ହେଡଲାଇନସ୍:

"ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ, ବିଶ୍ବପାଇଁ ଉଦାହରଣ ସୃଷ୍ଟି କରିଛୁ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

  • ପୁରୀ ସାରା ଦୁନିଆକୁ ବାଟ ଦେଖାଇଛି, ପୁରୀବାସୀଙ୍କ ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ

  • କୋଭିଡ ଯୁଦ୍ଧ ଜିତିବାକୁ ତ୍ୟାଗ, ସଂଯମତା  ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ

  • ଟୀକା ବା ଔଷଧ ନବାହାରିବା ଯାଏଁ ଜୀବନ ପୂର୍ବପରି ସ୍ବାଭାବିକ ହୋଇପାରିବନି  

  • ଯୁବ ସମାଜକୁ ବିଶେଷ ଅନୁରୋଧ, ଯତ୍ନବାନ ହୁଅନ୍ତୁ 

  • କୋଭିଡ ଗାଇଡଲାଇନକୁ ମାନନ୍ତୁ ; ହେଳା କରନ୍ତୁ ନାହିଁ, ସତର୍କ ରୁହନ୍ତୁ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ସୁରୁଖୁରୁରେ ସରିଛି  ରଥଯାତ୍ରା | ଶୃଙ୍ଖଳା ଓ କଟକଣା ଭିତରେ ବିନା ଭକ୍ତରେ ରଥଯାତ୍ରାର ବିଧି ପାଳନ ହୋଇଥିବା ଯୋଗୁ ଆଜି ସ୍ୱତନ୍ତ ବାର୍ତ୍ତା ମାଧ୍ୟମରେ କୃତଜ୍ଞତା କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଉ କୋଭିଡ ୧୯ର ସାମ୍ପ୍ରତିକ ସ୍ଥିତି  ପରିପ୍ରେକ୍ଷୀରେ ଗାଇଡଲାଇନ ମାନି, ଶୃଙ୍ଖଳା, ସଂଯମତା ଓ ସତର୍କତାର ସହ ରହିବା ପାଇଁ ରାଜ୍ୟବାସୀ ଖାସ କରି ଯୁବ ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି ଅନୁରୋଧ | 

ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି  " ଚଳିତବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି | ବିନାଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷହୋଇଛି | ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ,ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରାଜ୍ୟ ସରକାରଙ୍କର ସବୁ ବିଭାଗକୁ ତଥା ସର୍ବୋପରି ପୁରୀର ଜନସାଧାରଣଙ୍କୁ ଏବଂ କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି |

ରଥଯାତ୍ରା ପୂର୍ବଦିନ ମୁଁ କହିଥିଲି ଯେ ସାରା ବିଶ୍ବ ଆମ ଉପରେ ନଜର ରଖିଛି | ଆମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା, ନିୟମ ମାନି କରୁଛୁ ତା ଉପରେ ସାରା ବିଶ୍ବ ନଜର ରଖିଥିଲା |  ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ | ଶୃଙ୍ଖଳାର ସହ କାମ କରି ସାରା ବିଶ୍ବପାଇଁ ଉଦାହରଣ ସୃଷ୍ଟି କରିଛୁ | ମହାପ୍ରଭୁ ୪ ଦିନ ବଡଦାଣ୍ଡରେ ରହିଲେ | କିନ୍ତୁ ପୁରୀ ରଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସିନଥିଲେ | ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ | ପୁରୀବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ |  ସେମାନଙ୍କ ତ୍ୟାଗର ତୁଳନା ନାହିଁ |  ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି |  ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ | ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି | କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି |  ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ |  ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ | ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ |"  

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି " ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି |  ଆଉ ବିଶେଷ କିଛି କଟକଣା ନାହିଁ | ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି | ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି | ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି | ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି | କୋଭିଡ୍‌ ପାଇଁ Vaccine ବା Medicine ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ |  ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ | ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ | ଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ | ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ | ସାମାଜିକ ଦୂରତା ରକ୍ଷା କରନ୍ତୁ | ବାରମ୍ବାର ସାବୁନରେ ଭଲଭାବରେ ହାତ ଧୁଅନ୍ତୁ | ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ | ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ | ଯୁବ ସମାଜକୁ ମୋର ବିଶେଷ ଅନୁରୋଧ ସେମାନେ କୋଭିଡ ନିୟମକୁ ଠିକ ଭାବରେ ପାଳନ କରନ୍ତୁ |  ଆପଣ ସଂକ୍ରମିତ ହେଲେ ଆପଣଙ୍କର ବାପା, ମାଆ, ପରିବାର, ପିଲାମାନଙ୍କ ସଂକ୍ରମଣ ଆଶଙ୍କା ବଢିବ |  ତେଣୁ କେବେବି ହେଳା କରନ୍ତୁ ନାହିଁ, ସତର୍କ ରୁହନ୍ତୁ |" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ | 

 

 

0
0
0
s2sdefault