ବରଗଡ଼\ Nila Deep -କାଳବୈଶାଖୀ ପ୍ରଭାବରେ କରକାପାତ ଯୋଗୁ ବରଗଡ ଜିଲା ବିଜେପୁର ବ୍ଲକର ଉପାନ୍ତ ଅଞ୍ଚଳର ଅମଳକ୍ଷମ ରବି ଧାନଫସଲ କ୍ଷତିଗ୍ରସ୍ତ ହୋଇଛି । ଶନିବାର ସନ୍ଧ୍ୟାରେ ଏହି ଅଞ୍ଚଳରେ ଘୂର୍ଣ୍ଣଝଡ ସହ କୁଆପଥର ବର୍ଷା ହୋଇଥିଲା । ଫଳରେ ଗଣ୍ଠିଆପାଲି ପଞ୍ଚାୟତର ଗଣ୍ଠିଆପାଲି, ଏମ୍. ବାଦିପାଲି, ମହବେର୍ଣ୍ଣା, ବରକାନୀ, ବଡବ୍ରାହ୍ମଣୀ ପଞ୍ଚାୟତର କଟାପାଲି, ବଡବ୍ରାହ୍ମଣୀ ଗ୍ରାମର ଧାନ ଫସଲ ନଷ୍ଟ ହୋଇଛି । କରକା ମାଡ ଯୋଗୁ ପାକଳ ଅବସ୍ଥାରେ ଥିବା ଧାନଗଛରୁ ଧାନ ଝଡି ଯାଇଛି । ବହୁ ଗଛପତ୍ର ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି । ତେଣୁ ଶନିବାର ସନ୍ଧ୍ୟାରୁ ଗଣ୍ଠିଆପାଲି ପଞ୍ଚାୟତବାସୀ ବିଦ୍ୟୁତ ସରବରାହରୁ ବିଚ୍ଛିନ୍ନ ହୋଇ ଅନ୍ଧାରରେ ରହୁଛନ୍ତି । ଆଉ ଏକ ସପ୍ତାହ ମଧ୍ୟରେ ବିଲରୁ ଧାନ ଅମଳ କରିବାର ଆଶା ରଖିଥିଲୁ । ହେଲେ ଖାଏଲା ଭାତେ ଧୁଇଲ ଝିଟା ହୋଇଗଲା । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତ୍ୱରିତ ସହାୟତା ଯୋଗାଇ ଦେବାକୁ ନବୀନ ପଟେଲ, ହର ପଟେଲ, ଭୀମ ପଟେଲ, ଶଙ୍କର ପଟେଲ, ଶ୍ରୀପତି ଭୁକ୍ତା, ହରିବୋଲ ଭୁକ୍ତା ପ୍ରମୁଖ ଚାଷୀ ଦାବି କରିଛନ୍ତି । କରକା ମାଡ ଯୋଗୁ ଶତାଧିକ ଏକର ଅମଳକ୍ଷମ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ସେହିପରି ଗଣ୍ଠିଆପାଲିର ପୁସ୍ତମ ନାଗ, ମାଧବ ପଟେଲ, କୀର୍ତ୍ତନ ମାଝୀଙ୍କ ଘର ଭାଙ୍ଗିରୁଜି ଯାଇଛି । ଖବର ପାଇ ରବିବାର ତହସିଲଦାର ସୀତାରାମ ଭୋଇ, ବଡବ୍ରାହ୍ମଣୀ ରାଜସ୍ବ ନିରୀକ୍ଷକ ସୋନୁଲତା ପଣ୍ଡା, ସ୍ଥାନୀୟ ଗ୍ରାମାଞ୍ଚଳ କୃଷି କର୍ମଚାରୀ ଦାଶବାବୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏ ନେଇ ତହସିଲଦାର ଭୋଇଙ୍କୁ ପଚାରିବାରୁ ଗଣ୍ଠିଆପାଲି ପଞ୍ଚାୟତ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ରବିବାର ମୁଁ ରାଜସ୍ବ ନିରୀକ୍ଷକଙ୍କ ସହିତ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛି । ସୋମବାର ରାଜସ୍ବ ଓ କୃଷି ବିଭାଗର ମିଳିତ ଆକଳନ କରାଯିବା ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡିବ ବୋଲି ତହସିଲଦାର ଭୋଇ କହିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପୁର ବ୍ଳକର ବଡବ୍ରାହ୍ମଣୀ ରାଜସ୍ବ ସର୍କଲର ଦଶ ଖଣ୍ଡ ରାଜସ୍ବ ଗ୍ରାମକୁ ହୀରାକୁଦ କମାଣ୍ଡ ଏରିଆର ପାଣି ମାଡିଥାଏ । ତେଣୁ ଏହି ଅଞ୍ଚଳର ଚାଷୀମାନେ ଖରିଫ ଓ ରବି ଧାନ ଫସଲ କରିଥାନ୍ତି ।