ଝାରସୁଗୁଡ଼ା :(ସୁଭାଷ ସହାରେ): ନୂଆଖାଇ ପର୍ବ ପାଳନ ନିମନ୍ତେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଲାଗୁ କରିଥିବା କଟକଣାକୁ ସାଧାରଣ ଜନତା ନାପସନ୍ଦ କରିଛନ୍ତି। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ।ଅଞ୍ଚଳର ସଂସ୍କୃତି,ଐତିହ୍ୟ,ଭ୍ରାତୃତ୍ବ,ପରମ୍ପରା ଓ ପରିଚୟକୁ ବହନ କରୁଥିବା ଏହି ପର୍ବ ପୃଥିବୀର କୋଣ ଅନୁକୋଣରେ ପାଳନ କରାଯାଉଛି। ଯେଉଁଠାରେ ଓଡ଼ିଆ, ସେଠାରେ ନୁଆଖାଇ। ମାତ୍ର ଏହି ପର୍ବର ଆଦିଭୂମିରେ ଏହା ଉପରେ କଟକଣା ଅର୍ଥାତ୍ ଏ ମାଟିର ଓ ସଂସ୍କୃତିର ଅପମାନ ବୋଲି ଜନସାଧାରଣଙ୍କ ଧାରଣା। ତେଣୁ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ପର୍ବକୁ ପାଳନ କରିବା ପାଇଁ ସରକାର କୋହଳ ନୀତି ଅବଲମ୍ବନ କରିବା ଉଚିତ୍ ବୋଲି ଦର୍ଶାଇ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ମୂଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।
ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ପତ୍ରରେ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ ଯେପରି ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସୁପ୍ରିମ କୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ପାଳନ କରାଯାଇପାରିଲା, ସେହିପରି ନୁଆଖାଇ ପର୍ବକୁ ମଧ୍ୟ ପାଳନ କରିବା ସକାଶେ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିପାରିବେ। ଲୋକେ ଏହି ପର୍ବ ପାଳନ ନିମନ୍ତେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ କ୍ରୟ-ବିକ୍ରୟ,ନୂଆଖାଇ ପର୍ବର ନୀତିକାନ୍ତି ପାଳନ ଉକ୍ତ ଗାଇଡଲାଇନ୍ ଅନୁସାରେ ଯେପରି କରିପାରିବେ, ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।
ଏହା ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଗରିବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥରାଶି ନୂଆଁଖାଇ ପୂର୍ବରୁ ହିତାଧିକାରୀଙ୍କୁ ଆଗୁଆ ପ୍ରଦାନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପୂଜାରୀ ମୂଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲାପାଳ ଗଣେଶ ପୂଜା ଓ ନୂଆଖାଇ ପର୍ବ ପାଳନ ଉପରେ କଟକଣା ଲାଗୁ କରି ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ମନ୍ଦିର ଓ ଘରେ ନୂଆଁଖାଇ ନୀତିକାନ୍ତି ପାଳନ ନିମନ୍ତେ ଓ ନୂଆଁଖାଇ ଭେଟଘାଟ ଉପରେ ଯେପରି ଭାବରେ କଟକଣା ଲାଗୁ କରାଯାଇଛି ତାହା ପଶ୍ଚିମ ଓଡ଼ିଶାର ଲୋକଙ୍କ ଭାବନାକୁ ଆଘାତ ଦେବ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି। କୋରୋନା ସଂକ୍ରମଣ ଆଳରେ ଲୋକଙ୍କ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବା ଉଚିତ ନୁହେଁ ବୋଲି ଅନେକେ ମତ ଦେଇଛନ୍ତି। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିବାରୁ ଏହା ସାମାଜିକ, ପାରମ୍ପରିକ, ଅର୍ଥନୈତିକ ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ। ବଜାରକୁ ସଂପୂର୍ଣ୍ଣ ସଟଡାଉନ ନ କରି ଲୋକଙ୍କ କିଣାବିକା ଓ ନୂଆଁଖାଇ ଦିନ ଭେଟଘାଟ ନିମନ୍ତେ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବାକୁ ଲୋକେ ଅନୁରୋଧ କରିଛନ୍ତି। ତେବେ ନୂଆଁଖାଇ ପରେ ପରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ,ଅନୁଷ୍ଠାନ ପ୍ରଭୃତି ଯେଉଁ ଭେଟଘାଟ କାର୍ଯ୍ୟକ୍ରମ କରି ଭିଡ଼ ଜମାଇ ଥାଆନ୍ତି, ତା ଉପରେ କଟକଣା ଲଗାଇବାକୁ ପ୍ରଶାସନ ପଦକ୍ଷେପ ନେବା କଥା ବୋଲି ଲୋକଙ୍କ ମତ।












