-
ମଣିଷପଣିଆ ଦେଖାଇଲେ ଦୀପା, ତତ୍ପରତା ପ୍ରକାଶ କଲେ ଉପଜିଲ୍ଲାପାଳ
-
ଅସହାୟ କଳ୍ପନାଙ୍କ ପାଇବେ ବିଧବା ଭତ୍ତା ଓ ଅନ୍ତୋଦୟ ଯୋଜନାରେ ଚାଉଳ
ବରଗଡ :- ଆମର ଛୋଟିଆ ପ୍ରଚେଷ୍ଟା ଆଜି ରାହା ସାଜିଛି ଅସହାୟ କଳ୍ପନାଙ୍କ ପାଇଁ | "ଶାସକ ପ୍ରଶାସକ"ରେ ଆମେ ପ୍ରକାଶ କରିଥିବା ଖବର ଆଧାରରେ ସାହା ହେବାକୁ ପହଁଚିଲା ପ୍ରଶାସନ | କଳ୍ପନାଙ୍କ ଦୁଆରେ ପହଁଚିଲେ ଖୋଦ ଉପଜିଲ୍ଲାପାଲ | ବଢ଼ାଇଲେ ସହାୟତାର ହାତ | ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା ଓ ସହଯୋଗର ଦେଲେ କଥା | ଆଉ କଳ୍ପନାଙ୍କ କଥା ପ୍ରଶାସନ କାନରେ ପକାଇବା ପାଇଁ ସ୍ୱତଃସ୍ଫୁର୍ତ୍ତ ଭାବେ ଆଗେଇ ଆସିଥିଲେ ବରଗଡ଼ ମାଟିର ମଣିଷ ଦରଦୀ ଯୁବ ସମାଜସେବୀ ଦୀପା ବାରିକ | "ଶାସକ ପ୍ରଶାସକ"ରେ ପ୍ରସାରିତ ଖବର ଉପରେ ପ୍ରଶାସନ ଓ ସରକାରଙ୍କୁ ଟୁଇଟ କରି ଅନୁରୋଧ କରିଥିଲେ କଳ୍ପନାଙ୍କୁ ସହାୟତା କରିବା ସକାଶେ | ଆଉ ତା ପ୍ରଭାବରେ କଳ୍ପନାଙ୍କ ପରିବାରଙ୍କୁ ତ୍ୱରିତ ସହାୟତା ଯୋଗାଇଛି ପ୍ରଶାସନ | ଗତ କାଲି ଆମେ ପାଇକମାଲ ବ୍ଲକ ବାଦିକଣ୍ଟା ଗ୍ରାମ ପଂଚାୟତ ର ଘେସରା ଗ୍ରାମର ଜଣେ ନିରୀହ ବିଧବା ମହିଳା କଳ୍ପନା ସାହୁଙ୍କର ଖବର ପ୍ରକାଶିତ କରିଥିଲୁ । ଆମର ଖବର ପଢି ଟେମରି ଗ୍ରାମର ଯୁବ ସମାଜସେବୀ ଦୀପା ବାରିକ ଏହି ଖବରକୁ ମୁଖ୍ୟମନ୍ତ୍ରୀ ଙ୍କର ଅଫିସ କୁ ତଥା ଜିଲ୍ଲାପାଳ ଙ୍କୁ ଟ୍ୱିଟ କରି ଏହି ମହିଳା ଜଣକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଅନ୍ତତଃ ପକ୍ଷେ ଅନ୍ତୋଦୟ ଯୋଜନାରେ ଚାଉଳ ଓ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ । ଏହା ସହିତ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନଙ୍କୁ ସ୍ୱତନ୍ତ୍ର ଭାବରେ ଏହି ବିଷୟ ଉପରେ ଗୁରୁତ୍ୱ ଦେବା ପାଇଁ ଦୀପା ନିବେଦନ କରିଥିଲେ ।
