ହେଡଲାଇନସ୍:

ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପ୍ରାପ୍ୟ ପ୍ରଦାନରେ ସାମାନ୍ୟତମ ଅବହେଳା ବରଦାସ୍ତ କରାଯିବ ନାହିଁ -  ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର,: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ  ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ କୋଭିଡ ଯୋଦ୍ଧାମାନେ କୋଭିଡ  ଯୁଦ୍ଧରେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ  ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ଓ ସେମାନଙ୍କ ବିଭାଗ ଦାୟିତ୍ବରେ ରହିବେ। ଏ କ୍ଷେତ୍ରରେ ସାମାନ୍ୟତମ ଅବହେଳାକୁ ମଧ୍ୟ ବରଦାସ୍ତ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋଭିଡ ହସ୍‌ପିଟାଲ ଓ କୋଭିଡ କେୟାର ହୋମ୍‌ରେ ପ୍ରଦାନ କରାଯାଉଥିବା ସମସ୍ତ ଚିକିତ୍ସା ଓ ସେବାର ମାନ ଉପରେ ସମସ୍ତେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହିତ ଆମ୍ବୁଲାନ୍‌ସ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏବେ ବି ମଧ୍ୟ ଗୃହ ସଂଗରୋଧ ସଂପର୍କରେ ବିଭିନ୍ନ ପ୍ରକାର ଭ୍ରାନ୍ତଧାରଣା   ଲୋକଙ୍କ ମନରେ ରହୁଛି। ତେଣୁ ଏଥିପାଇଁ ଏକ ପ୍ରଭାବୀ IEC (ସୂଚନା, ମନୋରଂଜନ ଓ ସଂଚାର) କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଏହାକୁ ସର୍ବାଧିକ ପ୍ରାଥମିକତା (Top Priority) ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଅଧିକାରୀମାନଙ୍କ ସହିତ କୋଭିଡ ଯୁଦ୍ଧରେ ସଂପୂର୍ଣ୍ଣ ଭାବେ ସାମିଲ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଆସନ୍ତାକାଲି ରାଜ୍ୟରେ କୋଭିଡ ରୋଗରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାପର କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଆସନ୍ତାକାଲି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମର ଦୁଇଟି ଅଂଶ ରହିବ ।

୧. କୋଭିଡ ଯୁଦ୍ଧରେ ପ୍ରାଣବଳି ଦେଇଥିବା କୋଭିଡ ଯୋଦ୍ଧାମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ  ନୀରବ ପ୍ରାର୍ଥନା ।

୨. ଓଡିଶାର ଜନସାଧାରଣଙ୍କ ଦ୍ବାରା ଶପଥ ପାଠ । ଏଥିରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା ସହିତ ସେମାନଙ୍କ କାର୍ଯ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଶପଥ କରାଯିବ।

ରାଜ୍ୟର ବିଭିନ୍ନ ଅଂଚଳକୁ ପିଜି ଡାକ୍ତରମାନଙ୍କୁ ପଠାଯାଈଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।

କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ 

 ଆମ୍ବୁଲାନ୍‌ସ ସେବାକୁ ଅଧିକ ଫଳପ୍ରଦ କରିବା ପାଇଁ ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍‌ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି । ପ୍ଲାଜମା ଥେରାପି ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧୦୩ ୟୁନିଟ୍‌ ପ୍ଲାଜମା ସଂଗ୍ରହ ହୋଇଥିବା ବେଳେ ୫୮ ଜଣଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଇଛି । ତନ୍ମଧ୍ୟରୁ ୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେଇଛି। ସାରା ରାଜ୍ୟରେ ଚାଲିଥିବା ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଛି ଏବଂ ଏଥିରେ ୯୯ ପ୍ରତିଶତ ଘର ସର୍ଭେ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି  ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଗଞ୍ଜାମ ଗସ୍ତରେ ଯିବେ ବୋଲି ଜଣାଯାଇଛି। 

ଏହି ଅବସରରେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ସେଠାରେ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

0
0
0
s2sdefault