ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଦବି ପୂରଣ ନେଇ ସରକାରଙ୍କ କାଳକ୍ଷେପଣ ନୀତିର ପ୍ରତିବାଦରେ ସମଗ୍ର ରାଜ୍ୟରେ କାର୍ଯ୍ୟରତ ରାଜସ୍ୱ ଅମଲାମାନେ ସମୂହ ଛୁଟିରେ ରହିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ଭାବେ ଅବସ୍ଥା ପରିଲକ୍ଷିତ ହୋଇଛି । ନ୍ୟାର୍ଯ ଦାବି ପୂରଣ ନେଇ ବିଭିନ୍ନ ସମୟରେ ଆନେ୍ଦାଳନକୁ ଓହ୍ଲାଉଥିବା ଅମଲା ସଂଘକୁ ସରକାର ପ୍ରତିଶ୍ରୁତି ଦେଉଥିଲେ ବି ଏହାକୁ ପାଳନ କରିବାରେ ସରକାରୀ ଉଦାସୀନତା ଦୁର୍ଭାଗ୍ୟଜନକ ବୋଲି ସଂଗଠନର କର୍ମକର୍ତ୍ତାମାନେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ରାଜ୍ୟବ୍ୟାପୀ ଅମଲାଙ୍କମାନଙ୍କର ଦୀର୍ଘ ଦିନର ଧାରଣା ପରେ ଦାବି ପୂରଣ ପାଇଁ ରାଜ୍ୟ ସରକାର ଦୁଇ ମାସ ସମୟ ନେଇଥିଲେ । ସେହିକ୍ରମରେ ସରକାରଙ୍କ ପ୍ରତିଶ୍ରୁତିକୁ ଭରସା କରି ସମସ୍ତ ଅମଲା କାର୍ଯ୍ୟରେ ଯୋଗ ଦେଇଥିଲେ । ମାତ୍ର ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ହେବାପରେ ସଂଘ ପୁନଃ ଆନେ୍ଦାଳନମୁଖୀ ହେବାକୁ ବାଧ୍ୟ ହୋଇଛି ବୋଲି ଅମଲା ସଂଘର କର୍ମକର୍ତାମାନେ କହିଥିଲେ । କେବଳ ଶିକ୍ଷାଗତ ଯୋଗ୍ୟତାକୁ ବୃଦ୍ଧି କରିବା ଛଡା ଅନ୍ୟାନ୍ୟ ଦାବି, ବିଶେଷ କରି ରାଜସ୍ୱ ଅମଲାମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ, ଅମଲା କ୍ୟାଡରର ପୁନଃର୍ବିନ୍ୟାସ, ବେତନହାରରେ ଅଭିବୃଦ୍ଧି, ଓଡିଶା ରାଜସ୍ୱ ସେବା ପଦବୀରେ ପଦନ୍ନୋତି ପାଇଁ ଶତ ପ୍ରତିଶତ ସଂରକ୍ଷଣ ସହିତ ରାଜସ୍ୱ ଅମଲାମାନଙ୍କୁ ୭୫ ପ୍ରତିଶତ ପଦବୀ ପ୍ରଦାନ, ଚୁକ୍ତିଭିତିକ ନିଯୁକ୍ତି ବ୍ୟବସ୍ଥାର ଉଚ୍ଛେଦ ସହିତ ସମସ୍ତଙ୍କୁ ସ୍ଥାୟୀ କରିବାକୁ ଦାବି ହୋଇ ଆସୁଛି । ଅମଲାମାନଙ୍କ ଦାବି ପ୍ରତି ସରକାରୀ ଉଦାସୀନତା ସୀମା ଟପିବା ପରେ ଏବେ ସମୂହ ଛୁଟିରେ ରହିବାକୁ ବାଧ୍ୟ ହୋଇଥିବା ସେମାନେ କହିଛନ୍ତି । ରାଜ୍ୟ ଅମଲା ସଂଘ କାର୍ଯ୍ୟକାରୀ ପରିଷଦର ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାର ସମସ୍ତ ଅମଲା ଛୁଟିରେ ରହିବେ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଜିଲ୍ଲା ରାଜସ୍ୱ ଅମଲା ସଂଘର ସଭାପତି ପୀତବାସ ଦାସ, କାର୍ଯ୍ୟକାରୀ ସଭାପତି ରୂପକ କୁମାର ଦାସ, ଉପ-ସଭାପତି ବନିତାରାଣୀ କିସ୍କୁ, ସମ୍ପାଦକ ସ୍ୱସ୍ତିକ ଦାସ, କାର୍ଯ୍ୟାଳୟ ସମ୍ପାଦକ ମନୋଜ କୁମାର ମିଶ୍ର, ସହ-ସମ୍ପାଦକ ପାର୍ଥସାରଥି ଅଗସ୍ତି, ସଂଗଠନ ସମ୍ପାଦକ ପ୍ରବୀଣ କୁମାର ମାଝୀ ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ ରାଜସ୍ୱ ଅମଲା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ତେବେ ଆନ୍ଦୋଳନ ଯୋଗୁଁ ସମଗ୍ର ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅମଲାଶୂନ୍ୟ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ବିଶେଷ କରି ଜିଲ୍ଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।
ରାଜ୍ୟ
ଦାବି ପୂରଣରେ ସରକାରୀ ଉାସୀନତାର ପ୍ରତିବାଦ, ସମୂହ ଛୁଟିରେ ଗଲେ ରାଜସ୍ୱ ଅମଲା
- Hits: 633