ଦୀପାଙ୍କ ଅନୁରୋଧକୁ ଗୁରୁତ୍ୱ ଦେଇ ଆଜି ସନ୍ଧ୍ୟା ସମୟରେ ଉପଜିଲ୍ଲାପାଳ ନିଜେ ଘେସରା ଗ୍ରାମକୁ ଯାଇ କଳ୍ପନାକୁ ଭେଟି ତାଙ୍କ ଅଭିଯୋଗ ଶୁଣିବା ସହିତ ସରକାରଙ୍କର ନିୟମ ମୁତାବକ ଅତିଶୀଘ୍ର ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ଆଜି କଳ୍ପନାଙ୍କୁ ତୁରନ୍ତ ବିଧବା ଭତ୍ତା ଓ ଅନ୍ତୋଦୟ ଯୋଜନାରେ ସାମିଲ କରାଯିବା ପାଇଁ ଆବଶ୍ୟକୀୟ କାଗଜପତ୍ର ବ୍ଲକ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ କରାଇଥିଲା । ଆସନ୍ତା ମାସରୁ କ୍ରମାଗତ ଭାବରେ କଳ୍ପନା ଭତ୍ତା ଓ ଚାଉଳ ପାଇବେ ବୋଲି ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରେନ୍ଦ୍ର ମେହେର ଜଣାଇଛନ୍ତି ।
ଅନ୍ୟପଟେ ଗତକାଲି "ଶାସକ ପ୍ରଶାସକ"ରେ ପ୍ରକାଶିତ ଖବର ପଢିବା ପରେ ପାଇକମାଲ ର ଯୁବ ସମାଜସେବୀ ରବିରଞ୍ଜନ ସାହୁ ତୁରନ୍ତ କଳ୍ପନା ଙ୍କର ଘରକୁ ପହଂଛି ତାଙ୍କୁ 15 ଦିନର ରାସନ ସାମଗ୍ରୀ ପ୍ରଦାନ କରିବା ସହିତ ଆଜି ପାଇକମାଲ ବ୍ଲକ କାର୍ଯଳୟରେ ନିଜେ ଉପସ୍ଥିତ ରହି କଳ୍ପନା ର ସମସ୍ତ ଆବଶ୍ୟକୀୟ କାଗଜପତ୍ର କରାଇବା ସହିତ କଳ୍ପନାଙ୍କ ଅସୁସ୍ଥ ତିନି ବର୍ଷର କୁନିଝିଅକୁ ଚିକିତ୍ସା କରଥିଲେ। ।
ତାଙ୍କ ବାବଦରେ ଖବର ପ୍ରକାଶିତ କରିଥିବାରୁ ଶାସକ ପ୍ରଶାସକକୁ, ତାଙ୍କୁ ରାସନ ଓ ଭତ୍ତା ପ୍ରଦାନ କରାଇବା ପାଇଁ ଅଧିକାରୀ ମାନଙ୍କୁ ନିବେଦନ କରିଥିବା ସମାଜ ସେବୀ ଦୀପା ବାରିକଙ୍କୁ ଓ ତାଙ୍କୁ ସହଯୋଗ କରିଥିବା ରବି ସାହୁଙ୍କୁ କଳ୍ପନା କୃତଜ୍ଞତା ଜ୍ଞାପନ କରିଥିଲେ । କଳ୍ପନାଙ୍କ ପାଖରେ ପ୍ରଶାସନକୁ ପହଂଚାଇବାରେ ସହାୟକ ହୋଇଥିବା ସମାଜସେବୀ ଦୀପା, କାଲି ତ୍ୱରିତ ସହାୟତା ଯୋଗାଇଥିବା ରବି ରବିରଞ୍ଜନ, ତ୍ୱରିତ ସହାୟତା ବ୍ୟବସ୍ଥା କରିଥିବା ଉପ ଜିଲ୍ଲାପାଳ ଶ୍ରୀ ଦରୱାନ ଓ ବ୍ଲକ ପ୍ରଶାସନକୁ "ଶାସକ ପ୍ରଶାସକ " ପକ୍ଷରୁ ବି ଧନ୍ୟବାଦ |











