ହେଡଲାଇନସ୍:

ଅଗାଡି ସରକାର !!!! ନକଲି ବିହନ ପ୍ରଭାବ, ଧାନ ହେଲା ନାରଖାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବରଗଡ଼/Nila Deep -ଝଡ଼ବର୍ଷା, ମରୁଡ଼ି ଓ ରୋଗପୋକ ଉପଦ୍ରବ ଚାଷୀଙ୍କ ପାଇଁ ଦେହସୁହା ହୋଇଗଲାଣି। ମାତ୍ର ଚାଷ ସକାଶେ ଆବଶ୍ୟକ ବିହନ, ସାର, କୀଟନାଶକ ନକଲି ବାହାରିବା ଏବଂ ତହିଁର ପ୍ରତିକୂଳ ପ୍ରଭାବ ସିଧାସଳଖ ଫସଲ ଉପରେ ପଡ଼ିବା ଚାଷୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କେତେବେଳେ ପରିବା ତ ଆଉ କେବେ ଧାନ ବିହନ ନକଲି ବାହାରିବା ଘଟଣା ପଦାକୁ ଆସୁଛି । ନିକଟରେ ନକଲି ବିହନ ଯୋଗୁ କୋବିରେ ଫୁଲ ନ ଆସିବା ଜଣାପଡ଼ିଥିଲା । ଏବେ ଧାନ ଅମଳକ୍ଷମ ଅବସ୍ଥାକୁ ଆସିଯାଇଥିବାବେଳେ କେଣ୍ଡାରେ ଧାନ ବଦଳରେ ଖାଲି ଅଗାଡି ରହିଥିବା ଲୋକଲୋଚନକୁ ଆସିଛି । ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ କୁଟେନପାଲି ଅଞ୍ଚଳର ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଧାନଗଛ ଗୁଡ଼ିକ ହୃଷ୍ଟପୁଷ୍ଟ ହୋଇ ଭଲ ଭାବେ ବଢ଼ିଥିବାବେଳେ ବର୍ତ୍ତମାନ ଧାନକେଣ୍ଡାରେ କେବଳ ଅଗାଡ଼ି(ପୋଲ) ଦେଖିବାକୁ ମିଳୁଛି । ଏଥିରେ ପ୍ରଭାବିତ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ଯାଇଛି । ଏକ ଘରୋଇ କମ୍ପାନୀ ଯୋଗାଇଥିବା ନିର୍ଦ୍ଦିଷ୍ଟ କିସମର ବିହନର ଧାନ ଫସଲ ହିଁ ଏଭଳି କ୍ଷତିଗ୍ରସ୍ତ ହୋଇଛି। ନକଲି ବିହନ ଯୋଗୁ ସେଭଳି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଗତବର୍ଷ ଚକଡ଼ା ରୋଗପୋକରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ଉପରେ ନକଲି ବିହନ ଦାଉ ସାଧୁଥିବାବେଳେ ଚାଷୀ ଏବେ ଋଣ, କରଜ ପରିଶୋଧ ତ ଦୂରର କଥା, ପରିବାର ଗୁଜୁରାଣ କିଭଳି ମେଣ୍ଟାଇବ ସେ ନେଇ ଚିନ୍ତିତ ହୋଇ ପଡ଼ିଛି । ସାର, କୀଟନାଶକଠାରୁ ଆରମ୍ଭ କରି ବିହନ ପର୍ଯ୍ୟନ୍ତ ନକଲି ବାହାରିବା ଏବଂ ସମ୍ପୃକ୍ତ କମ୍ପାନୀ ଗୁଡ଼ିକ ସେଗୁଡିକୁ ଅବାଧରେ ବିକ୍ରି କରିବାର ସୁଯୋଗ ପାଉଥିବାରୁ କୃଷି ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି । ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ନଜରକୁ ଆସୁଥିବାବେଳେ କୃଷି ବିଭାଗ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏବେ ଚାଷୀମାନେ ନକଲି କମ୍ପାନୀ ଜାଲରେ ଛନ୍ଦି ହୋଇ ପଡିଛନ୍ତି । ଏ ନେଇ ଜିଲା କୃଷି ଉପନିର୍ଦ୍ଦେଶକ ଦିନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ କହିଲେ, ଯଦି ସେଭଳି କିଛି ହୋଇଛି, ଏହାର ବିଧିବଦ୍ଧ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ କମ୍ପାନୀକୁ ଚିଠି ଲେଖି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଥିଲେ 

0
0
0
s2sdefault