ହେଡଲାଇନସ୍:

କାଳବୈଶାଖୀରେ ଫସଲ କ୍ଷତି: ବିଷ ପିଇଲେ କନବାର ଗ୍ରାମର ଆଉ ଜଣେ ଚାଷୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

04-05-18-bar-w.jpg - 39.46 kB
ବରଗଡ଼/ବରପାଲି(ନୀଳ ଦୀପ )-ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବରପାଲି ଥାନା କନବାର ଗ୍ରାମର ଚାଷୀ ଅକ୍ରୂର ବିଶି (୫୦) ବିଷ ପିଇବାର ୨୪ଘଣ୍ଟା ନ ପୂରୁଣୁ ଶୁକ୍ରବାର ସେହି ଗ୍ରାମର ଆଉ ଜଣେ ଚାଷୀ କୀଟନାଶକ ପିଇଛନ୍ତି। ସେ ହେଲେ ସ୍ବର୍ଗତ ଶୁକ୍ରୁ ଭୋଇଙ୍କ ପୁଅ ନିରଞ୍ଜନ ଓରଫ ମାଟୁ (୩୬)। ବରପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ଭିମସାର ସ୍ଥାନାନ୍ତର କରାଯାଇଛି। ଗତ ୩୦ତାରିଖ କୁଆପଥର ବୃଷ୍ଟିରେ ନିରଞ୍ଜନଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଯୋଗୁ ସେ କୀଟନାଶକ ପିିଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବରପାଲି ତହସିଲଦାର ଦେବଯାନୀ ଭୂଆଁ ଓ ସ୍ଥାନୀୟ ପୋଲିସ ନିରଞ୍ଜନଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କ୍ରମାଗତ ଦୁଇଦିନରେ କନବାର ଗ୍ରାମର ଦୁଇଜଣ ଚାଷୀଙ୍କ ଏଭଳି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ ଏଠାରେ ଆଲୋଡ଼ନ ସୃଷ୍ଟି କରିଛି।
ଗତ ୩୦ ତାରିଖରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ବରପାଲି ବ୍ଲକ କନବାର ଗ୍ରାମର ଧାନ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି। କ୍ଷତିପୂରଣ ଦାବି କରି ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କ ଅଫିସକୁ ଆସିଥିଲେ। ଅକ୍ରୂର ବିଶି ନାମକ ଜଣେ ଚାଷୀ ଜିଲାପାଳଙ୍କ ଅଫିସ ଆଗରେ ସମସ୍ତଙ୍କ ଉପସ୍ଥିତିରେ ବିଷ ପିିଇ ଦେଇଥିଲେ। ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସେଠାରେ ଚିକିତ୍ସାଧୀନ ଥିବା ଅକ୍ରୂରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଉକ୍ତଦିନ ଜିଲାପାଳଙ୍କ କାର୍ଯ୍ୟାଳୟକୁ କ୍ଷତିପୂରଣ ଦାବିରେ ଆସି ଘରକୁ ଫେରିଥିବା କନବାର ଗ୍ରାମର ନିରଞ୍ଜନ ଶୁକ୍ରବାର ଅପରାହ୍ନ ସାଢ଼େ ୧୨ଟାରେ ନିଜ ପୋଟଳ କିଆରିକୁ ଯାଇ ବିଷ ପିିଇ ଦେଇଥିଲେ। ବାପାଙ୍କ ଦେହାନ୍ତ ହେବା ନିରଞ୍ଜନଙ୍କ ଉପରେ ପରିବାର ବୋଝ ପଡ଼ିଥିଲା। ଅବିବାହିତ ନିରଞ୍ଜନଙ୍କ ପାଖରେ ତାଙ୍କ ମା’, ୨ଭାଇ, ୨ଭଉଣୀ ରହୁଥିବାବେଳେ ବିବାହିତ ବଡ଼ଭାଇ ଭରତ ଅଲଗା ତାଙ୍କ ପରିବାର ସହ ରହୁଛନ୍ତି। ସେ ୫ଏକର ଜମିରେ ଧାନ ଓ ଅଳ୍ପକିଛି ଜମିରେ ପୋଟଳ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତବର୍ଷ ଖରିଫରେ ଚକଡ଼ା ରୋଗପୋକ ଯୋଗୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଏଥର ରବି ଫସଲରୁ ସେହି କ୍ଷତିଭରଣା ହେବ ବୋଲି ନିରଞ୍ଜନ ଆଶା ରଖିଥିଲେ। ମାତ୍ର ୩୦ ତାରିଖ କାଳବୈଶାଖୀ ରବି ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଏଥିପାଇଁ ସେ ଅଧିକାଂଶ ସମୟ ମାନସିକ ଅବସାଦରେ ରହିବା ସହ ଠିକ୍‌ଭାବେ ଖିଆପିଆ କରୁ ନ ଥିବା ପରିବାର ଲୋକେ କହିଛନ୍ତି। ଏପରିକି ଗ୍ରାମର ଚାଷୀମାନେ ଗୁରୁବାର କ୍ଷତିପୂରଣ ଦାବିରେ ଜିଲାପାଳଙ୍କ ଅଫିସକୁ ଆସିଥିବାବେଳେ ନିରଞ୍ଜନ ମଧ୍ୟ ତାଙ୍କ ସହ ଆସିଥିଲେ। ତେବେ ଶୁକ୍ରବାର ଅପରାହ୍ନ ସାଢ଼େ ୧୨ଟାରେ ସେ ପୋଟଳ କିଆରିକୁ ଯାଇ ୨୪ଡି ନାମକ ଏକ କୀଟନାଶକ ପିଇ ଦେଇଥିଲେ। ସେଠାରେ ସେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନା ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ବରପାଲି ମେଡିକାଲ ଅଫିସର ସରୋଜ କୁମାର ସେଠ ନିରଞ୍ଜନଙ୍କୁ ନେଇ ବୁର୍ଲା ଡାକ୍ତରଖାନା ଯାଇଥିବା ଜଣାପଡ଼ିଛି।

0
0
0
s2sdefault