ଦୁଇ ଦିନ ଧରି ଜିଲ୍ଲାବ୍ୟାପି ଲଗାଣ ବର୍ଷା : ବଂଶୀଧାରା ନଦୀ ବିପଦ ସଙ୍କେତର ଉର୍ଦ୍ଧ୍ବରେ ପ୍ରବାହିତ : ଅଧିକାଂଶ ଅଞ୍ଚଳ ଓ ଚାଷ ଜମି ଜଳମଗ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଣ୍ଡାମାନ ସାଗରର ସୃଷ୍ଟ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ-ସାଗରରେ ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତିକରି ବର୍ତ୍ତମାନ ଦକ୍ଷିଣ ପୂର୍ବରେ ଅବପାତ ହେବା ଏବଂ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ସମଗ୍ର ଗଜପତି ଜିଲ୍ଲା ଏହା ଦ୍ୱାରା ପ୍ରଭାବିତ ହୋଇଛି ।

ଗତ କାଲିଠାରୁ ଆଜି ମଧ୍ୟରେ ଜିଲ୍ଲାରେ ମୋଟ ୭୬୩.୮ ମିମି: ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି । ସମସ୍ତ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ନାଳ , କେନାଲ , ଚେକଡେମ , ଚାଷଜମି , ପ୍ରଭୃତି ଜଳମଗ୍ନ ହୋଇ ବନ୍ୟା ଜଳର ସୁଅଛୁଟୁଛି । ଜିଲ୍ଲାର କାଶୀନଗର ଓ ଗୋଷାଣୀ ବ୍ଲକଅଞ୍ଚଳରେ ଏସବୁ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।

ମହେନ୍ଦ୍ର ତନୟା ନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବା ଯୋଗୁଁ ନଦୀରେ ବନ୍ୟାଜଳ ଛୁଟୁଛି ।ସେହିଭଳି କାଶୀନଗର ଠାରେ ଥିବା ବଂଶଧାରା ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତର ଏକଫୁଟ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୫୪.୬୦ମି: ଥିବାବେଳେ  ଜଳସ୍ତର ବର୍ତ୍ତମାନ ୫୪.୮୮ ମି:ରେ ପ୍ରବାହିତ ହେଉଛି । ବଂଶଧାରା ଉପର ମୁଣ୍ଡରେ ଥିବା ମୋହନା , ମହେନ୍ଦ୍ରଗଡ଼ , କାଟ୍ରାଗଡ଼ , ଗୁଡାରି ଏବଂ ଗୁଣୁପୁର ଠାରେ ବର୍ଷା ଲାଗିରହିବା ଫଳରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି  ପାଇବାରେ ଲାଗିଛି । କାଶୀନଗର ଠାରେ ବଂଶଧାରା ନଦୀର ବନ୍ୟା ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ନଦୀର ଉପର ମୁଣ୍ଡରେ ଥିବା ଆନ୍ଧ୍ରର ହୀରାମଣ୍ଡଳମ ସ୍ଥିତ ଗୋଟା ବ୍ୟାରେଜର ୨୧ ଗୋଟି ଫାଟକକୁ ୨ ମିଟର ଉଚ୍ଚତାରେ ଖୋଲି ସେହି ଫାଟକ ଦେଇ ବନ୍ୟାଜଳ ଛଡ଼ାଯାଉଛି ।ଗୋଟ୍ଟା ବ୍ୟାରେଜକୁ ପ୍ରତି ସେକେଣ୍ଡରେ ୪୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏଥିରେ ପ୍ରତି ସେକେଣ୍ଡରେ ୪୬ ହଜାର ୫୦୦ କ୍ୟୁସେକ ଜଳ ନିଷ୍କାସନ ହେଉଛି ତଥା ଛଡ଼ାଯାଉଛି ।

 ଲଗାଣ ବର୍ଷା ଫଳରେ ଜିଲ୍ଲାର କାଶୀନଗର ଓ ଗୋଷାଣୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରଦ୍ୱାର ଓ ଶତାଧିକ ଏକର ଚାଷଜମି ଗୁଡାକ ବର୍ତ୍ତମାନ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଛି । ଗଜପତି ଜିଲ୍ଲାର  ଆର:ଉଦୟଗିରି , ଗୁମ୍ମା , ନୂଆଗଡ଼ , ରାୟଗଡ ଓ କାଶୀନଗର ପ୍ରଭୃତି ବ୍ଲକର ପାହାଡିଆ ଅଞ୍ଚଳରେ ଥିବା ଛୋଟବଡ଼ ନାଳ ଗୁଡିକରେ ପ୍ରବଳ ସ୍ରୋତରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଅନ୍ୟପକ୍ଷରେ , ଏହିସବୁ ଉପରୋକ୍ତ ଅଞ୍ଚଳ ଗୁଡିକର  ବର୍ଷା ଓ ବନ୍ୟାଜଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା-ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ବ୍ଲକ ଗୁଡିକର ବିପଦପୂର୍ଣ୍ଣ  ପାହାଡିଆ ଅଞ୍ଚଳରେ ଥିବା ୫୦୦ରୁ ଉର୍ଦ୍ଧ୍ବ ପରିବାରକୁ ଆଣି ନିରାପଦ ସ୍ଥାନ ଦେଖି ସ୍କୁଲ ମାନଙ୍କରେ ରଖାଯାଇଛି । ସେଠାରେ  ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ସମେତ ଦୁଇ ବେଳା ରନ୍ଧା-ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଅନ୍ତେବାସୀଙ୍କ ରହିବା ଓ ଖାଇବାର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କେ:ସୀତାପୁର ପଞ୍ଚାୟତ ସରପଞ୍ଚ ଦାରପୁ ରାଜେଶ କୁମାର କହିଛନ୍ତି ।

ସେହିଭଳି ବର୍ଷା ସମୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମ ପାହାଡିଆ ଅଞ୍ଚଳର ଅଧିବାସୀ ମାନଙ୍କୁ ଜିଲ୍ଲା ପ୍ରଶାସନ ଆମକୁ ଆଣି ,   ବର୍ଷା ଛାଡିବା ପର୍ଯ୍ୟନ୍ତ ଏଠାରେ ସୁରକ୍ଷିତ ଭାବେ ରହିବା ଓ ଖାଇବାର ଥଇଥାନ ବ୍ୟବସ୍ଥା ଭଲରେ କରିଛନ୍ତି ବୋଲି ଜଣେ ଅନ୍ତେବାସୀ ଶାନ୍ତି ଗମାଙ୍ଗ କହିଛନ୍ତି ।

0
0
0
s2sdefault