କରୋନା ମୁକାବିଲା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନିଅନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଧାନୀରେ କରୋନା ପରିସ୍ଥିତି ଗୁରୁତର ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି 

ଭୁବନେଶ୍ୱର :ଚଳିତ ମାସ ୨୭ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଂଚିଥିବା ସରକାରୀ ଭାବରେ ସ୍ପଷ୍ଟ କରାଯାଇଛି  । ଭୁବନେଶ୍ୱର ଭଳି ଜନସଂଖ୍ୟା ବିଶିଷ୍ଟ ସହରରେ ଏତେ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ  । କ୍ୱାରେଂଟାଇନ ସେଂଟର ବା ହୋମ୍ କ୍ୱାରେଂଟାଇନ୍ ବ୍ୟକ୍ତିବିଶେଷଙ୍କୁ ଛାଡ଼ି ଲୋକାଲ୍ କରୋନା କେସ୍ ଦ୍ରୁତ ବେଗରେ ବଢ଼ିବା ଆହୁରି ଚିନ୍ତା ବଢାଇଛି । ରାଜଧାନୀର ବସ୍ତି ଗୁଡ଼ିକରୁ ବିଗତ କିଛି ଦିନ ମଧ୍ୟରେ କରୋନା ପଜିଟିଭ୍ ସଂଖ୍ୟାରେ ଦ୍ରୁତ ବୃଦ୍ଧି ରାଜଧାନୀବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ତିଆରି କରିଛି  । ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିବିଶେଷମାନେ ବାରମ୍ବାର ଫୋନ କରି ଡାକ୍ତରୀ ସହାୟତା ମାଗିଲେ ମଧ୍ୟ ସେମାନେ ସେ ସୁବିଧାରୁ ବଂଚିତ ହେବା ନେଇ ଦୈନିକ ଅନେକ ଅଭିଯୋଗ ଆସୁଛି  । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷ ମାନଙ୍କର କଂଟ୍ରାକ୍ଟ୍ ଟ୍ରେସିଂ ବ୍ୟବସ୍ଥା ରାଜଧାନୀରେ ସଠିକ୍ ଭାବରେ ପରିଚାଳନା ହୋଇପାରୁନଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଭୟ ଦେଖାଯାଇଛି  । କରୋନା ବ୍ୟତିତ ଅନ୍ୟାନ୍ୟ ସାଧାରଣ ଓ ଗୁରୁତର ରୋଗୀ ମାନଙ୍କର ରାଜଧାନୀ ବେସରକାରୀ ଚିକିତ୍ସାଳୟ ମାନଙ୍କରେ ଅତି ଖରାପ ପରିସ୍ଥିତିରେ ପହଂଚିଛି  । ଅନେକ ଗୁରୁତର ରୋଗୀ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି  । ଏପରି ସ୍ଥିତିରେ ରାଜଧାନୀ ଭୁବନେଶ୍ୱରରେ ଗୁରୁତର କରୋନା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଶେଷ ଭାବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିଶେଷ ସହଯୋଗ ଲୋଡ଼ିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ । 

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ,  ନୂଆଦିଲ୍ଲୀରେ ସ୍ଥିତି ସଙ୍ଗୀନ ହେଉଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କରୋନା ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂଆ ରାସ୍ତା ଦେଖାଇଛନ୍ତି  । ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ମାନଙ୍କୁ ବିଶ୍ୱାସର ସହ ନେଇ କରୋନା ପରିଚାଳନାକୁ ଜନଭାଗିଦାରୀ ମାଧ୍ୟମରେ ନୂଆ ସ୍ତରରେ ପହଂଚାଇଛନ୍ତି  । ପବ୍ଲିକ ହେଲ୍ଥ ଅଧିକାରୀଙ୍କୁ ପ୍ରଶାସନିକ କ୍ଷମତା ହେଉ ବା କଂଟ୍ରାକ୍ଟ ଟ୍ରେସିଂ ଓ ଡୋର ଟୁ ଡୋର୍ ସର୍ଭେରେ ଏନଜିଓ, ସାମାଜିକ ସଂଗଠନକୁ ସାମିଲ କରିଛନ୍ତି । ସେହିପରି କରୋନା ରୋଗୀଙ୍କ ପାଇଁ ରାତାରାତି ବେଡ଼୍ ସଂଖ୍ୟା ବଢ଼ାଇବା, ଅକ୍ସିଜେନ , ଭେଂଟିଲେଟର ଓ ଆମ୍ବୁଲାନ୍ସ ସଂଖ୍ୟାରେ ଆଶାତିତ ବୃଦ୍ଧି କରିବା ଆଦି ପଦକ୍ଷେପ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତ କରିଛି  । 

ରାଜଧାନୀର ସ୍ଥିତି ଖରାପ ହେଉଥିବା ସମୟରେ ରାଜ୍ୟ ପ୍ରଶାସନକୁ ଅଧିକ ସଜାଗ କରିବା ଓ କେନ୍ଦ୍ର ସରକାର ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିଶେଷ ସହଯୋଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ସିଂ ଅନୁରୋଧ କରିଛନ୍ତି ।  

ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ଓ ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault