ପଦ୍ମପୁର - ଗ୍ରାମାଂଚଳ ଗୁଡିକୁ ସହର ସହିତ ଯୋଡିବା ପାଇଁ ବା ସହଜରେ ଗମନା ଗମନ କରିବା ପାଇଁ ସରକାର ବିଭିନ୍ନ ମାଧ୍ୟମରେ ପକ୍କା ସଡକ ମାନ ତିଆରି କରିଛନ୍ତି । ଏହି ସଡକ ତିଆରି ହେବା ଦ୍ୱାରା ଉପାନ୍ତ ଅଂଚଳର ଲୋକମାନେ ସହଜରେ ସହର ସହ ଯୋଡି ହେଇ ପାରୁଛନ୍ତି । ହେଲେ ବର୍ତମାନ ମଧ୍ୟ ପଦ୍ମପୁର ଉପଖଣ୍ଡରେ ଏପରି କିଛି ଉପାନ୍ତ ଗାଁ ରହିଛି ଯେଉଁଠି ଗମନା ଗମନା ସୁବିଧା ନାହଁ । ପ୍ରଶାସନ ପାଖରେ ଗୁହାରୀ କଲେ ମଧ୍ୟ ନ ଶୁଣିବାରୁ ବାଧ୍ୟ ହୋଇ ଲୋକମାନେ ନିଜ ଉଦ୍ୟମରେ ତିଆରି କରିଛନ୍ତି ପ୍ରାୟ ଦଶ କିମି ରାସ୍ତା ।
ବରଗଡ ଜିଲ୍ଲାର ଶେଷ ସୀମାନ୍ତରେ ରହିଛି ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକ । ଝାରବନ୍ଧ ବ୍ଲକ ପଦ୍ମପୁର ଉପଖଣ୍ଡର ଉପାନ୍ତ ଅଂଚଳରେ ଅବସ୍ଥିତ । ଝାରବନ୍ଧ ବ୍ଲକର ଡଭା ଗ୍ରାମପଂଚାୟତର ସୀମାକୁ ଲାଗି ପଡୋଶୀ ଜିଲ୍ଲା ନୂଆପଡା ଓ ପଡୋଶୀ ରାଜ୍ୟ ଛତିଶଗଡ ରହିଛି । ଏହି ଅଂଚଳ ଜିଲ୍ଲା ସଦର ମହକୁମାରୁ ପ୍ରାୟ ୧୬୦ କିମି ଓ ଉପଖଣ୍ଡର ସଦର ମହକୁମା ଠାରୁ ପ୍ରାୟ ୮୦ କିମି ଦୂରତା ରହିଛି । ଏଠାକାର ଲୋକ ମାନେ ସରକାରୀ କାମ ବ୍ୟତୀତ ଅନ୍ୟାନ୍ୟ କାମ ପାଇଁ ପଡୋଶୀ ଜିଲ୍ଲା ନୂଆଁପଡା ଓ ପଡୋଶୀ ରାଜ୍ୟ ଛତିଶଗଡ ଉପରେ ନିର୍ଭର କରନ୍ତି । ଡଭା ଗ୍ରାମପଂଚାୟତ ଅନ୍ତର୍ଗତ ରାଜେନ୍ଦ୍ରପୁର,ପଲସଦା ଓ ନିତ୍ୟାନନ୍ଦପୁରକୁ ଦୀର୍ଘ ଦଶ କିମି ଆଜି ଯାଏଁ ଭଲ ରାସ୍ତା ଗୋଟିଏ ତିଆରି ହୋଇ ପାରିଲା ନାହିଁ । ୨୦୦୮ ମସିହାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଡଭା ଠାରୁ ରାଜେନ୍ଦ୍ରନାଥପୁର ତିନି କିମି ରାସ୍ତା ତିଆରି ହୋଇଥିଲା । ହେଲେ ରାସ୍ତା ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ଗୋଟିଏ ବର୍ଷ ମଧ୍ୟରେ ଏହା ଖରାପ ହୋଇଗଲା । ଏହି ରାସ୍ତାର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା ପ୍ରତି ଆଦୌ ଧ୍ୟାନ ଦେଲେ ନାହଁ କିମ୍ବା ଏହାର ରକ୍ଷଣାବେକ୍ଷଣ ମଧ୍ୟ କଲେ ନାହଁ । