ଯାଜପୁର ଜୟଶଙ୍କର ଦାଶ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ସଂଗ୍ରାମ କେଶରୀ ମହାପାତ୍ର ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଶ୍ରୀ ମହାପାତ୍ର ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମସ୍ତ ରାଜସ୍ୱ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷାର ପ୍ରାରମ୍ଭରେ ଉପଜିଲ୍ଲାପାଳ ନରାୟଣ ଚନ୍ଦ୍ର ଧଳ ଯୁଗ୍ମ ସଚିବଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ ରାଜସ୍ୱ ବିଭାଗର ବିବିଧ ବିବରଣୀ ଓ ପ୍ରଗତି ସଂପର୍କରେ ସୂଚନା ଦେଇଥିଲେ । ରାଜସ୍ୱ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା ୨୫ ପଏଣ୍ଟ ପାରା ମିଟର ଅନୁଯାୟୀ ଆଲୋଚନା କରାଯାଇଥିଲା । ଏହି ପାରା ମିଟର ସରକାରଙ୍କର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହା ସାଧାରଣ ଲୋକଙ୍କୁ ତ୍ୱରାନ୍ୱିତ ସେବା ଦେବାରେ ବିଶେଷ ସହାୟକ ହେଊଥିବାରୁ ଏହାକୁ ନିଷ୍ଠାର ସହ ପରିଚାଳନା କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ ଅନ୍ଲାଇନ୍ ମୁ୍ୟଟେସନ, ଲ୍ୟାଣ୍ଡ ରେକର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ, ରାଜସ୍ୱ କୋର୍ଟ କେଶ ମନିଟରିଂ ସିଷ୍ଟମ, ଟୁ୍ୟଇଷ୍ଟ ର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା ଓ ଆଲୋଚନା କରିଥିଲେ । ଆଗାମୀ ଦିନରେ ବିଭାଗ ପକ୍ଷରୁ ହେଉଥିବା ଅନ୍ଲାଇନ୍ ଭୂ ଲେଖ ନକ୍ସା, ଅନ୍ଲାଇନ୍ ସଲତମାମୀ ସଂପର୍କରେ ଶ୍ରୀ ମହାପାତ୍ର ଆଲୋଚନା କରିଥିଲେ । ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟରେ ଇଣ୍ଟରନେଟ୍ ସେବାକୁ ତ୍ୱରାନ୍ୱିତ ଓ ଗତି ବଢାଇବା ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଓ ସହକାରୀ ପ୍ରୋଗ୍ରାମ ଅପିଂସରଙ୍କୁ ସେ ପରାମର୍ଶ ଦେଇଥିଲେ । ଅନଲାଇନ ମାଧ୍ୟମରେ ଇ-ମୁ୍ୟଟେସନ ସମୟରେ ହେଉଥିବା ବୈଷୟିକ ଅସୁବିଧା ସଂପର୍କରେ ତହସିଲଦାର ମାନେ ଯୁଗ୍ମ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଆଶୁ ସମାଧାନ ପାଇଁ ରାଜ୍ୟ ସ୍ତରର ବୈଷୟିକ ବିଶେଷଜ୍ଞଙ୍କ ପରାମର୍ଶ ଲୋଡା ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।
ଏହି ସମୀକ୍ଷା ବୈଠକରେ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ସୁଧାଂଶୁ ଶତପଥୀ, ଇ-ଡିଷ୍ଟ୍ର୍ରିକ୍ଟ ମ୍ୟାନେଜର ଶାରଦା ପ୍ରସନ୍ନ ନାୟକ ପ୍ରମୁଖ ଊପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରେ ସଚିବ କୁସୁମା ପୋଖରୀ, ଲୋଗୋ ପାର୍କ ଇତ୍ୟାଦି ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ ।