ହେଡଲାଇନସ୍:

ଜନ୍ମଦିନ କଟିଲା କର୍ମକ୍ଷେତ୍ରରେ :  ସହୀଦ ପରିବାରକୁ ଭେଟିଲେ ବିଜେଡ଼ି ପର୍ଯ୍ୟବେକ୍ଷକ ବବି

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 
  • ସହୀଦ ନନ୍ଦୁରାମଙ୍କ ବୀରତ୍ୱକୁ ସ୍ମରଣ ନିମନ୍ତେ ସ୍ମୃତି ସ୍ତମ୍ଭ ନିର୍ମାଣ ଉପରେ ଗୁରୁତ୍ୱ

  • ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଭିନ୍ନ ସଙ୍ଗଠନକୁ ଭେଟି ଜନସାଧାରଣଙ୍କ ପରାମର୍ଶ ନେଲେ

ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜେଡ଼ିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଆଜି ଜନ୍ମ ଦିନକୁ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଦାୟିତ୍ୱ ଦେଇଥିବା କର୍ମକ୍ଷେତ୍ର  ମୟୂରଭଞ୍ଜ ଜିଲ୍ଲାରେ ପାଳନ କରିଛନ୍ତି । ନିଜ ଜନ୍ମଦିନରେ ଜନ୍ମମାଟି ଯାଜପୁରର ଲକ୍ଷ୍ମୀନାରାୟଣ ମନ୍ଦିରରେ ସକାଳୁ ସକାଳୁ ମୁଣ୍ଡିଆଟିଏ ମାରି ସକାଳୁ ସକାଳୁ ବାହାରି  ପଡ଼ିଥିଲେ କର୍ମକ୍ଷେତ୍ର ମୟୁରଭଞ୍ଜ ଅଭିମୁଖେ | କାରଣ ଅସଜଡ଼ା ମୟୁରଭଞ୍ଜ ଜିଲ୍ଲା ବିଜେଡି ରାଜନୀତିକୁ ସଜାଡ଼ିବାର ଗୁରୁ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟସ୍ତ କରିଛନ୍ତି ବବିଙ୍କ ଉପରେ | ମୟୁରଭଞ୍ଜ ଗସ୍ତ ଅବସରରେ ନିଜ ସାଙ୍ଗଠନିକ କାର୍ଯ୍ୟକଳାପ ଭିତରେ  ଭୁଲିନଥିଲେ ନିଜ ମାନବୀୟ ଦାୟିତ୍ୱବୋଧକୁ | ରାଇରଙ୍ଗପୁର ଉପଖଣ୍ଡ ବିଜାତୋଳା ବ୍ଲକ ବଡ଼ଚମ୍ପାଉଦା ଗ୍ରାମକୁ ଯାଇ ଚୀନ ସୈନ୍ୟଙ୍କ ସହିତ ମୁହଁମୁହିଁ ସଂଘର୍ଷରେ ସହୀଦ ହୋଇଥିବା ବୀର ଯବାନ ନାଏବ ସୁବେଦାର ନନ୍ଦୁରାମଙ୍କ ପରିବାରକୁ ଭେଟି ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ । ଏହାପରେ ସହୀଦଙ୍କ ଶୁଦ୍ଧିକ୍ରିୟା କାମ କାର୍ଯ୍ୟ ନିମନ୍ତେ ସହୀଦଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ସହ ପିଲାମାନଙ୍କ ପାଠ ପଢ଼ା ଦାୟିତ୍ୱ ବହନ କରିବାର ପ୍ରତିଶ୍ରୁତି ଦେଇଥିଲେ ବବି | ଏଥି ସହିତ ସହୀଦ ନନ୍ଦୁରାମଙ୍କ ବୀରତ୍ୱକୁ ଚିରସ୍ମରଣୀୟ କରାଇବା ନିମନ୍ତେ ଗ୍ରାମରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଇଥିଲେ । ଏହାପରେ ବିଭିନ୍ନ ଅଞ୍ଚଳ ଗସ୍ତରେ ଯାଇ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ବିଭିନ୍ନ ସଙ୍ଗଠନ ସହିତ ସିଧାସଳଖ ଆଲୋଚନା କରି ଜନସାଧାରଣଙ୍କ ମତାମତ ସଂଗ୍ରହ କରିଥିଲେ । ସେହିପରି ବାରିପଦା ପୌରପରିଷଦରେ ପହଁଞ୍ଚି ବ୍ୟବସାୟୀ ସଂଘ  ଓ ସିନିୟର ସିଟିଜେନ ଫୋରମ ଆଦି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସାକ୍ଷାତ କରି ପୌରପରିଷଦର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଲୋଚନା କରି ମତାମତ ନେଇଥିଲେ । 

