ହେଡଲାଇନସ୍:

ଇଏ କି ସ୍ଥିତି : ପଶ୍ଚିମ ଓଡିଶାପାଇଁ କିଆଁ ଏମିତି ରୀତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଶ୍ଚିମ ଓଡ଼ିଶାରେ ଖାଲି ପଡ଼ିଛି ଅଧାରୁ ଅଧିକ ଅଧ୍ୟାପକ ପଦବୀ : କୌଣସି କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ 

ଭୁବନେଶ୍ୱର, ୨୯ା୦୪: ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ୮ଟି ଜିଲ୍ଲାରେ ଥିବା ସରକାରୀ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନଥିବା ବେଳେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲିପଡ଼ିଛି । ବିଧାନସଭାରେ ମନ୍ତ୍ରୀ କହିଛନ୍ତି ଯେ ଏହି କଲେଜଗୁଡ଼ିକରେ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯାଉଥିବା ବେଳେ ନିୟମିତ ଅଧ୍ୟକ୍ଷ ପଦବୀ ପୂରଣ ଲାଗି ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ଖାଲିଥିବା ଅଧ୍ୟାପକ ପଦବୀରେ ଅତିଥି ଅଧ୍ୟାପକମାନଙ୍କୁ ରଖି ଶିକ୍ଷାଦାନ କାର୍ଯ୍ୟ ସମ୍ପାଦନ କରାଯାଉଛି । ଏହାଛଡ଼ା ଏହି କଲେଜଗୁଡ଼ିକରେ ଅଣଶିକ୍ଷକ ପଦବୀରୁ ପ୍ରାୟ ୬୦ ପ୍ରତିଶତ ଖାଲି ପଡ଼ିଛି । 

ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦେଇଥିବା ବିସ୍ତୃତ ସୂଚନାରୁ ଜଣାପଡ଼ିଛି  ଯେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସୁନ୍ଦରଗଡ଼ ସରକାରୀ କଲେଜ ଓ ମହିଳା କଲେଜ ଏବଂ ରାଉରକେଲା ସ୍ୱୟଂଶାସିତ କଲେଜ, ଏସ୍ଜି ମହିଳା କଲେଜ ଓ ରାଉରକେଲା କଲେଜ ଲାଗି ୨୦୮ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ୧୨୭ଟି ପଦବୀ ଖାଲି ପଡ଼ିଛି । ଏହି ୫ଟି କଲେଜ ଲାଗି ୨୨୦ଟି ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୧୩୮ଟି ଖାଲି । ରାଉରକେଲା ସ୍ୱୟଂଶାସିତ କଲେଜର ୬୦ଟି ଶିକ୍ଷକ ପଦବୀରୁ ୪୧ଟି ଓ ୭୫ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୫୦ଟି ଖାଲି ପଡ଼ିଛି । ସେହିପରି ରଉରକେଲାର ଏସ୍ଜି ମହିଳା କଲେଜର ୪୧ଟି ଅଧ୍ୟାପକ ପଦବୀ ମଧ୍ୟରୁ ୨୩ ଓ ୩୬ଟି ଅଣଶିକ୍ଷକ ପଦବୀରୁ ମଧ୍ୟ ଆଉ ୨୩ଟି ଖାଲି ପଡ଼ିଛି । ସୁନ୍ଦରଗଡ଼ ସରକାରୀ କଲେଜ ଲାଗି ୫୧ଟି ଓ ମହିଳା କଲେଜ ଲାଗି ୩୯ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରେ ଏବେ ଯଥାକ୍ରମେ ୩୨ ଓ ୨୩ ଜଣ ଅଧ୍ୟାପକ ଅଛନ୍ତି । 

ବଲାଙ୍ଗୀର ସ୍ୱୟଂଶାସିତ କଲେଜ ଲାଗି ୭୫ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଓ ୮୦ଟି ଅଣଶିକ୍ଷକ ପଦବୀ ଥିବା ବଳେ ସେଥିରୁ ଯଥାକ୍ରମେ ୪୧ ଓ ୩୦ ଟି ପଦବୀ ଖାଲିପଡ଼ିଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଭୁକ୍ତ ବଲାଙ୍ଗୀର, ବରଗଡ଼, ଦେବଗଡ଼, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ରେ ଥିବା ୧୬ଟି ସରକାରୀ କଲେଜରେ ୧୯,୨୪୨ ଛାତ୍ରଛାତ୍ରୀ ପଢୁଥିବା ବେଳେ ଏଗୁଡ଼ିକ ପାଇଁ ୫୮୩ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ୬୩୪ଟି ଅଣଶିକ୍ଷକ ପଦବୀ ଅଛି । ଏଥିମଧ୍ୟରୁ ୩୨୫ଟି ଶିକ୍ଷକ ଓ ୩୭୯ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ତାଲିକାରେ ସମ୍ବଲପୁରର ଗଙ୍ଗାଧର ମେହେର କଲେଜର ନାମ ନାହିଁ । 

ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ଜିଲ୍ଲାଗୁଡ଼ିକ ଏବେ ବି ଅତ୍ୟନ୍ତ ଅନଗ୍ରସର ଅବସ୍ଥାରେ ରହିଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ସରକାରୀ କଲେଜଗୁଡ଼ିକର ଅବସ୍ଥା କେତେ ଶୋଚନୀୟ ତାହା ମନ୍ତ୍ରୀଙ୍କ ଉତ୍ତରରୁ ବାରି ହୋଇପଡୁଛି । ଏ ପରିପ୍ରେକ୍ଷୀରେ ଏହି ଅଞ୍ଚଳରେ ଥିବା ସମସ୍ତ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକର ଅବସ୍ଥା ଆହୁରି ଅତ୍ୟନ୍ତ ସାଙ୍ଘାତିକ । ସମଗ୍ର ଇଲାକାରେ ସ୍କୁଲ ଶିକ୍ଷା ପ୍ରଦାନ ବିପର୍ଯ୍ୟୟସ୍ତ ଅବସ୍ଥାରେ ରହିଛି । ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଭୁକ୍ତ ଜିଲ୍ଲାଗୁଡ଼ିକରେ ଖାଲି ପଡ଼ିଥିବା ଶହ ଶହ ଶିକ୍ଷକ ଓ ଡାକ୍ତର ପଦବୀ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ପୂରଣ କରିବା ପାଇଁ ବିଧାୟକ ଶ୍ରୀ ରାୟ ଦାବି କରିଛନ୍ତି । 

0
0
0
s2sdefault