିଦେ୍ର୍ଧଶନା ଓ ପରିଚାଳନାରେ ଗବେଷଣା କେନ୍ଦ୍ରର ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା  । 

ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କଥକ ନୃତ୍ୟକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ଅଦିତି ମଙ୍ଗଳ ଦାସ ଓ ସାଥୀ ଶିଳ୍ପୀ  । ଦିଲ୍ଲୀସ୍ଥିତ ଦୃଷ୍ଟିକୋଣ ଡ଼୍ୟାନ୍ସ ଫାଉଣ୍ଡେସନର ଶିଳ୍ପୀଗଣଙ୍କ ପରିବେଷଣରେ ପ୍ରେମର ନିରନ୍ତରତାକୁ ନେଇ ପ୍ରସ୍ତୁତ ହୋଇଥିଲା କଥକ ଶୈଳୀରେ ଫିଦା  । ଫିଦାର ପ୍ରଥମ ନିବେଦନ ଥିଲା ଗଣେଶ ସ୍ତୁତି  । ପ୍ରେମରେ ଭାକ୍ତିକ ସମର୍ପଣର ଚେତନାକୁ ତୋଳି ଧରିଥିଲେ ଶିଳ୍ପୀଗଣ  । ପରେ ପରେ ପ୍ରେମରେ ଭାବ ଓ ଉଚ୍ଛ୍ୱାସର ତରଙ୍ଗକୁ ମଞ୍ଚରେ ଖେଳାଇ ଦେଇଥିଲେ ନୃତ୍ୟାଙ୍ଗନା  । ସଙ୍ଗୀତ ସଂଯୋଜନାକୁ ନେଇ ଗଙ୍ଗା ଯମୁନା ଓ ସ୍ୱରସ୍ୱତୀଙ୍କର ତ୍ରୀବେଣୀକୁ ଗାୟନ ଓ ବାଦନରେ ଶିଳ୍ପୀ ପରସି ଦେଇଥିବା ବେଳେ କଥକର ଅନ୍ତିମ ପ୍ରସ୍ତୁତି ଥିଲା ପ୍ରେମର ସମ୍ମୋହ  ।

ପାଞ୍ଚଦିନ ବ୍ୟାପି କୋଣାର୍କ ଉତ୍ସବର ଅନ୍ତିମ ସଂଧ୍ୟାରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଆ ଭାଷ. ସାହିତ୍ୟ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ କୁମାର ଦେବ୍‍ ଏବଂ ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ସଚିନ କୁମାର ଯାଦବ  ।  ଅଧ୍ୟାପକ ଡ଼. ମୃତୁ୍ୟଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ଅଧିକାରୀ, ସଙ୍ଗୀତ ନାଟକ ଏକାଡେ଼ମୀ ସଚିବ ଓ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ପରିଚାଳନାରେ ସହାୟତା କରିଥିଲେ  ।

ସେପଟେ ଚନ୍ଦ୍ରଭାଗାର ବେଳାଭୁମିରେ ଆନ୍ତର୍ଜାତୀୟ ବାଲୁକାକଳାର ସୁନ୍ଦର ପଦର୍ଶନୀକୁ ଦେଖିବା ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା  । ଏବେ କୋଭିଡ଼ କଟକଣା ନିୟମ ଅନୁପାଳନରେ ସମସ୍ତଙ୍କୁ ଶୃଙ୍ଖଳିତ ଭାବେ ପରିକ୍ରମା କରିବାର ସୁଯୋଗ ଦିଆଯାଇଥିଲା  । 

 

0
0
0
s2sdefault