ହେଡଲାଇନସ୍:

ନବୀନଙ୍କ କରିସ୍ମା ଆଗରେ ନିଷ୍ପ୍ରଭ ଅନୁକମ୍ପା : ବାଜିଲା ଶଙ୍ଖ, ମଉଳିଲା ପଦ୍ମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାଲେଶ୍ୱରରେ କଂଗ୍ରେସ ହରାଇଲା ଅମାନତ, ତିର୍ତ୍ତୋଲରେ ରହିଲା ସମ୍ମାନ 

ଭୁବନେଶ୍ୱର: ନବୀନଙ୍କ କରିସ୍ମା ଆଗରେ ଫିକା ପଡିଲା ଅନୁକମ୍ପା | ତିର୍ତ୍ତୋଲରେ ବିଜେଡି ତାହାର ଆସନ ବଜାୟ ରଖିଥିବା ବେଳେ ଅନୁକମ୍ପା ଲହରୀକୁ ପ୍ରତିହତ କରି ବିଜେପି ହାତରୁ ଆସନଟିକୁ ଛାଡ଼ି ଆଣିଛି ବିଜେଡି | ମୁଖ୍ୟ ବିରୋଧୀ ବିଜେପିର  ଗଣିତ ଭୁଲ ଭାଲ  ଆଉ ଭୂଇଁ ଚାଟିଲା କଂଗ୍ରେସ | ଦୁଇଟି ଯାକ ନିର୍ବାଚନ ମଣ୍ଡଳୀରେ ଶଙ୍ଖର ଘର୍ଘର ନାଦ | ନବୀନଙ୍କ କରିସ୍ମା ନବୀନଙ୍କ ୟଙ୍ଗ ବ୍ରିଗେଡର ଟାଣୁଆ ଫରୱାର୍ଡ଼ ପ୍ଲେୟାରଙ୍କ ଉଦ୍ୟମ ଆଣିଦେଇଛି ସଫଳତା |  

ବାଲେଶ୍ୱରରେ ମୋଟ ମତଦାନ ୧୬୨୩୩୯ ହୋଇଥବା ବେଳେ ବିଜେଡିର ପ୍ରାର୍ଥୀ ସ୍ୱରୁପ ଦାସ  ୮୪,୦୯୭(୫୧.୮%) ଭୋଟ ପାଇଁ ବିଜୟ ଲାଭ କରିଥିବା ବେଳେ  ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ମଦନ ଦତ୍ତଙ୍କ ପୁତ୍ର ମାନସ ଦତ୍ତ୭୦,୭୪୬ (୪୩.୫୮%) ଭୋଟ ପାଇଁ ଦ୍ଵିତୀୟ ସ୍ଥାନରେ ଅଛନ୍ତି | କଂଗ୍ରେସର ଏଠି ଖାତା ଖତୀଆନି ହଜିଯାଇଛି | କଂଗ୍ରେସ ପ୍ରାର୍ଥୀନୀ ମମତା କୁଣ୍ଡୁ ଏଠି ଶୋଚନୀୟ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି, ଆଉ ପାଇଛନ୍ତି ମାତ୍ର ୪୯୮୩  (୩.୦୭%) ଭୋଟ | ଗତ ନିର୍ବାଚନରେ କଂଗ୍ରେସ ସେଠାରେ ପାଖାପାଖି ୨୦ ହଜାର ଭୋଟ ପାଇଥିବା ବେଳେ ଏଥର ଅମାନତ ହରାଇଛନ୍ତି |  ଭୋଟ ପୂର୍ବରୁ କିଛି ଗଣମାଧ୍ୟମର ଚର୍ଚ୍ଚାରେ ଥିବା ବେଣୁଧର ବାରିକ ପାଇଛନ୍ତି ମାତ୍ର ୧୨୫୫ ଭୋଟ | 

ସେହିପରି ତିର୍ତ୍ତୋଲରେ  ୧୬୬୯୨୧ ଭୋଟ ପଡିଥିବା ବେଲେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ  ୮୮,୩୧୦(୫୨.୯୧%) ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୪୬,୬୦୭(୨୭.୯୨%) ପାଇଛନ୍ତି | ସେହିପରି କଂଗ୍ରେସ ପ୍ରାର୍ଥୀ  ହିମାଂଶୁ ଭୁଷଣ ବେହେରା ୨୮୭୭୮ (୧୭.୨୪%) ସମ୍ମାନଜନକ ଭୋଟ ପାଇଛନ୍ତି | କଂଗ୍ରେସର ଭୋଟ ଏଠାରେ ପୂର୍ବଥର ଅପେକ୍ଷା ୫୦୦୦ରୁ ଉର୍ଧ୍ଵ ବୃଦ୍ଧି ପାଇଥିବା ବେଳେ ବିଜେପିର ଭୋଟ ବି କମିଛି | ଗତଥର ତେପନ ହଜାରରୁ ଉର୍ଧ୍ଵ ଭୋଟ ବିଜେପି ପାଇଥିବାବେଲେ ପାଖାପାଖି ସାତ ହଜାର ଭୋଟ କାମ ପାଇଛି ପୂର୍ବଥର ତୁଳନାରେ | 

