ହେଡଲାଇନସ୍:

କେବଳ ରାଜ୍ୟସରକାର ପଲିସି କରିବେ କି ତାକୁ କାର୍ଯ୍ୟକାରୀ କରାଇବେ? : ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ମେକ ଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ କେତେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ? 

ରାଜ୍ୟ ନିୟୋଜନ କାର୍ଯ୍ୟାଳୟର ସଫଳତା ହାର ମାତ୍ର ୧ %  ପ୍ରତିଶତ

14-05-18-bjp.jpg - 70.70 kB

ଭୁବନେଶ୍ୱର: ରାଜ୍ୟରେ କୌଣସି ବିଭାଗରେ ସାମଗ୍ରିକ ବିକାଶ ହୋଇପାରିନାହିଁ । ଦୀର୍ଘ ୧୮ ବର୍ଷଧରି ଶାସନ କରୁଥିବା ଶାସକ ବିଜେଡି ଶିଳ୍ପାୟନର ଗୋଲାପି ଛବି ରାଜ୍ୟବାସୀଙ୍କୁ ଦେଖାଇଚାଲିଛନ୍ତି । ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବେକାରୀମାନଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ମଧ୍ୟମ, କ୍ଷୁଦ୍ର ଓ ଅଣୁକ୍ଷୁଦ୍ର ଶିଳ୍ପ ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢୀ କହିଛନ୍ତି । 

ରାଜ୍ୟରେ ୨୦୦୦-୦୧ ରୁ ୨୦୧୪-୧୫ ମସିହା ସୁଧା ୧୫ ବର୍ଷ ଭିତରେ ମାତ୍ର ୨୧ ଗୋଟି ମଧ୍ୟମ ଶିଳ୍ପ ସ୍ଥାପନ ହୋଇଥିଲା । ସେଥିରୁ ବର୍ତମାନ ୩ ଗୋଟି ଅଚଳ ଅବସ୍ଥାରେ ଅଛି ଓ ୧୮ ଗୋଟି ସଚଳ ଅବସ୍ଥାରେ ଅଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଲା ସଚଳ ଅବସ୍ଥାରେ ଶିଳ୍ପ ସଂସ୍ଥା  ଗୁଡିକରେ ମାତ୍ର ୬୨୩ ଜଣ କର୍ମ ସଂସ୍ଥାନ ପାଇଥିବା କଥା ବିଧାନସଭାରେ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ଦୀର୍ଘ ୧୫ ବର୍ଷ ଭିତରେ ମଧ୍ୟମ ଶିଳ୍ପ ଜରିଆରେ ମାତ୍ର ୬୨୩ ଜଣ ନିଯୁକ୍ତି ପାଇବା ରାଜ୍ୟ ସରକାରଙ୍କର ନିଯୁକ୍ତି ଯୋଗାଇବାରେ ବିଫଳତାର ପ୍ରତିଫଳନ ବୋଲି ପ୍ରମାଣ ଦେଇଛି ବୋଲି ଶ୍ରୀମତି ପାଢୀ କହିଛନ୍ତି । ଓଡିଶାର ସମସ୍ତ ସୂତାକଳ ବନ୍ଦ ପଡିଛି । ନୟାଗଡ, ବଡମ୍ବାରେ ଥିବା ଚିନିକଳ ବନ୍ଦ ରହିଛି । କୋଣାର୍କର ଝୋଟକଳ,ବ୍ରଜରାଜପୁର ର କାଗଜକଳ କାର୍ଯ୍ୟକ୍ଷମ ନହୋଇ ବନ୍ଦ ହୋଇଛି । ରାଜ୍ୟ ସରକାର ବିଜୁ ବାବୁଙ୍କ ସ୍ୱପ୍ନର କଥା କହୁଥିବା ସମୟରେ ଆଜି କେନ୍ଦୁଝର କଳିଙ୍ଗ ସ୍ପଞ୍ଜ ଆଇରନ ଓ ଓଡିଶା ସ୍ପଞ୍ଜ ଆଇରନ ବନ୍ଦ ହୋଇ କାହିଁକି ପଡିଛି ? ଚୌଦା୍ୱରରେ ଥିବା ଓଟିଏମର ପୁର୍ନରୁଦ୍ଧାର ପାଇଁ ସରକାର କେତେ ସଫଳ ହୋଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ରାଜ୍ୟର ପାରମ୍ପାରିକ କୌଶଳ ଯେପରି କଂସା ପିତଳ କାମ , ତାରକସୀ କାମ, ବାଉଁଶ କାମ, ମାଟି କାମ ଏସବୁ ପାଇଁ ସରକାର କେବେ ଧ୍ୟାନ ଦେବେ ବୋଲି ବୋଲି ଶ୍ରୀମତି ପାଢୀ ପ୍ରଶ୍ନ ଉଠାଇଛନ୍ତି ।

