ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନୀରାୟଣ ସାହୁ :କରୋନା କଟକଣା ଯୋଗୁଁ ଗତ ଦିନରେ ଯେଉଁ ସବୁ ପର୍ବ ପର୍ବାଣି ପଡ଼ିଛି ତାହାକୁ ନିରାଡାମ୍ବର ଭାବେ ପାଳନ କରାଯାଇଛି। ଏପରିକି ସ୍ୱାଧୀନତା ଦିବସରେ ମଧ୍ୟ କେବଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି କିନ୍ତୁ କଟକଣା ଯୋଗୁଁ ପୂର୍ବବର୍ଷ ପରି ପାଳନ ହୋଇନାହିଁ। ଏଭଳି ସ୍ଥଳେ ଆଉ ମାତ୍ର କିଛିଦିନ ପରେ ପଡୁଛି ଗଣେଶ ପୂଜା। ଇତି ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ହେଉ କିମ୍ବା ସାର୍ବଜନୀନ ସ୍ଥଳରେ ଗଣେଶ ପୂଜା ପାଇଁ ନିର୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯନ୍ତ ସମ୍ବଲପୁର ଜିଲାରେ ତାହା କରାଯାଇ ନାହିଁ। ଏହାକୁ ନେଇ ଚିନ୍ତାରେ ମୂର୍ତ୍ତିକାରିଗର ଥିବା ବେଳେ ଦ୍ୱନ୍ଦରେ ଅଛନ୍ତି ଛାତ୍ରଛାତ୍ରୀ।
ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ରେ ଥିବା ଶହ ଶହ ମୂର୍ତ୍ତିକାରିଗରମାନେ ବିଶେଷ କରି ଗଣେଶ ପୂଜା ଓ ସରସ୍ୱତୀ ପୂଜା ମାନଙ୍କରେ ବେଶ୍ କିଛି ଟଙ୍କା ରୋଜଗାର କରିଥାନ୍ତି। ବର୍ତ୍ତମାନ କରୋନା କଟକଣା ଯୋଗୁଁ ସେମାନେ ଚିନ୍ତାରେ ରହିଛନ୍ତି। ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ମାନଙ୍କରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ପୂଜା ହେବକି ନାହିଁ ତାହାର କୌଣସି ଗ୍ୟାରେଣ୍ଟି ନଥିବା ଯୋଗୁଁ କାରିଗର ମାନେ ମୂର୍ତ୍ତି ଗଢିବେ କି ନାହିଁ ତାହାକୁ ନେଇ ମଧ୍ୟ ସେମାନେ ଦ୍ୱନ୍ଦରେ ପଡ଼ିଛନ୍ତି। ରେଢାଖୋଲ ସହରରେ ପ୍ରାୟ ୧୦ଜଣରୁ ଉର୍ଦ୍ଧ ମୂର୍ତ୍ତିକାରିଗର ଅଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ମୂର୍ତ୍ତିଗଢି ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ସମସ୍ତେ ଅପେକ୍ଷା କରିଥାନ୍ତି ଗଣେଶ ପୂଜାକୁ। ଏହି ପୂଜାରେ ସେମାନେ ଗୋଟିଏ ମାସରେ ପ୍ରାୟ ୪୦ ରୁ ୫୦ ହଜାର ଟଙ୍କା ଲାଭାବାନ ହୋଇଥାନ୍ତି ବୋଲି ପ୍ରକାଶ କରିଛନ୍ତି I ବଡ଼ ମୂର୍ତ୍ତି ଠାରୁ ଆରମ୍ଭ କରି ସାନ ମୂର୍ତ୍ତି ଓ ଛାଞ୍ଚ ମୂର୍ତ୍ତି ତିଆରି କରି ସେମାନଙ୍କର ସମସ୍ତ ଖର୍ଚ୍ଚ ଯିବା ପରେ ଏହି ଲାଭପାଉଥିବା ବେଳେ ଏହି ରୋଜଗାରରେ ସେମାନଙ୍କର ପ୍ରାୟ ୫ ରୁ ୬ ମାସ ଗୁଜୁରାଣ ମେଣ୍ଟିଯାଇଥାଏ। କିନ୍ତୁ କଟକଣା ଦିନକୁ ଦିନ ବଢୁଥିବା ଯୋଗୁଁ ଚଳିତ ବର୍ଷ ପ୍ରଶାସନ କ'ଣ ପଦକ୍ଷେପ ନେବେ ସେ ଦିଗରେ ସେମାନେ ଅଜ୍ଞଥିବା ଯୋଗୁଁ ଏବେ ଚିନ୍ତାରେ ବସିଛନ୍ତି I ଯଦି ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ମୂର୍ତ୍ତି ଗଢ଼ିବେ ଓ ପୂଜା ବନ୍ଦ ହେଇଗଲେ ମୂର୍ତ୍ତି ବିକ୍ରି ହୋଇପାରିବ ନାହିଁ I ଏହାକୁ ନେଇ ମଧ୍ୟ ସେମାନେ ଚିନ୍ତାରେ ପଡିଛନ୍ତି ମୂର୍ତ୍ତିକାରିଗର ମାନେ I ଏ ଦିଗରେ ସରକାର ଦ୍ରୁଷ୍ଟି ଦେଇ ସହାୟତା କରିବା ଆବଶ୍ୟକ ବୋଲି ସମସ୍ତ କାରିଗର ମାନେ ପ୍ରକାଶ କରିଛନ୍ତି I