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪, ୮୧୫ (୪୭.୨୬%) ଭୋଟ ପାଇଁ ବିଜୟୀ ହୋଇଥିଲେ । ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ସପକ୍ଷରେ ପଡ଼ିଥିଲା ୬୧,୪୦୯(୩୮.୭୯%) ଭୋଟ । ମଦନ ମୋହନ ୧୩,୪୦୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କଂଗ୍ରେସର ମାନସ ରଂଜନ ଦାସପଟ୍ଟନାୟକଙ୍କୁ ମିଳିଥିଲା ୧୯,୭୦୪ (୧୨.୪୫%) ଭୋଟ ।

ସେହିପରି  ତିର୍ତ୍ତୋଲରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ୯୩,୯୬୭(୫୪.୧୮%) ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ୫୩,୫୮୧(୩୦.୯%) ଭୋଟ ପାଇଥିଲେ । ବିଜୟୀ ବିଷ୍ଣୁ ଦାସଙ୍କ ଭୋଟ ବ୍ୟବଧାନ ଥିଲା ୪୦,୩୮୬ । କଂଗ୍ରେସର ଦେବୀ ପ୍ରସାଦ ମଲ୍ଲିକଙ୍କୁ ମିଳିଥିଲା ୨୩,୮୦୯(୧୩.୭୩%) ଭୋଟ ।

ସୂଚନାଥାଉକି, ବାଲେଶ୍ୱର ପାଇ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ଥିଲେ ମଧ୍ୟ  ବିଜେଡି ପ୍ରାର୍ଥୀ ଚୟନରେ ଟିକେ ବ୍ୟାକ ଫୁଟରେ ଥିଲା |  ପ୍ରାର୍ଥୀ ଚୟନ ଦଳ ପାଇଁ ଚାଲେଂଜ ଥିଲା । ଦୁଇଜଣ ଆଶାୟୀଙ୍କ ମଧ୍ୟରେ ଟାଣ ଓଟରା ଯୋଗୁ ବାଧ୍ୟ ହୋଇ ଚର୍ଚାରେ ନଥିବା ପୂର୍ବତନ କାଉନ୍ସିଲର ସ୍ୱରୂପ ଦାସ ହେଲେ ପ୍ରାଥୀ | ପ୍ରଥମରୁ ବିଜେଡିର ନେତାମାନଙ୍କ ମତିଗତି ଦଳକୁ ଅଡୁଆରେ ପକାଇବାର ଥିବା ବେଳେ ସ୍ୱତନ୍ତ୍ର ରଣନୀତି ସହ ଦଳର କ୍ରାଇସିସ ମ୍ୟାନେଜର ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତମ୍ବୁ ପକାଇ ପଡି ରହିଲେ ବାଲେଶ୍ୱରରେ |  ବାଲେଶ୍ୱରରେ ଡେରା ପକାଇ  ପ୍ରଣବ ପ୍ରଥମରୁ ନିର୍ବାଚନ ପରିଚାଳନାର ମଙ୍ଗ ସମ୍ଭାଳି ଥିଲେ । ସ୍ୱତନ୍ତ୍ର ରଣନୀତି ଅନ୍ତର୍ଗତ  ମନ୍ତ୍ରୀ, ବିଧାୟକ ଓ କର୍ମକର୍ତ୍ତାମାନଙ୍କୁ ବ୍ଲକ୍ ଓ ପଞ୍ଚାୟତୱାରୀ ଦାୟିତ୍ୱ ଦିଆଯାଇ ଦଳ ବିରୋଧୀଙ୍କ ଉପରେ ନଜର ରଖି କାର୍ଯ୍ୟକ୍ରମ ଜାରି ରହିଥିଲା | ଆଉ ବବିଙ୍କ ସଫଳ ମଙ୍ଗ ଚାଳନା ଦଳକୁ ଆଣିଦେଲା ସଫଳତା ଅନୁକମ୍ପା ଲହରୀ, ଗୋଷ୍ଠୀ କନ୍ଦଳ ଓ ଦଳ ବିରୋଧୀ କାର୍ଯ୍ୟକୁ ପ୍ରତିହତ କରି | 

ଅନ୍ୟପକ୍ଷରେ, ତିର୍ତ୍ତୋଲରେ ବିଜେଡ଼ି ପାଇଁ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ଥିଲେ କେକ ୱାକ ନଥିଲା | କାରଣ  ମାନସ ଦତ୍ତଙ୍କ ପରି ଅନୁକମ୍ପା  ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କ ପ୍ରତି ନଥିଲା । ହେଲେ ଦଳର ତୁଙ୍ଗ ଯୁବନେତା ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କ ଉପନିର୍ବାଚନ ପରିଚାଳନା ଦାୟିତ୍ୱକୁ ଦକ୍ଷତାର ସହ ପରିଚାଳନା କରିଥିଲେ । ଆଉ ସବୁଠାରୁ ବଡ ଗେମ କରିଥିଲା ବିଜେଡି ପୂର୍ବଥର ବିଜେପି ପ୍ରାର୍ଥୀ ହୋଇଥିବା ରମାକାନ୍ତ ଟୁଟୁ ଭୋଇଙ୍କୁ ନିଜ ଆଡକୁ ଟାଣି ଆଣି | ନବୀନଙ୍କ ଯୁବ ବାହିନୀର ଦୃଢ଼ ସଂଗଠନ ଓ ସୁଚିନ୍ତିତ ରଣକୌଶଳ ଦ୍ୱାରା ବିଜେଡ଼ି ପ୍ରାର୍ଥୀ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି ।

0
0
0
s2sdefault