"ସମ୍ କୋଭିଡ ହସ୍ପିଟାଲକୁ  ନେଇ ଭାଇରାଲ ଭିଡିଓ ପ୍ରସାରଣ ପ୍ରସଙ୍ଗରେ ସୋଆ ଦେଲା ସ୍ପଷ୍ଟୀକରଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସାମାଜିକ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭିଡିଓ  ଭାଇରାଲ କରିବା ଦୁଃଖଦାୟକ ଓ ନିନ୍ଦନୀୟ

  • ନିର୍ଦ୍ଦିଷ୍ଟ ଗଣମାଧ୍ୟମ କରୁଛନ୍ତି  ବିଭ୍ରାନ୍ତିକର ଭାଇରଲ ଭିଡିଓ ଉପରେ  ଖବର  ପରିବେଷଣ 

  • ଘରଠୁ ଦୂରରେ ରହି ସେବାରେ ନିୟୋଜିତ  କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବାକୁ ଅପଚେଷ୍ଟା 

  • ଆଇନଗତ ପଦକ୍ଷେପ ଏବଂ ମାନହାନୀ ମକଦ୍ଦମା ନିମନ୍ତେ ଗ୍ରହଣ କରାଯାଉଛି ପଦକ୍ଷେପ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ସାରା ବିଶ୍ୱ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଯୁଦ୍ଧରେ ସାଢେ଼ ୪ କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗି ଓଡ଼ିଶା ସରକାର ଉଦ୍ୟମ ଚଳାଇଥିବା ବେଳେ ଏହି ମହତ କାର୍ଯ୍ୟରେ ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ।

ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା ସୋଆର ମୂଳମନ୍ତ୍ର ହୋଇଥିବା ବେଳେ ଏହି ମହାମାରୀର ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲ୍ ଗୁଡିକ ମଧ୍ୟରୁ ୪ଟି କୋଭିଡ ହସ୍ପିଟାଲ୍ ଏବଂ ଦୁଇଟି କୋଭିଡ କେୟାର ସେଂଟରର ଦାୟିତ୍ୱ ନେଇଛି ସୋଆ । ଏଥିରେ ୨୧୦୦ରୁ ଉର୍ଧ୍ଵ  ଶଯ୍ୟାର ବ୍ୟବସ୍ଥା ରହିଛି । ସଂକ୍ରମିତ ବ୍ୟକ୍ତି କିପରି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏହା ହିଁ ଉଦ୍ଦେଶ୍ୟ  ।

ଗତ ମାର୍ଚ୍ଚ ମାସରୁ ଯୁଦ୍ଧକାଳୀନ ଭିତିରେ ଓଡ଼ିଶାବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ଏବଂ ସେମାନଙ୍କର ଚିକିତ୍ସା କରାଇବା ନେଇ ଅଂଟା ଭିଡିଥିଲେ ରାଜ୍ୟ ସରକାର ଓ କୋଭିଡ ହସ୍ପିଟାଲ୍ ଆରମ୍ଭ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇଥିଲା ସୋଆ ।

ଏପି୍ରଲ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ସୋଆ କ୍ୟାମ୍ପସ୍ ୨ରେ ମହାନଦୀ କୋଲ ଫିଲ୍ଡସର  ସହଭାଗିତାରେ ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିଲା ୫୨୫ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ । ପରବର୍ତୀ ପର୍ଯ୍ୟାୟରେ ଏହାର ସଂଖ୍ୟା ଆଉ ୧୦୦କୁ ବୃଦ୍ଧି ହୋଇ ୬୨୫ରେ ପହଂଚିଛି । ଏଥିରେ ୫୦୦ ଶଯ୍ୟା ରହିଥିବା ବେଳେ ୧୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ହସ୍ପିଟାଲ ଓଡ଼ିଶାର ବୃହତମ ଏବଂ ଭାରତର ଅନ୍ୟତମ ବୃହତମ କୋଭିଡ ଆଇସିୟୁ ଭାବେ ପରିଗଣିତ ହେଉଛି ।

ସେହିପରି ସୋଆ ପକ୍ଷରୁ ଏପି୍ରଲ୍ ୧୨ ତାରିଖରେ କେନ୍ଦ୍ରାପଡ଼ାରେ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୭୦ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏହି ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ୧୬୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ଶଯ୍ୟା ରହିଛି ।

ଏପ୍ରିଲ୍ ୨୦ ତାରିଖରେ ତାଳଚେର ଠାରେ ଏମ୍ସିଏଲର  ସହଭାଗିତାରେ ୧୫୦ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ ହୋଇଥିଲା । ଏଠାରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ୧୪୪ଟି ଶଯ୍ୟା ରହିଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଛି । ସେହିପରି ଗତ ଜୁଲାଇ ୨୩ ତାରିଖରେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏଥିରେ ୩୫୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ଆଇସିୟୁ ଶଯ୍ୟା ରହିଛି ।

ଏହା ଛଡା ଖୋର୍ଦ୍ଧା ଜିଲ୍ଲା ଜାମୁଝରି ଏବଂ ଜଟଣୀର ଖୁଦୁପୁର ଠାରେ ସୋଆ ପକ୍ଷରୁ ୫୦୦ ଓ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର୍ ମଧ୍ୟ ଆରମ୍ଭ କରାଯାଇଛି । ସୋଆ ପକ୍ଷରୁ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯିବା ସହ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଉଦ୍ୟମ ଓ ସହଯୋଗ ବେଶ ପ୍ରଶଂସନୀୟ ।  ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ଏହି ହସ୍ପିଟାଲ୍ଗୁଡ଼ିକରେ ଦିନରାତି ନିଷ୍ଠାର ସହ କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ଭର୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସା ସୁଚାରୁରୂପେ କରାଯାଉଛି । ସେମାନଙ୍କର ଖାଇବା, ପିଇବା ଏବଂ ରହିବାର ସୁବ୍ୟବସ୍ଥା କରାଯିବା ସହ ସଠିକ୍ ପରିଚାଳନା ମଧ୍ୟ କରାଯାଉଛି ।

ଏସବୁ ସତ୍ୱେ କେତେକ ଗଣମାଧ୍ୟମ କରୋନା ଚିକିତ୍ସାକୁ ନେଇ ସମ୍ କୋଭିଡ ହସ୍ପିଟାଲ୍ ବିରୁଦ୍ଧରେ ଅପପ୍ରଚାର ଚଳାଇବା ଦୁଃଖଦାୟକ । ଉଦ୍ଦେଶ୍ୟମୂଳକ ଭାବେ ଏହି କୋଭିଡ ଯୋଦ୍ଧାମାନଙ୍କର ମନୋବଳକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । ଭୁଲ ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ ଦ୍ୱାରା କୋଭିଡ ମହାମାରୀର ମୁକାବିଲା କରୁଥିବା ଏବଂ ସଂକ୍ରମିତଙ୍କର ଦିନରାତି ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ମନୋବଳକୁ ଦୁର୍ବଳ କରାଯାଉଛି । ଦୀର୍ଘ ଦିନ ଧରି ଏହି କୋଭିଡ ଯୋଦ୍ଧାମାନେ ନିଜ ଘର ଓ ପରିବାର ଠାରୁ ଦୂରରେ ରହି ସେବା ଯୋଗାଇଆସୁଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାଇରାଲ ଭିଡିଓ ପ୍ରସାରଣ ଦୁଃଖଦାୟକ ଓ ନିନ୍ଦନୀୟ । ତେଣୁ ଏହି ଖବର ପ୍ରସାରଣ ବିରୁଦ୍ଧରେ ଆଇନ୍ର ଆଶ୍ରୟ ନିଆଯାଇଛି ଏବଂ ମାନହାନୀ ମକଦ୍ଦମା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସୋଆ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

 

0
0
0
s2sdefault