ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଚଳିତ ଜୁଲାଇ ମାସଠାରୁ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ସପ୍ତାହାନ୍ତ ସଟ୍ ଡ଼ାଉନ ଘୋଷଣା କରିଥିଲେ ଏବଂ ଚଳିତ ମାସ ଦ୍ୱିତୀୟ ସପ୍ତାହର ସର୍ଟଡ଼ାଉନ ଆଜି ଆରମ୍ଭ ହୋଇଛି । ଏହି ସମୟରେ ଜିଲ୍ଲାର ସଦର ମହକୁମା ବାରିପଦାରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଥିଲା । ଅତି ଜରୁରୀ କାର୍ଯ୍ୟ ଥିଲେ କାଁ ଭାଁ ଗାଡ଼ି ମୋଟର ଯାତାୟତ କରୁଥିଲେ ମଧ୍ୟ ସହରର ପ୍ରତ୍ୟେକ ଛକରେ ପୁଲିସ ଅଟକାଇ ସେମାନଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲୁଥିବାର ଦେଖିବାକୁ ମିଳିଥିଲା । ବାରିପଦା ସହର ପୁଲିସ ଛାଉଣୀରେ ପରିଣତ ହୋଇଯାଇଥିଲା । ଏଥି ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପର୍ଯ୍ୟନ୍ତ ସମସ୍ତେ ସହରରେ ପଇଁତରା ମାରି ସ୍ଥିତାବସ୍ଥାକୁ ଅନୁଧ୍ୟାନ କରିଥିଲେ । ସେହିପରି ପୁଲିସର ପିସିଆର ଓ ମୋବାଇଲ ଭ୍ୟାନ ସାଇରନ ବଜାଇ ସହରରେ ଚକ୍କର କାଟୁ ଥିବାର ଦେଖିବା ବେଳେ ସିସି ଟିଭି କ୍ୟାମେରା ଲାଗିଥିବା ପିସିଆର ଭ୍ୟାନ ସହରରେ ସର୍ଟଡ଼ାଉନ ନିୟମ ଭଙ୍ଗକାରୀମାନଙ୍କ ଉପରେ କଡ଼ା ନଜର ରଖିଥିଲା । ସପ୍ତାହାନ୍ତ ସର୍ଟ ଡ଼ାଉନ-୨କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବରୁ ଆମେ ସୋସାଇଟିର ସମସ୍ତ ବର୍ଗର ଜନସାଧାରଣଙ୍କୁ ସହଯୋଗ ନିମନ୍ତେ ଅପିଲ କରିଥିଲୁ ଏବଂ ଜନସାଧାରଣ ମଧ୍ୟ ସହଯୋଗ କରିଛନ୍ତି ମଧ୍ୟ । ଆଜିର ପରିସ୍ଥିତିକୁ ଆପଣମାନେ ଦେଖିପାରୁ ଥିବେ ନିଶ୍ଚୟ । କେବଳ ଜରୁରୀ କାର୍ଯ୍ୟ ନଥିଲେ କୌଣସି ବ୍ୟକ୍ତି ବାହାରକୁ ବାହାରି ନାହାନ୍ତି । ଆମେ ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ସମସ୍ୟାକୁ ବୁଝି ଛାଡ଼ି ଦେଇଛୁ । ଏହା କେବଳ ବାରିପଦା ସହରରେ ନୁହେଁ ମୟୂରଭଞ୍ଜର ସମସ୍ତ ଅଞ୍ଚଳରେ ସବୁଠାରେ ଏହି ସପ୍ତାହାନ୍ତ ସର୍ଟଡ଼ାଉନ ଜାରି ରହିଛି । କୋଭିଡ଼-୧୯ର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାବାସୀ ଆଗକୁ ମଧ୍ୟ ସହଯୋଗ ହାତ ବଢ଼ାଇ ଆଗେଇ ଆସିବେ ବୋଲି ଆଶା ରଖିଛନ୍ତି ବୋଲି ଏସପି ପ୍ରକାଶ କରିଛନ୍ତି ।
ସର୍ଟ୍ଡାଉନ ସମୟରେ କେବଳ ମେଡିକାଲ ପ୍ରତିଷ୍ଠାନ ଓ ହସପିଟାଲ୍, କ୍ଲିନିକ୍, ନର୍ସିଂହୋମ, ମେଡିସିନ ଷ୍ଟୋର, ଆମ୍ବୁଲାନ୍ସ ସେବା, ଜିଲ୍ଲା ଓ ମୁନିସିପାଲିଟି ପ୍ରଶାସନ, ପୋଲିସ, ଅଗ୍ନିଶମ ସେବା, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ / କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ, ଜଳ ଯୋଗାଣ, ପରିମଳ ଓ ସ୍ୱେରେଜ୍ କାର୍ଯ୍ୟ, ବିଦୁ୍ୟତ୍ ଶକ୍ତି ଯୋଗାଣ ଓ ବିତରଣ, ଅତ୍ୟାବଶକୀୟ ଜିନିଷ ଯୋଗାଣ ପରିବହନ, ଶିଳ୍ପ ପ୍ରତିଷ୍ଠାନ , କଳ କାରଖାନା, କୃଷି ଓ ଉଦ୍ୟାନ କୃଷି,ଧାନମଣ୍ଡି କେନ୍ଦ୍ର, ମତ୍ସ୍ୟ , ପ୍ରାଣୀ ସମ୍ପଦ ଏବଂ ସେବା କ୍ଷେତ୍ର ଶିଳ୍ପ, ଆଇଟି / ଆଇଟି ଇ ସେବା, ହୋଟେଲ୍, ହସ୍ପିଟାଲିଟି ୟୁନିଟି ଓ ତତ୍ସଂଲଗ୍ନ କାର୍ଯ୍ୟାଳୟରେ ନିୟୋଜିତ କର୍ମଚାରୀ, ଜାତୀୟ / ରାଜ୍ୟ ସଡକ ପରିବହନ ପାଇଁ ଟ୍ରାନଜିଟ୍ ଯାନବାହାନ ଚଳାଚଳ, ସର୍ବସାଧାରଣ ଯାତ୍ରୀବାହୀ ବସ୍, ରେଳ ପରିବହନ, ଘରୋଇ ବସ୍, ଟ୍ୟାକ୍ସି, ଅଟୋରିକ୍ସା ଆଦି ଯାନବାହାନ ଯାତ୍ରୀ ନେବା ଆଣିବା ସେବା, ରେଳ ଷ୍ଟେସନ ଓ ବସ୍ ଟରମିନାଲ୍ ସେବା କ୍ଷେତ୍ରରେ ନିୟୋଜିତ ଅଧିକାରୀ/ କର୍ମଚାରୀ, ଗ୍ରୋସାରୀ ସାମଗ୍ରୀ ଓ ପନିପରିବା, କ୍ଷୀର ଦୋକନା (ମିଲ୍କ ବୁଥ୍) ଆଦିି ଅତ୍ୟାବଶକୀୟ ଜିନିଷ, ଘରୋଇ ରେଷ୍ଟୁରାଣ୍ଟ, ଜାତୀୟ / ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡକ ପଥ କଡରେ ଥିବା ଢାବା ଏବଂ ଖବର କାଗଜ ବିତରଣ (ହକର) ଆଦି କ୍ଷେତ୍ରରେ ହୋମ ଡେଲିଭରୀ ସେବା କାର୍ଯ୍ୟ କ୍ଷେତ୍ରଗୁଡିକୁ ବାଦ ରଖାଯାଇଥିଲା ।