 ପ୍ରକାଶ ଥାଉକି, ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ଆସନ ମଧ୍ୟରୁ ସଦର ମହକୁମା ବାରିପଦା, ରାଇରଙ୍ଗପୁର, ଯଶୀପୁର, ସାରସକଣା, ଉଦଳା ଓ ବଡ଼ସାହି ଏହିପରି ୬ଟି ବିଧାନସଭା ଆସନ ସହ ମୟୂରଭଞ୍ଜ ଲୋକସଭା ଆସନକୁ ଭାଜପା ବିଜଦ ନିକଟରୁ ଛଡ଼ାଇ ନେଇଥିବା ବେଳେ ବିଜେଡି ମୋରଡ଼ା, ବାଙ୍ଗିରିପୋଷି ଓ କରଞ୍ଜିଆ  ଆସନକୁ ରକ୍ଷା କରିବାରେ ସଫଳ ହୋଇଥିଲା । କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ ଭାଜପା ୨୨.୬୧ ପ୍ରତିଶତ ହାରରେ ମୋଟ ୨,୯୬,୫୩୬ ଖଣ୍ଡ ଭୋଟ ପାଇ କୌଣସି ପ୍ରାର୍ଥୀ ବିଜୟୀ ହୋଇପାରିନଥିବା ସମୟରେ ବିଜଦ ୩୪.୦୯ ପ୍ରତିଶତ ହାରରେ ୪,୪୭,୦୪୪ ଭୋଟ ପାଇ ସମସ୍ତ ୯ଟି ଆସନକୁ ଦଖଲକୁ ନେଇଥିବା ସମୟରେ ୨୦୧୯ ନିର୍ବାଚନରେ ଭାଜପା ଭୋଟର ହାର ୧୬.୮୪ ପ୍ରତିଶତ ବୃଦ୍ଧି ଘଟି ୩୯.୪୫ ପ୍ରତିଶତରେ ମୋଟ ୫,୫୭,୧୮୨ ଖଣ୍ଡ ଭୋଟ ପାଇ ୬ଟି ଆସନକୁ ନିଜ ଦଖଲକୁ ନେଇଥିଲା । ଏହି ସମୟରେ ବିଜଦର ଭୋଟର ହାରରେ ୩.୭୪ ପ୍ରତିଶତ ବୃଦ୍ଧିପାଇ ୩୭.୮୩ ପ୍ରତିଶତ ହାରରେ ମୋଟ ୫,୩୪,୩୧୮ ଖଣ୍ଡ ଭୋଟ ପାଇ ମାତ୍ର ୩ଟି ଆସନକୁ ହାତେଇବାରେ ସଫଳ ହୋଇଥିଲା ।

୨୦୧୯ ବିଧାନସଭା ନିର୍ବାଚନରେ ଦଳର ଏକ୍ସପେରୀମେଣ୍ଟ ସୁପର ଫ୍ଲପ ସାବ୍ୟସ୍ତ ହେବା ପରେ ମୟୂରଭଞ୍ଜ ଜିଲ୍ଲାର ସଙ୍ଗଠନ ଦାୟିତ୍ୱ ବବିଙ୍କ କାନ୍ଧରେ । ଏହି ସମୟରେ ଆଗକୁ ରହିଛି ପୌରନିର୍ବାଚନ । ବିଜେଡ଼ି ଜିଲ୍ଲାର ସଦର ମହକୁମା ବାରିପଦା ସହିତ ରାଇରଙ୍ଗପୁର ପୌରପରିଷଦ ସହିତ ଉଦଳା ଓ କରଞ୍ଜିଆ ଏନଏସିକୁ ଦଖଲକୁ ନେବା ନିମନ୍ତେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଇବା ନିମନ୍ତେ ବର୍ତ୍ତମାନଠାରୁ ଗୋଟି ଚାଳନା ଆରମ୍ଭ କରିଦେଇଛି ଏବଂ ବବିଙ୍କର ଆଜିର ମୟୂରଭଞ୍ଜ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ରାଜନୈତିକ ବିଶାରଦମାନେ ମତପୋଷଣ କରିଛନ୍ତି । 

0
0
0
s2sdefault