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ତିନି ଗୋଟି ଗ୍ରାମର ଲୋକେ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଛନ୍ତି । ଏହି ରାସ୍ତା ଦେଇ ଏହି ତିନିଗୋଟି ଗ୍ରାମର ଲୋକମାନେ ଯୀବା ଆସିବା ସହ ଏଠାକାର ପିଲାମାନେ ପାଠ ପଢିବା ପାଇଁ ଡଭାକୁ ଯିବା ଆସିବା କରିଥାନ୍ତି । ଖରା ଦିନରେ ଚଳିଯାଏ ଅଳ୍ପ ଟିକିଏ ବର୍ଷା ହେଲେ ରାସ୍ତାରେ ଚାଲିବା ମୁସକିଲ ହୋଇପଡେ । ବାରମ୍ବାର ଏଠାକାର ଜନସାଧାରଣ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କଲେ ମଧ୍ୟ ଏହି ଉପାନ୍ତ ଅଂଚଳ ପ୍ରତି କୌଣସି ସରକାରୀ ବାବୁଙ୍କ ଦୃଷ୍ଟି ପଡୁନାହିଁ ।
ସ୍ୱାଧିନତାର ଦିର୍ଘ ଏତେ ବର୍ଷପରେ ମଧ୍ୟ ଏପରି ଅବ୍ୟବସ୍ଥାରେ ଜୀବନ ଯାପନ କରୁଥିବା ଏଠାକାର ଲୋକମାନେ ସରକାରୀ ବାବୁଙ୍କ ପାଖରେ ଗୁହାରୀ କରି ଥକି ପଡିବା ପରେ ନିଜ ଅସୁବିଧାକୁ ସୁବିଧା କରିବା ପାଇଁ ଅଂଟା ଭିଡିଛନ୍ତି । ରାଜେନ୍ଦ୍ରପୁର,ପଲସଦା ଓ ନିତ୍ୟାନନ୍ଦପୁର ଏହି ତିନିଗୋଟି ଗ୍ରାମର ଗ୍ରାମବାସୀ ମାନେ ଆଲୋଚନା ତାଙ୍କ ଗ୍ରାମରେ ଥିବା ଅବ୍ୟବସ୍ଥାକୁ ସୁଧାରିବା ପାଇଁ ଆଗେଇ ଆସିଛନ୍ତି । ଏହି ଅଂଚଳରେ ମଧ୍ୟବିତ ଶ୍ରେଣୀର ପରିବାର ବସବାସ କରନ୍ତି । ଏଠାକାର ଲୋକେ ପ୍ରାୟତଃ ଚାଷ କରି ପରିବାର ଚଳାନ୍ତି । ସେମାନେ ଚାନ୍ଦା ଆଦାୟ କରି ଓ ଶ୍ରମଦାନ କରି ରାସ୍ତା ତିଆରି କରିଛନ୍ତି । ନିଜ ନିଜ ବିଲରୁ ଜେସିବି ସାହାଯ୍ୟରେ ମୁରୁମ କାଢି ଟ୍ରାକ୍ଟର ଯୋଗେ ଆଣି ରାସ୍ତାରେ ପକାଇ ପକ୍କା ରସ୍ତା ପରି ମୁରୁମ ରାସ୍ତା ତିଆରି କରିଛନ୍ତି । ଏହି ତିନିଗୋଟି ଗାଁ ଲୋକଙ୍କ ଦୀର୍ଷ ଆଠ ଦିନର ପରିଶ୍ରମ ସାର୍ଥକ ହୋଇଛି । ସେମାନେ ବର୍ତମାନ ସୁବିଧାରେ ଯିବା ଆସିବା କରୁଛନ୍ତି ।
ଏହି ତିନିଗୋଟି ଗ୍ରାମବାସୀଙ୍କ ଦୃଢ ମନୋବଲ ଓ ଏକତା ଯୋଗୁଁ ଆଜି ସେମାନେ ନିଜର ଦୀର୍ଘ ଦିନର ସମସ୍ୟାର ସମାଧାନ କରିପାରିଛନ୍ତି । ଯାହାକି ଅଂଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।