ଝାରସୁଗୁଡ଼ା : କରୋନା ମହାମାରୀ ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଦାଉ ସାଜିଛି ଜିଓ ଇଣ୍ଟରନେଟ ସେବା । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମରେ ୮ଦିନ ହେଲା ଜିଓ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଫୋନ କଲେ ମଧ୍ୟ କଲ ଲାଗୁନାହିଁ । ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଇଣ୍ଟରନେଟ ଉପରେ ନିର୍ଭରଶୀଳ ଥିବାବେଳେ ଜିଓ କମ୍ପାନୀର ଡାଟା ଲୁଚକାଳି ଖେଳ ଏବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ କାଳ ହୋଇଛି । ତା ଛଡା ଅନ୍ୟ ଲୋକମାନେ ମଧ୍ୟ ଇଣ୍ଟରନେଟ ବ୍ୟବହାର କରୁଥିବା ବେଳେ ନେଟ ନ ଆସିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଓ ନେଟୱର୍କ ସହ ଅନ୍ୟ କମ୍ପାନୀ ମାନେ ନିରବଚ୍ଛିନ୍ନ ଭାବେ ଘୋଷଣା ମୁତାବକ ବେଗଗାମୀ ଇଣ୍ଟରନେଟ ସେବା ପ୍ରଦାନ କରୁନଥିବାରୁ ପାଠପଢ଼ା ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲୋକେ ନାକେଦମ ହେଉଛନ୍ତି । ତେଣୁ ସରକାର ଟେଲିକମ କମ୍ପାନୀ ଗୁଡିକୁ ଡାକି ତାଗିଦ କରିବା ପାଇଁ ଦାବି ହେଉଛି । ରାଜ୍ୟର ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡିକ ଏବେ ଛାତ୍ରଛାତ୍ରୀ ମାନଙ୍କୁ ଇଣ୍ଟରନେଟ ମାଧ୍ୟମରେ ପାଠ ପଢ଼ାଉଛନ୍ତି । ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ପାଠ ପଢୁଥିଲେ ବି ଏଥିପାଇଁ ଇଣ୍ଟରନେଟ ଜରୁରୀ । ତେଣୁ ସମସ୍ତେ ଡାଟା ପ୍ୟାକ ଓ ଅନଲିମିଟେଡ଼ କଲ ପ୍ୟାକ ରିଚାର୍ଜ କରୁଛନ୍ତି । ହେଲେ କେତେକ କ୍ଷେତ୍ରରେ ଏହି ଇଣ୍ଟରନେଟ ସେବା କାମରେ ଆସୁନାହିଁ । ଅନଲାଇନରେ ପାଠ ପଢିବା ସମୟରେ ଇଣ୍ଟରନେଟର ବେଗ ଧିମା ହେଉଥିବାରୁ ଭିଡିଓ କନ୍ଫରେନ୍ସସି ରେ ସମସ୍ୟା ହେଉଛି । ଶବ୍ଦ ଆସୁଥିଲେ ମଧ୍ୟ ଧିମା ଇଣ୍ଟରନେଟ ଯୋଗୁଁ ଚିତ୍ର ଆସୁନାହିଁ । ଫଳରେ ପିଲାମାନେ ବିରକ୍ତ ହୋଇ ପାଠ ପଢିବାକୁ ମଙ୍ଗୁ ନାହାନ୍ତି । ଖୁନ୍ତାମାଲ ଗାଁ ଗହଳିରେ ସ୍ଥିତି ଆହୁରି ଦୟନୀୟ । ଗାଁରେ ଯଦିଓ ମୋବାଇଲ ଫୋନରେ କଥାବାର୍ତ୍ତା ହୋଇପାରୁଛି, କିନ୍ତୁ ଇଣ୍ଟରନେଟ ଡାଟାର ବେଗ ଅତ୍ୟନ୍ତ ଧିମା । ପାଠ ପଢିବା ତ ଦୂରର କଥା ଭିଡିଓ କଲିଂ ବି ହୋଇପାରୁନାହିଁ । ଗାଁ ଗହଳିରେ ପ୍ରାୟ ସମସ୍ତ ଟେଲିକମ୍ କମ୍ପାନୀଙ୍କ ସେବାରେ ଏହି ଅବସ୍ଥା । ଖୁନ୍ତାମାଲ ଗାଁରେ ଜିଓ ଇଣ୍ଟରନେଟ ସେବା ଫେଲ ହୋଇଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଜିଓର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଏ ଦିଗରେ ଜିଓ ନେଟୱର୍କର ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ ନିରବଚ୍ଛିନ୍ନ ଇଣ୍ଟରନେଟ ସେବା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ରାଜ୍ୟ
ଲଇକେରା : ଖୁନ୍ତାମାଲରେ ଜିଓ ନେଟୱାର୍କ ଫେଲ ! ଜିଓ କମ୍ପାନୀର ମନମାନି
- Hits: 247