ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭଟଲି, ତା.୦୬.୦୨.୨୦୨୫:- ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ଵାରା ପ୍ରାଚୀର ପତ୍ରିକା "ବାତାୟନ" ଉନ୍ମୋଚିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କ ସାହିତ୍ୟିକ ବ୍ୟକ୍ତିତ୍ଵ ରସସିକ୍ତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାସିସ ଆଚାର୍ଯ୍ୟ ଓ ସେ ତାଙ୍କ ବୈପ୍ଳବିକ ବକ୍ତବ୍ୟରେ ରାଜନୀତିର ଗୁରୁତ୍ୱ ସହିତ ସମାଜରେ ସାହିତ୍ୟର ମହତ୍ତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ କଟାପାଲି ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ଭଗବତୀ କର । ସେ ତାଙ୍କର ଆକର୍ଷଣୀୟ ନାଟକୀୟ ଶୈଳୀରେ କାହାଣୀକଥନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଉତ୍ସାହିତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ । ଅତିଥି ପରିଚୟ ପ୍ରଦାନ କରିଥିଲେ ସଂସ୍କୃତ ଅଧ୍ୟାପକ ରାଜୀବ ସାହୁ । ବାର୍ଷିକ ବିବରଣୀ ପଠନ କରିଥିଲେ ଅର୍ଥନୀତି ବିଭାଗର ଅଧ୍ୟାପିକା ଜୟନ୍ତୀ ସାହୁ । ବିବରଣୀ ମାଧ୍ୟମରେ ମହାବିଦ୍ୟାଳୟର ୨୦୨୪-୨୫ ଶିକ୍ଷାବର୍ଷରେ ହୋଇଥିବା ଗତି ଓ ସମୃଦ୍ଧି ସମ୍ପର୍କରେ ଆଲୋକପାତ କରାଯାଇଥିଲା । ତଥା ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟ ଅତିଥିଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅର୍ଥନୀତି ଅଧ୍ୟାପକ ରବିନାରାୟଣ ପଣ୍ଡା ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଅଜିତ ବାରିକ। ଧନ୍ୟବାଦ ଅର୍ପଣ କରିଥିଲେ ଇଂରାଜୀ ପ୍ରାଧ୍ୟାପକ ବିଶ୍ୱଜିତ କୁମାର ହୋତା । ବିଗତ ବର୍ଷର ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ସହ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ଭାବରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

0
0
0
s2sdefault