ଗର୍ଜ୍ଜିଲେ ସୁରେଶ, ଭାରସାମ୍ୟ ରକ୍ଷା କଲେ କିଶୋର, ବିରୋଧ କଲେ ମହେନ୍ଦ୍ର!
ଝାରସୁଗୁଡ଼ା:(ସୁଭାଷ ସହାରେ) : ବେଦାନ୍ତ ପାଉଁଶ ଫିଙ୍ଗା ମାମଲା ବର୍ତ୍ତମାନ ଝାରସୁଗୁଡ଼ା ରାଜନୀତିକୁ ବେଶ ସରଗରମ କରି ରଖିଛି। ବିଜେଡି, ବିଜେପି ଓ କଂଗ୍ରେସ ଦଳର ତୁଙ୍ଗ ନେତା ଏହାକୁ ନେଇ ନିଜସ୍ବ ମତ ରଖିଛନ୍ତି ଗଣମାଧ୍ୟମ ଆଗରେ।
ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ମତରେ ଯେତେବେଳେ ବେଦାନ୍ତ ଆସିଥିଲା, ସମସ୍ତେ ଭାବିଥିଲେ ଝାରସୁଗୁଡ଼ାର ବିକାଶ ହେବ। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା ନେଇ ସେ ସମ୍ପୂର୍ଣ୍ଣ ଆଶାବାଦୀ ଥିଲେ। ମାତ୍ର ଲୋକଙ୍କ ଜମି ଅଧିଗ୍ରହଣ କରି ଏଠାକାର ଲୋକଙ୍କୁ ସେତେ ଫାଇଦା ପହଞ୍ଚାଇ ନାହିଁ କମ୍ପାନୀ। ଓଲଟା ଏହି ଜିଲ୍ଲାକୁ ପ୍ରଦୂଷିତ ସହର ଓ ଏକ ଡମ୍ପିଂୟାର୍ଡରେ ପରିଣତ କରିଛି ବେଦାନ୍ତ। ଇବ, ଭେଡ଼େନ ଓ ମହାନଦୀର ପାଣିକୁ ଦୂଷିତ କରିବା ସହ ବାୟୁମଣ୍ଡଳକୁ ମଧ୍ୟ ସଂପୂର୍ଣ୍ଣ ଭାବେ ପ୍ରଦୂଷିତ କରି ଦେଇଛି ଏହି କମ୍ପାନୀ ବୋଲି ସାଂସଦ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ନେଇ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଅଭିଯୋଗ କରିବା ସହ ଏକଥାକୁ ସେ ଲୋକସଭାରେ ଉଠାଇଛନ୍ତି ଓ ଆଗକୁ ମଧ୍ୟ ଉଠାଇବେ ବୋଲି କହିଛନ୍ତି। ଏହାସହ ସେ କହିଛନ୍ତି ଯେ ଏ ବିଷୟରେ ସେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ସଂପୃକ୍ତ ମନ୍ତ୍ରାଳୟରେ ମଧ୍ୟ ଅଭିଯୋଗ କରିବେ। ସ୍ଥାନୀୟ ଲୋକଙ୍କୁ ଯେତେ ସଂଖ୍ୟାରେ ନିଯୁକ୍ତି ଦେବା କଥା, ତାହା ବେଦାନ୍ତ ଆଜି ପର୍ଯ୍ୟନ୍ତ କରିନାହିଁ। ମାତ୍ର ଏହି ଅଞ୍ଚଳର ପାଣି, ବିଦ୍ୟୁତ, କୋଇଲା, ଜମି ସବୁକିଛି ମନ ଇଚ୍ଛା ବ୍ୟବହାର କରିବାରେ କମ୍ପାନୀ ସକ୍ଷମ ଅଟେ। କମ୍ପାନୀ ଆସିବା ପରେ ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇଛି ଏବଂ ଲୋକଙ୍କ ଲାଭ ଅପେକ୍ଷା କ୍ଷତି ବେଶୀ ବୋଲି ସେ କହିଛନ୍ତି।
ଏହି ବିଷୟରେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି ଅତି ସନ୍ତର୍ପଣରେ ବିଚାର ରଖିଛନ୍ତି। ତାଙ୍କ ମତରେ ଯେ କୌଣସି ଶିଳ୍ପ କାରଖାନା ବିରୁଦ୍ଧରେ ସେ ନାହାନ୍ତି। ଶିଳ୍ପ କାରଖାନା ଥିଲେ ବିକାଶ ହେବ। କାରଖାନା ଥିଲେ ପାଉଁଶ ମଧ୍ୟ ବାହାରିବ। ମାତ୍ର ନିର୍ଗତ ପାଉଁଶର ଉପଯୁକ୍ତ ବ୍ୟବସ୍ଥା କରିବା ସଂପୃକ୍ତ କମ୍ପାନୀର ଦାୟୀତ୍ୱ ଅଟେ। ବେଦାନ୍ତ ଦ୍ବାରା ପାଉଁଶ ଯେପରି ଭାବରେ ଅବ୍ୟବସ୍ଥିତ ଓ ବେନିୟମ ଭାବରେ ଫିଙ୍ଗାଯାଉଛି, ସେ ତାହାର ବିରୋଧରେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। କମ୍ପାନୀ ନିୟମାନୁଯାୟୀ ପାଉଁଶ ନିଷ୍କାସିତ କରିବାର ବ୍ୟବସ୍ଥା କରିବା ଉଚିତ୍। ଯେ କୌଣସି ବ୍ୟକ୍ତି ବା କମ୍ପାନୀ ଯଦି ନିୟମର ଉଲ୍ଲଘଂନ କରୁଛନ୍ତି, ତେବେ ତାହା ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କାର୍ଯାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।
ଝାରସୁଗୁଡ଼ା ବିଧାନସଭାରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଶ୍ରୀ ମହେନ୍ଦ୍ର ନାୟକ ଏ ବିଷୟରେ ମତାମତ ଦେଇଛନ୍ତି ଯେ କମ୍ପାନୀ ସହ ଏମଓୟୁ ସ୍ବାକ୍ଷରିତ ହେବା ସମୟରେ ପାଉଁଶ ପୋଖରୀ ପାଇଁ ଯେଉଁ ସ୍ଥାନ ନିର୍ଦ୍ଧାରିତ ହୋଇଥିଲା, ତାହା କେବଳ କାଗଜପତ୍ରରେ ହିଁ ରହିଗଲା। କମ୍ପାନୀ ଆରମ୍ଭ ବେଳକୁ କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜେଡି ସରକାର ହିଁ ଥିଲେ। ବର୍ତ୍ତମାନ କମ୍ପାନୀ ନିଜର ନିର୍ଗତ ହେଉଥିବା ପାଉଁଶକୁ ଉଦ୍ଦିଷ୍ଟ ସ୍ଥାନ ପରିବର୍ତ୍ତେ ନଦୀରେ କିମ୍ବା ରାସ୍ତାକଡ଼ରେ ପକାଉଛି କାହିଁକି? ଏହା ବିରୋଧରେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ମୁଁ ଯେ କୌଣସି ନିୟମବିରୁଦ୍ଧ କାର୍ଯ୍ୟକଳାପର ବିରୋଧରେ ଅଛି ବୋଲି ମଧ୍ୟ ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ବେଦାନ୍ତର ଏହିପରି ବେପରୁଆ ଭାବରେ ନିୟମକୁ ବେଖାତିର କରି ପାଉଁଶ ନିଷ୍କାସନ ବ୍ୟବସ୍ଥା ଝାରସୁଗୁଡ଼ା ଜିଲ୍ଲା ପାଇଁ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହି କମ୍ପାନୀ ଅତ୍ୟନ୍ତ ବେପରୁଆ ହୋଇ ନିଜ କାରଖାନାରୁ ନିର୍ଗତ ହେଉଥିବା ପାଉଁଶକୁ ନଦୀ, ନାଳ, ରାସ୍ତାକଡ଼, ସରକାରୀ ଓ ବେସରକାରୀ ଜମିରେ ପକାଇ ଚାଲିଛି। ଏହା ହେତୁ ଭବିଷ୍ୟତରେ ଝାରସୁଗୁଡ଼ା ଜିଲ୍ଲା ର ସମସ୍ତ ନଦୀ ଓ ହୀରାକୁଦ ଜଳଭଣ୍ଡାରର ଜଳ ବିଷାକ୍ତ ହେବ ତଥା ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ବାୟୁମଣ୍ଡଳରେ ମଧ୍ୟ ଗଭୀର କୁପ୍ରଭାବ ପକାଇବ ବୋଲି ପରିବେଶବିତମାନେ ମତ ଦେଉଛନ୍ତି। ଏହି ନଦୀଗୁଡିକର ଜଳକୁ ଚାଷ ପାଇଁ ଓ ପାନୀୟ ଭାବରେ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକ ଆସନ୍ତା ଭବିଷ୍ୟତରେ ମାରାତ୍ମକ ରୋଗର ଶୀକାର ହେବେ ଏଥିରେ ଦ୍ବିମତ ନାହିଁ। ପ୍ରଶାସନ ଓ ସରକାର ଏହି ବିଷୟରେ ତୁରନ୍ତ କୌଣସି ପଦକ୍ଷେପ ନ ନେଲେ,ଭବିଷ୍ୟତରେ ବେଦାନ୍ତ ବିରୁଦ୍ଧରେ ଏକ ବିରାଟ ଜନ ଆନ୍ଦୋଳନର ସମ୍ଭାବନାକୁ ଅଣଦେଖା କରି ହେବ ନାହିଁ।