ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଂଚାଇବା ପାଇଁ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳବାଇ ପକ୍ଷରୁ ଜୁନ ୮ ତାରିଖରୁ ୩୦ ତାରିଖ ମଧ୍ୟରେ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା । ପରେ ଏହି ରେଳସେବାକୁ ଜୁଲାଇ ମାସ ୧ ତାରିଖରୁ ୩୧ ତାରିଖକୁ ବୃଦ୍ଧି କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯାତ୍ରୀ ପରିବହନ ପରିଚାଳନାକୁ ସମୀକ୍ଷା କରି ଏବଂ କୋଭିଡ-୧୯ ପଜିଟିଭ୍ କେସ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ଦେଖାଗଲା ଯେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ଅତ୍ୟନ୍ତ ସ୍ୱଳ୍ପ ପୃଷ୍ଠପୋଷକତା ଅର୍ଥାତ୍ ବହୁତ କମ୍ ଯାତ୍ରୀଙ୍କୁ ନେଇ ଚଳାଚଳ କରୁଛି । ଏଥିନିମନ୍ତେ ତିନୋଟି ମାର୍ଗରେ ଯେପରିକି ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ-ସମ୍ବଲପୁର ସ୍ୱତନ୍ତ୍ର ରେଳସେବାକୁ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଛି :
ଏହାର ସବିଶେଷ ବିବରଣୀ ନିମ୍ନମତେ ପ୍ରଦତ୍ତ :
(କ) ୦୮୩୦୩/୦୮୩୦୪- ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଉଭୟ ଦିଗରୁ ୧୦ ଜୁଲାଇ, ୨୦୨୦ ଠାରୁ ବାତିଲ ରହିବ ।
(ଖ) ୦୮୪୯୨/୦୮୪୯୧- ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ଭଦ୍ରକରୁ ୧୪ ଜୁଲାଇ, ୨୦୨୦ ଠାରୁ ବାତିଲ ରହିବ ।
(ଗ) ୦୮୪୩୭/୦୮୪୩୮- ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ବ୍ରହ୍ମପୁରରୁ ୧୪ ଜୁଲାଇ, ୨୦୨୦ ଠାରୁ ବାତିଲ ରହିବ ।