ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ଥାନା କୁ୍ଞ୍ଜାମୁରା ଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିବା ଜଣାପଡିଛି । ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେବା ସହ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ନାକ୍ଟିଦେଉଳ ଥାନା ବାଟଗାଁ ପଞ୍ଚାୟତର କୁ୍ଞ୍ଜାମୁରା ବକ୍ସିବଜାର ସାହିର ସଦା ନାଏକ ନାମରେ ଜଣେ ବୃଦ୍ଧ ବାଟଗାଁ ଗ୍ରାମକୁ କୌଣସି ଏକ କାମରେ ଯାଇ ସେଠାରୁ ଫେରୁଥିବା ବେଳେ ବକ୍ସିବଜାର ସାହି ନିକଟରେ ପଛପଟୁ ଦୃତ ଗତିରେ ଦେବଗଡ ଜିଲ୍ଲା ରିଆମାଳ ଅଞ୍ଚଳର ଦୁଇଜଣ ବ୍ୟକ୍ତି ବାଟଗାଁ ପଟୁ ଏକ ମୋଟର ସାଇକେଲରେ ଫେରୁଥିଲେ । ବକ୍ସିବଜାର ଛକ ନିକଟରେ ବୃଦ୍ଧ ଜଣଙ୍କୁ ବାଇକ ଆରୋହୀ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ବାଇକ୍ ଆରୋହୀ ଦୁଇ ଜଣଙ୍କୁ ଗ୍ରାମବାସୀ ଅଟକ ରଖିବା ସହ କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ରାଞ୍ଚି-ବିଜୟୱାଡା ରାସ୍ତା ଅବରୋଧ କରିଥିଲେ।
ଘଟଣାର ଖବର ପାଇ ରେଢାଖୋଲ ଏସ୍ଡିପିଓ ହାଡିବନ୍ଧୁ ସ୍ୱାଇଁ ଓ ନାକ୍ଟିଦେଉଳ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ।











