ଅନ୍ୟ ସହାୟତା କଥା ଚୁଲୀକୁ ଯାଉ : ବୟସ ୯୦ ଛୁଇଁଲାଣି, ହେଲେ ବାର୍ଦ୍ଧକ୍ୟ ଭତ୍ତାଟିଏ ବି ମିଳିନି
ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ବୁଢାମାଲ ଗ୍ରାମ ପଞ୍ଚାୟତ ର ଲୁହାଖାନ ଗ୍ରାମରେ ନିଜର ସ୍ତ୍ରୀ ଓ ଜଣେ ଅବିବାହିତ ଝିଅ ସହିତ ଏକ ଜରାଜୀର୍ଣ୍ଣ ଘରେ ରୁହନ୍ତି ଆଦିବାସୀ ସମ୍ପ୍ରଦାୟର ଇନ୍ଦ୍ର ମାଝୀ । ଆଧରକାର୍ଡ ମୁତାବକ ଇନ୍ଦ୍ରଙ୍କର ବୟସ ୯୦ରୁ ଉର୍ଦ୍ଧ୍ବ ହେବ । ତାଙ୍କର ସ୍ତ୍ରୀ ରାଧା ମାଝୀ ଯାହାଙ୍କର ବୟସ ମଧ୍ୟ ପାଖାପାଖି ୭୫ ବର୍ଷ ଉପରେ ତାଙ୍କର ଆଧାରକାର୍ଡ ଏ ପର୍ଯ୍ୟନ୍ତ ହେଇ ପାରିନାହିଁ , ଆଉ ଇନ୍ଦ୍ରଙ୍କର ଅବିବାହିତ ଝିଅଙ୍କ ବୟସ ମଧ୍ୟ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ | ହେଲେ ବିଡମ୍ବନା କୁହନ୍ତୁ ବା ସ୍ଥାନୀୟ ଅଧିକାରୀ ମାନଙ୍କର ଅପାରଗତା, ଇନ୍ଦ୍ର ମାଝୀ ଆଜି ପର୍ଯନ୍ତ କେବଳ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର 5 କେଜି ଚାଉଳ ବ୍ୟତୀତ ଅନ୍ୟ କୋଣସି ସରକାରୀ ସହାୟତା ପାଇ ପାରି ନାହାନ୍ତି । ତାଙ୍କର ସ୍ତ୍ରୀ ମଧ୍ୟ ନାହିଁ ଭତ୍ତା ପାଉଛନ୍ତି ଆଉ ନାହିଁ ଚାଉଳ । କେବଳ ତାଙ୍କର ଅବିବାହିତ ଝିଅ ରୁକୁଣି ଙ୍କର ଭତ୍ତା ଓ ମାତ୍ର 10 କେଜି ଚାଉଳ ହିଁ ଏହି ପରିବାରର ସମ୍ବଳ ।
କଥାଟା ଟିକେ ଅବାଗିଆ ଲାଗିଲେବି ସମ୍ପୂର୍ଣ୍ଣ ସତ । ବର୍ତ୍ତମାନ ଇନ୍ଦ୍ର ଓ ତାଙ୍କର ସ୍ତ୍ରୀ ସମ୍ପୁର୍ଣ୍ଣ ଭାବରେ ଶଯ୍ୟାଶାୟୀ । ଇନ୍ଦ୍ର ଚାଲି ପାରୁନାହାନ୍ତି ଓ ତାଙ୍କର ସ୍ତ୍ରୀ ସମ୍ପୁର୍ଣ୍ଣ ଭାରେ ଦୃଷ୍ଟି ଶକ୍ତି ହରାଇ ବସିଲେଣି । କେଉଁ କେତେ ବର୍ଷ ପୂର୍ବରୁ ଇନ୍ଦ୍ରକୁ ଗୋଟେ ଇନ୍ଦିରା ଆବାସ ମିଳିଥିଲା ଯାହାକି ରହିବା ଉପଯୋଗୀ ନୁହଁ । ଖରା ବର୍ଷା ଶୀତ ଯାହାବି ହେଉ ଘର ବାହାରେ ରୋଷେଇ ହେଉଛି । ବୟସାଧିକ୍ୟ ବାପା ମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ଝିଅଟି ମଧ୍ୟ ବାହାରକୁ କାମ କରିବା ପାଇଁ ଯାଇପାରୁନାହିଁ । ସରକାରଙ୍କର ଦ୍ୱାରା ପ୍ରଦାନ କରାଯାଉଥିବା 10କେଜି ଚାଉଳ ଯଥେଷ୍ଟ ହେଉ ନାହିଁ । ଘରେ ଶୌଚାଳୟ ଟିଏ ନଥିବାରୁ ଇନ୍ଦ୍ରଙ୍କୁ ଅନେକ ଅସୁବିଧା ହେଉଛି । ଅନ୍ଧୁଣି ଆଖିରେ ସ୍ତ୍ରୀ ନିଜେ ଅପାରଗ ହୋଇ ମଧ୍ୟ ଯଥା ସମ୍ଭବ ସ୍ୱାମୀଙ୍କ ସେବା କରି ଚଳୁଛନ୍ତି । ମୋଟାମୋଟି କହିବାକୁ ଗଲେ ଏହି ପରିବାରର ଅବସ୍ଥା ଅତି ଶୋଚନୀୟ ।
ସରକାରଙ୍କର ଏହିଭଳି ଲୋକଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ନିମନ୍ତେ ଅନେକ ଯୋଜନା ରହିଛି କିନ୍ତୁ ଅତି ଦୁର୍ଭାଗ୍ୟ ଜନକ ବିଷୟ ଯେ ଇନ୍ଦ୍ର ବାରମ୍ବାର ସ୍ଥାନୀୟ ଅଧିକାରୀ ଓ ନେତା ମାନଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ କଥାରେ କର୍ଣ୍ଣପାତ କରିନାହାନ୍ତି ।
ଏ ସମ୍ପର୍କରେ ଆମେ " ଶାସକ ପ୍ରଶାସକ" ପକ୍ଷରୁ ତୁରନ୍ତ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କୁ ଇନ୍ଦ୍ର ଓ ତାଙ୍କର ପରିବାର ବାବଦରେ ଅବଗତ କରାଇଥିଲୁ । ଘଟଣା ଜାଣିବା ପରେ ଉପଜିଲ୍ଲାପାଳ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ନିଜେ ସ୍ଵତନ୍ତ୍ର ଭାବରେ ଏହି ବିଷୟ ଉପରେ ଧ୍ୟାନଦେଇ ପଦକ୍ଷେପ ଗ୍ରହଣ କରିବେ ଓ ଇନ୍ଦ୍ର ଏବଂ ତାର ପରିବାରକୁ ଖୁବଶୀଘ୍ର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । ଦେଖାଯାଉ କେବେ ଇନ୍ଦ୍ରଙ୍କ ଉପରେ ପ୍ରଶାସନର ଶୁଭଦୃଷ୍ଟି ପଡୁଛି |