ହେଡଲାଇନସ୍:

ପୂର୍ବତନ ମନ୍ତ୍ରୀ ବିଷୁଦାସଙ୍କ ଦେହାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ 

ବିଜେଡ଼ିର ବରିଷ୍ଠ ନେତା, ପୂର୍ବତନ ରାଜ୍ୟସଭା ସଦସ୍ୟ, ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ଦେହାନ୍ତ ହୋଇଯାଇଛି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଗତ କିଛି ଦିନ ଧରି ଭୁବନେଶ୍ୱରର  ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ଆଜି ସଂଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି |  ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଜଣେ ଦକ୍ଷ ସଂଗଠକ ଭାବେ ଦଳରେ ବିଷ୍ଣୁ ଦାସଙ୍କ ଯଥେଷ୍ଟ ପ୍ରତିପତ୍ତି ଥିଲା । ନିଜ ଅଞ୍ଚଳରେ ତାଙ୍କର ବେଶ୍ ଲୋକପ୍ରିୟତା ଥିଲା । ତାଙ୍କ ଦେହାନ୍ତରେ  ଜଗତସିଂହପୁର ଜିଲ୍ଲା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବିଷ୍ଣୁଙ୍କ ବିୟୋଗରେ ସବୁ ଦଳର ରାଜନୈତିକ ନେତୃବର୍ଗ, ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । 

ଶ୍ରୀ ଦାସଙ୍କ ଦେହାନ୍ତରେ ଗଭୀର ଶୋକାଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତାଙ୍କ  ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି "  ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ସହ ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।" 

ଶ୍ରୀ ଦାସଙ୍କ ଦେହାନ୍ତରେ ଗଭୀର ଶୋକାଵ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି "ପୂର୍ବତନ ମନ୍ତ୍ରୀ, ରାଜ୍ୟସଭା ସାସଂଦ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଲା । ଦୀର୍ଘ ରାଜନୈତିକ ଓ ସାମାଜିକ ଜୀବନରେ ସାଧାରଣ ଗରିବ ଲୋକଙ୍କ ସେବାରେ ସେ ଏକ ଅଲିଭା ଛାପ ଛାଡ଼ି ଚାଲି ଯାଇଛନ୍ତି । ଅମରଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ  ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।"

ମନ୍ତ୍ରୀ ରାଜା ସ୍ବାଇଁ ବି ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଧାୟକ ଶ୍ରୀ ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଆମ ଦଳ ପାଇଁ ଏକ ଅପୁରଣୀୟ କ୍ଷତି। ପ୍ରଭୁ ତାଙ୍କର ଅମର ଆତ୍ମାର ସଦଗତି କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ।" 

ଶ୍ରୀ ଦାସଙ୍କ ଦେହାନ୍ତରେ ପଚାଂୟତିରାଜ , ପାନୀୟ ଜଳ ,ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ ଦାସ ଜଣେ ଲୋକପ୍ରିୟ  ରାଜନେତା , ଦକ୍ଷ ସଂଗଠକ ଥିଲେ । ରାଜ୍ୟର ମନ୍ତ୍ରୀ , ସାଂସଦ ତଥା ବିଧାୟକ ଭାବେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ । ଜଗତସିଂହପୁର ଅଂଚଳର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ । ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା  ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ " ଜଗତସିଂହପୁର ଜିଲ୍ଲାର ବିକାଶରେ ଶ୍ରୀ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ଯେଉଁ ଦାୟିତ୍ୱରେ ରହିଥିଲେ, ସଫଳତାର ସହ ତାକୁ ନିର୍ବାହ କରିଥିଲେ । ଜଣେ ଜନପ୍ରିୟ ନେତା ଭାବେ ସେ ଜଗତସିଂହପୁର ଅଞ୍ଚଳରେ ପରିଚିତ । ସେ ଜଣେ ଦକ୍ଷ ସଂଗଠକ ଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସେ ଜଣେ ଘନିଷ୍ଠ ସହଯୋଗୀ ଥିଲେ । ଓଡ଼ିଶାରେ ଅଣକଂଗ୍ରେସ ଆନେ୍ଦାଳନର ଜଣେ ପ୍ରମୁଖ ନେତା ଭାବେ ତାଙ୍କୁ ଗଣାଯାଏ । ଗଣଶିକ୍ଷା ବିଭାଗର ମନ୍ତ୍ରୀ ଥିବା ସମୟରେ ସେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ସେ ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିରଳ ଉଦାହରଣ ସୃଷ୍ଟି କରିଥିଲେ । ସେହିପରି ଗତ ନିର୍ବାଚନରେ ସେ ତିର୍ତ୍ତୋଲ୍ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାସହ ସେ ୨ଠ୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ  ହୋଇଥିଲେ । ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କର ଅମାୟିକ ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ଦୀର୍ଘ ୪ଠ ବର୍ଷ କର୍ମମୟ ଜୀବନର ଆଜି ଅବସାନ ଘଟିଛି । ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି । ଏହି କଠିନ ସମୟରେ ତାଙ୍କ ଆତ୍ମୀୟ ସ୍ୱଜନ, ପରିବାରବର୍ଗ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ମହାପ୍ରଭୁ ଜଗନ୍ନାଥ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।" 

 

0
0
0
s2sdefault