ଓଡିଶାକୁ ‘ଇଜ ଅଫ ଡୁଇଙ୍ଗ’ ବିଜନେସର ପେଣ୍ଠ ସ୍ଥଳୀ ଭାବେ ଘୋଷଣା କରି ଓଡିଶା ଦେଶର ପୁଂଜିନିବେଶ ପାଇଁ ସବୁଠୁ ପ୍ରକୃଷ୍ଟ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେତେ ସଫଳ ହୋଇଛି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢୀ ପ୍ରଶ୍ନ ପଚାରିଛନ୍ତି ।୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଜିଂ ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତିକ ନିଯୁକ୍ତିର ପ୍ରତିଶୃତିର ଅଗ୍ରଗତି କେତେ ବାଟ ଯାଇଛି ? ୨୪ ଜୁଲାଇ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ୩ ବର୍ଷ ପୂରିବାକୁ ଯାଉଥିବା ବେଳେ କେତେ ଟଙ୍କାର ପୁଜିଂ ନିବେଶ କରାଯାଇଛି ତାହା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ଶ୍ରୀମତି ପାଢୀ କହିଛନ୍ତି । ୨୦୧୫ ମସିହାରେ ପ୍ରସ୍ତାବିତ ଡେରାସରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଜାଂମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ ପାର୍କ, କାମ ସତରେ ହେଉଛି ନା ଖାଲି ଘୋଷଣାରେ ସରିଯାଇଛି, ସମୀକ୍ଷା କରି ତାର ଉତର ଓଡିଶାବାସୀଙ୍କ ସାମନାରେ ରଖିବାକୁ ଶ୍ରୀମତି ପାଢୀ ଆହ୍ୱାନ ଦେଇଛନ୍ତି ।

ମେକ ଇନ ଓଡିଶା କନକ୍ଲେଭ ହେବା ୨ ବର୍ଷ ବିତିଲାଣି । ଏହି କନକ୍ଲେଭ ମାଧ୍ୟମରେ ରାଜ୍ୟରେ କେତେ ଟଙ୍କାର ପୁଂଜି ନିବେଶ ହେଲାଣି ମନ୍ତ୍ରୀ ତାଙ୍କର ସମୀକ୍ଷା ପରେ ରାଜ୍ୟବାସୀଙ୍କୁ ଜଣାନ୍ତୁ । ଏଥି ସହ  ରାଜ୍ୟର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ  କେତେ ନିଯୁକ୍ତି ମିଳିଛି ତାହାର ଉତର ଦିଅନ୍ତୁ ବୋଲି ଶ୍ରୀମତି ପାଢୀ କହିଛନ୍ତି । ରାଜ୍ୟରେ ୨୦୦୭ ରୁ ୨୦୧୭ ଭିତରେ ବିଭିନ୍ନ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ନିୟୋଜନ କାର୍ଯ୍ୟାଳୟରେ ୨୩ ଲକ୍ଷ ୯୦ ହଜାର ଯୁବକ ଯୁବତୀ ପଂଜିକରଣ କରିଥିଲେ ହେଲେ ମାତ୍ର ଚାକିରୀ ପାଇଲେ ୩୨,୭୯୮ ଜଣ । ରାଜ୍ୟ ନିୟୋଜନ କାର୍ଯ୍ୟାଳୟର ସଫଳତା ହାର ମାତ୍ର ୧ %  ପ୍ରତିଶତ ରହିଛି ।ରାଜ୍ୟର ଯାନ୍ତ୍ରିକ ଶିକ୍ଷା ଏବଂ କୌଶଳ ବିକାଶ ଅଧୀନରେ ଥିବା ଦୁଇଟା ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ୨୦୦୦ ଅଧ୍ୟାପକ ଏବଂ ଅଣଅଧ୍ୟାପକ ପଦବୀ ଖାଲି ପଡିଛି । ବିପିୟୁଟି ବିଶ୍ୱବିଦ୍ୟାଳୟରେ ୨୫ ଅଧ୍ୟାପକ ପଦବୀରୁ ୨୦ ଖାଲି ରହିଛି  ଏବଂ ପ୍ରଫେସରଙ୍କ ବଦଳରେ କେବଳ ସହକାରୀ ପ୍ରଫେସର କାର୍ଯ୍ୟ କରୁଛନ୍ତି । ସେହିପରି ବୁର୍ଲା ବିଶ୍ୱବିଦ୍ୟାଳୟରେ ମୋଟ ୬୫ଟି ଅଧ୍ୟାପକ ପଦ ଫାଙ୍କା ପଡିଛି ବୋଲି ଶ୍ରୀମତି ପାଢୀ କହିଛନ୍ତି । 

ରାଜ୍ୟରେ ୩୨ଟି ସରକାରୀ ଇଂଜିନିୟରିଙ୍ଗ କଲେଜ ଥିବାବେଳେ ସେଥିରେ ୪୦୦ ଅଧ୍ୟାପକ ପଦ ଫାଙ୍କା ପଡିଛି ଏବଂ ୩୧ଟିରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । କେବଳ କାମଚଳା ଅଧ୍ୟକ୍ଷରେ ଅନେକ କଲେଜ ଚାଲୁଛି । ୫୦ଟି ସରକାରୀ ଆଟିଆଇରେ ମଧ୍ୟ ସେଇ ସମାନ ସ୍ଥିତି । ରାଜ୍ୟର ଆଇଟିଆଇ ଅନୁଷ୍ଠାନରେ ୯୪୦ ଶିକ୍ଷକ ପଦ ଫାଙ୍କା ରହିଛି । କେବେ ରାଜ୍ୟସରକାର ଏହି ପଦବୀଗୁଡିକ ପୂରଣ କରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀମତି ପାଢୀ ପ୍ରଶ୍ନ ଉଠାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ,ପ୍ରବକ୍ତା ସୁଦୀପ୍ତ ରାୟ ଏବଂ ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault