ବିରୋଧ କଲେ ଆଦିବାସୀ ସମାଜ, ଅଭିଭାବକ ଦ୍ବନ୍ଦରେ ।
ଝାରସୁଗୁଡା:(ସୁଭାଷ ସହାରେ) : ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିକୁ ପ୍ରଥମେ ସଂପୃକ୍ତ ବିଭାଗ ପ୍ରାୟ ୭୦ ଶତକଡ଼ା କମାଇ ଦେଇଥିବା ନେଇ ଉଭୟ ଗୋଷ୍ଠୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ମୂଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ମେଧାବୃତ୍ତି କମାଯିବ ନାହିଁ। ଏବେ ଅଭିଭାବକ ଦ୍ବନ୍ଦରେ ଯେ କାହା କଥା ଲାଗୁ ହେବ। ଏ ନେଇ ଝାରସୁଗୁଡ଼ା ସମ୍ମିଳିତ ଆଦିବାସୀ ସମାଜ ଏକ ସାଧାରଣ ବୈଠକରେ ସରକାରଙ୍କ ଏତାଦୃଶ ପଦକ୍ଷେପକୁ ବିରୋଧ କରି ସାଧାରଣଙ୍କ ଦ୍ବନ୍ଦ୍ବକୁ ଅତିଶୀଘ୍ର ଦୂର କରିବାକୁ ଆହ୍ୱାନ ଦେଇଛନ୍ତି।
ଆଜି ସମ୍ମିଳିତ ଆଦିବାସୀ ସମାଜର ଏକ ସାଧାରଣ ବୈଠକ ଲଇକେରା ବ୍ଲକ ବାବୁଛିପିଡିହି ଗ୍ରାମ ପଂଚାୟତର ହୁଡ଼କୁଡିହି ଓ କୋଲାବିରା ବ୍ଲକ ଶୋଡାମାଲ ଗ୍ରାମ ପଂଚାୟତର ଶୋଡାମାଲଠାରେ ପୃଥକ ପୃଥକ ଭାବରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯଥାକ୍ରମେ ବାବୁଛିପିଡିହି ସରପଞ୍ଚ ଶ୍ରୀମତୀ ବୀଣାପାଣି ମାଝୀ ଓ ଶୋଡାମାଲ ପଂଚାୟତର ନାଏବ ସରପଞ୍ଚ ସୁମନ୍ତ ମାଝୀ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଟଙ୍କା ସରକାର କମାଇ ଦେଇଥିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଥିଲା। ସରକାରୀ ସୂତ୍ରରୁ ଜଣାଯାଏ ଯେ ଏସଟି ଓ ଏସସି ଛାତ୍ରଛାତ୍ରୀମାନଙ୍କ ମେଧାବୃତ୍ତି ଟଙ୍କା ପ୍ରାୟ ୭୦ ପ୍ରତିଶତ କମାଇ ଦିଆଯାଇଛି। ଯାହା ସରକାରଙ୍କ ଏସଟି ଓ ଏସସି ବିଭାଗରୁ ଗତ ୩ ନଭେମ୍ବର ୨୦୨୦ ରେ ପ୍ରକାଶିତ ହୋଇଥିବା ବିବରଣୀରୁ ଜଣାଯାଏ। ଯାହା ଫଳରେ ଏସଟି ଓ ଏସସି ଛାତ୍ରଛାତ୍ରୀ ମାନେ ପଢ଼ୁଥିବା ଉଚ୍ଚ ଶିକ୍ଷା ତଥା ବିଭିନ୍ନ ପାଠ୍ୟକ୍ରମ ସଂପୂର୍ଣ୍ଣ କରିବାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ବର୍ତ୍ତମାନ ମୂଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏସଟି ଓ ଏସସି ଛାତ୍ରଛାତ୍ରୀ ମାନେ ପାଉଥିବା ମେଧାବୃତ୍ତି କମିବ ନାହିଁ। କିନ୍ତୁ ସରକାରଙ୍କର ୩ ନଭେମ୍ବର ୨୦୨୦ ରେ ପ୍ରକାଶ ପାଇବା ବିବରଣୀ ଓ ମୂଖ୍ୟମନ୍ତ୍ରୀଙ୍କର ଘୋଷଣା ମଧ୍ୟରେ କେଉଁଟା ସତ, ତାହା ଏସଟି ଓ ଏସସି ମହଲରେ ଦ୍ୱନ୍ଦ ସୃଷ୍ଟି କରୁଛି। ମୂଖ୍ୟମନ୍ତ୍ରୀ ଠିକ୍ କହୁଛନ୍ତି କିମ୍ବା ବିଭାଗ ଠିକ୍ କହୁଛି ତାହା ଚିନ୍ତାର ବିଷୟ ହୋଇପଡ଼ିଛି । ମୂଖ୍ୟମନ୍ତ୍ରୀଙ୍କ ଅଜାଣତରେ ଏଭଳି ନିଷ୍ପତ୍ତି କିଏ ନେଉଛନ୍ତି ତାହା ସର୍ବସାଧାରଣଙ୍କୁ ଜଣାଇବା ଆବଶ୍ୟକ ବୋଲି ବୈଠକରେ ଉପସ୍ଥିତ ଲୋକେ ମତ ପ୍ରକାଶ କରିଥିଲେ । 'ମୋ ଗାଁ' କାର୍ଯ୍ୟକ୍ରମ ସରକାରଙ୍କ ଏକ ମୂଖ୍ୟ କାର୍ଯ୍ୟକ୍ରମ ହେଲେ ମଧ୍ୟ ବର୍ତ୍ତମାନ ଗାଁ ଗାଁ ରୁ ହଜାର ହଜାର ସରକାରୀ ସ୍କୁଲ ଗୁଡିକୁ ଉଚ୍ଛେଦ କରି ଅଣ ସରକାରୀ ସ୍କୁଲକୁ ସରକାର ପ୍ରୋତ୍ସାହିତ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଗ୍ରାମାଞ୍ଚଳର ଗରିବ ଆଦିବାସୀ, ଦଳିତ ପିଲାମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ହେବେ।