ବରଗଡ଼ (ଶାସକ ପ୍ରଶାସକ) : ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତଥା ପର୍ଯଟନ ସ୍ଥଳୀ ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ସ୍ଥିତ ପାଇକମାଲ ର ଦୁର୍ଗାପାଲି ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଲାଗି ହୋଇଛି ।
ନୂଆଁଖାଇ ପାଇଁ ଧାର୍ଯ୍ୟ ଲଗ୍ନ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସକାଳ ୯.୨୫ରୁ ୯.୫୫ ମଧ୍ୟେ ଠାକୁରଙ୍କୁ ନୂଆଁ ଅନ୍ନ ଲାଗି ହୋଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।
ଆଜି ଭୋର ୫ଟାରୁ ଠାକୁର ପୂଜାନୀତି ଆରମ୍ଭ ହୋଇଥିଲା । ପ୍ରଥମେ ଡ଼ଙ୍ଗର ପୂଜା ଏବଂ ପାଶ୍ୱର୍ଦେବାଦେବୀଙ୍କ ପୂଜା ହୋଇଥିଲା । ଏହାପରେ ମନ୍ଦିର ଭିତରେ ଗାଦୀ ପୂଜା ହୋଇଥିଲା ।
କବାଟ ବନ୍ଦ କରି ଏହି ପୂଜା କରିବାର ବିଧି ରହିଛି । ବର୍ଷକ ଥରେ ନୂଆଁଖାଇ ସମୟରେ ହେଉଥିବା ଏହି ପୂଜାରେ ଜଣେ ପୂକକ ଏବଂ ଜଣେ ନରିହା ଉପସ୍ଥିତ ରହିଥାନ୍ତି । ଗାଦୀ ପଜଜା ପରେ ପ୍ରଭୁ ନୃସିଂହନାଥଙ୍କୁ ନୂଆଁ ଚାଉଳରେ ପ୍ରସ୍ତୁତ ରାଜଭୋଗ ଲାଗି ହୋଇଛି । ଏହାପରେ ମନ୍ଦିର ପରିସରରେ ଗୋ ପୂଜା ଏବଂ ଗୋ ଭୋଜନ ବିଧି ଅନୁଷ୍ଠିତ ହୋଇଛି ।
ମନ୍ଦିରର ପୂଜକ ଶ୍ରୀ ମନମିତ ପୁରୋହିତ , ଶ୍ରୀ ସିଦ୍ଧାର୍ଥ ପୁରୋହିତ , ଆଜାଦ ମାଝୀ, ସତ୍ୟ ପୁରୋହିତ, ବରିଷ୍ଠ ପୂଜକ ଶ୍ରୀ ନରସିଂହ ହୋତା ନବାନ୍ନ ଉପଲକ୍ଷେ ମହାପ୍ରଭୁ ଙ୍କର ରୀତିନୀତି ସମାପନ କରିଥିବା ବେଳେ ଅନ୍ୟାନ୍ୟ ପୂଜକ ତଥା ମନ୍ଦିର ସେବାୟତ ମାନେ ବିଭିନ୍ନ ନୀତି ନିୟମ ପାଳନ କରିବାରେ ସହଯୋଗ କରିଥିଲେ ।
ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ପର୍ଯ୍ୟନ୍ତ ଆସି ପାରିବେ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି ।