ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ୨୦୩୦ ସୁଦ୍ଧା ଭାରତବର୍ଷକୁ ଏଡସ ସଂକ୍ରମଣରୁ ମୁକ୍ତ କରିବାକୁ ପ୍ରତି ସ୍ତରରେ ନମନୀୟତା ଏବଂ ପ୍ରଭାବ ବିସ୍ତାର କରି ଏହାକୁ ସମାପ୍ତ କରିବାକୁ ଆଜି ବିଶ୍ୱ ଏଡସ ଦିବସରେ ଆହ୍ୱାନ ଦିଆଯାଇଛି ।
ରେମେଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୟୁଏମଏଚୟୁ ଓ ମହିଳା ଆରୋଗ୍ୟ ସମିତି ଆନୁକୂଲ୍ଯରେ ଆୟୋଜିତ ଏହି ବିଶ୍ୱ ସ୍ତରିୟ ଦିବସରେ ମୁଖ୍ୟ ଅତିଥି ଭାବେ ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ଯୋଗଦେଇ ଅର୍ଜିତ ରୋଗ ପ୍ରତିରୋଧକ ଶକ୍ତି ହ୍ରାସକାରୀ ଲକ୍ଷଣ ସମୂହ(ଏଡସ) ଅତ୍ୟାଧୁନିକ ବିଶ୍ୱରେ ଏକ ମହାମାରୀ ଭାବେ ଦେଖା ଦେଇଥିଲା । ଏବେ କରୋନା ମହାମାରୀ ସମୟରେ ଏଡସ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେଉଥିବାରୁ ସଚେତନତା ହିଁ ଏଡସ ଏବଂ କରୋନା ପରି ମହାମାରୀ କବଳରୁ ସୁରକ୍ଷିତ ରହିବାର ମୂଖ୍ୟ ଉପାୟ ବୋଲି କହିଥିଲେ । ୟୁଏମଏଚୟୁର ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା ସଭାରେ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର ନନ୍ଦ,ପିଏଚଏମ ସରିତା ଶର୍ମା,ଏଏନଏମ ବାସନ୍ତି ପ୍ରଧାନ,ନିବେଦିତା ପାଣ୍ଡେ ,ଫାର୍ମାସିଷ୍ଟ ସଞ୍ଜିବ ପ୍ରଧାନ ,କିଶୋରୀ ସାହୁ,ସୌଦାମିନି ପ୍ରଧାନ ପ୍ରମୂଖ ଯୋଗଦେଇ କରୋନା ମହାମାରୀ କାଳରେ ଏଚଆଇଭି/ ଏଡସ ପ୍ରସଙ୍ଗ ଖୁବ ଯଥାର୍ଥ ଓ ମିଳିତ ଉଦ୍ୟମରେ ଉଚ୍ଚମାନର କାର୍ଯ୍ୟଦ୍ୱାରା ଏହାକୁ ମୂଳୋତ୍ପାଟନ କରିବାକୁ ବିଭିନ୍ନ ଲକ୍ଷଣ ଓ କାରଣର ବର୍ଣ୍ଣନା କରି ବୁଝାଇଥିଲେ । ଆଶା ପଦ୍ମିନୀ ମିଶ୍ର, ମାସ ସଭାନେତ୍ରୀ ନଳିନୀ ମହାନ୍ତି,ଅନିଲ ଭୋଇ ପ୍ରମୁଖଙ୍କ ପରି ଚାଳନାରେ ଅନୁଷ୍ଠିତ ଏହି ସାମାଜିକ ସଚେତନତା ସଭାରେ ମହିଳା ଆରୋଗ୍ୟ ସମିତିର ଆଶା ଗୋପ,ସୁକାନ୍ତି ମହାନ୍ତି,ଝୁନୁ ନାଏକ,ରିନା ପରିଡା,ସୁମିତ୍ରା ପରିଡା,ସନ୍ଧ୍ୟାରାଣି ରାଉତ,ଡିଲେଶ୍ୱରୀ ବେହେରା,ସସ୍ମିତା ସ୍ୱାଇଁ,ଅଞ୍ଜନା ବେହେରା,ସୌକିନି ପାଣ୍ଡେ,ସୀମା ନାଏକ,ଆଶା ଅର୍ଣ୍ଣପୁର୍ଣ୍ଣା ପ୍ରଧାନ,ଗୁରୁବାରୀ ବାଗ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ କାନ୍ଥ ବାଡରେ ପୋଷ୍ଟର ମାରିବା ସହିତ ଏହାର ନିରାକରଣ ପାଇଁ ସରକାରଙ୍କ ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଘର ଘର ବୁଲି ସଚେତନ କରି ବିଭିନ୍ନ ସାମଗ୍ରି ବଣ୍ଟନ କରିଥିଲେ । ଏହି ଅବସରରେ ମହିଳା ଆରୋଗ୍ୟ ସମିତିର ନେତ୍ରତ୍ୱରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ ଜଣେ ସଂକ୍ରମିତ ମହିଳା ନିଜର ଅନୁଭୁତି ବର୍ଣ୍ଣନା କରି ସାଂପ୍ରତିକ ବିଶ୍ୱରେ ଏହି ରୋଗ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା,ଯାହାକୁ ଅଦ୍ୟାବଧି ନିୟନ୍ତ୍ରଣ କରାଯାଇପାରିନାହିଁ,ତେଣୁ ସଚେତନତାହିଁ ଏଥିରୁ ବର୍ତ୍ତିବାର ଏକମାତ୍ର ଉପାୟ ବୋଲି କହିଥିଲେ।ସେହିପରି ପ୍ରତିଭା ମହିଳା ଆରୋଗ୍ୟ ସମିତି ଦ୍ୱାରା ଆଶା କୁନି ହାତିଙ୍କ ନେତୃତ୍ୱରେ ମଧ୍ୟ ଗୋବିନ୍ଦତୋଲା ଠାରେ ବିଶ୍ୱ ଏଡସ ଦିବସ ପାଳନ ହୋଇଥିଲା।