ହେଡଲାଇନସ୍:

ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକ କିମ୍ବା ଇରମ... କାହା ନାମ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର ସହିଦଙ୍କ ତାଲିକା ଦେଲେ ସରକାର 

Image result for irama odisha

 ଭୁବନେଶ୍ୱର : ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା କୌଣସି କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ନାହିଁ । ତେଣୁ ଏଥିଲାଗି ଅର୍ଥ ବ୍ୟବସ୍ଥା କରାଯାଇନାହିଁ । ସରକାର ୧୯୪୨ର ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାରୁ ଯେଉଁମାନେ ସହିଦ ହୋଇଛନ୍ତି ଓ କାରାବରଣ କରିଛନ୍ତି ସେମାନଙ୍କର ଯେଉଁ ଜିଲ୍ଲାୱାରୀ ବିସ୍ତୃତ ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ସେଥିରେ ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ନାମ ନାହିଁ କିମ୍ବା ଦ୍ୱିତୀୟ ଜାଲିଆନାୱାଲାବାଗ ଭାବେ ଇତିହାସରେ ସ୍ଥାନ ପାଇଥିବା ରକ୍ତତୀର୍ଥ ଇରମର  ନାଁ ଗନ୍ଧ ନାହିଁ । 

ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ତଥ୍ୟ ମୁତାବକ ଓଡ଼ିଶାରେ ୬୨୪ ଜଣ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିବା ସରକାର ଦେଇଥିବା ତଥ୍ୟ ଅନୁଯାୟୀ  ତଥ୍ୟରୁ ଜଣାପଡ଼ିଛି । ଏଥିରେ ଯାଜପୁର ଜିଲ୍ଲାରେ ୩୮୭, ବରଗଡ଼ ଜିଲ୍ଲାରେ ୧୫୦, ଢେଙ୍କାନାଳରେ ୨୨, କେନ୍ଦ୍ରାପଡ଼ାରେ ୨୦, ଅନୁଗୁଳରେ ୨୩ ଓ କେନ୍ଦୁଝର ଜିଲ୍ଲାରେ ୨୨ଜଣ ଭାରତଛାଡ଼ ଆନ୍ଦୋଳନରେ କାରାବରଣ କରିଥିବା ଦର୍ଶାଯାଇଛି । ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିବା ଏହି ତଥ୍ୟରେ ନାହିଁ । 

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତଛାଡ଼ ଆନ୍ଦୋଳନ  ସମୟରେ ନବରଙ୍ଗପୁର ଜିଲ୍ଲାରେ ବିକ୍ରମ ଭତ୍ରା, ସହଦେବ ପୂଜାରୀଙ୍କ ସମେତ ୧୯ ଜଣ ସହିଦ ହୋଇଥିବା ବେଳେ ଏହି ଜିଲ୍ଲାରେ କିନ୍ତୁ କେହି କାରାବରଣ କରିଥିବା ଉଲ୍ଲେଖ କରାଯାଇନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାର ମାଥିଲିଠାରେ ପୋଲିସ ଗୁଳିରେ ୫ ଜଣ ସଂଗ୍ରାମୀ ସହିଦ ହୋଇଥିବା ବେଳେ ଏହି ଘଟଣାରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲେ ମଧ୍ୟ ତାଙ୍କ ନାମ ସରକାରଙ୍କ ପ୍ରଦତ୍ତ ତାଲିକାରେ ନାହିଁ । 

ଭାରତଛାଡ଼ ଆନ୍ଦୋଳନ ସମୟରେ ଢେଙ୍କାନାଳ ଜିଲ୍ଲାରେ ବାଜି ରାଉତ, ଲକ୍ଷ୍ମଣ ମଲ୍ଲିକ, ଭଗୁ ସାହୁ ଓ ସୁବଳ ସଂଗ୍ରାମ ସିଂହ ସହିଦ ହୋଇଥିବା ସରକାରଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି । ଏହି ଆନେ୍ଦାଳନର ପ୍ରାୟ ୪ ବର୍ଷ ପୂର୍ବରୁ ପ୍ରଜାମଣ୍ଡଳ ଆନେ୍ଦାଳନ କାଳରେ ବ୍ରିଟିଶ୍ ପୋଲିସ ଗୁଳିରେ ବାଜି ରାଉତଙ୍କ ସମେତ ୬ ଜଣ ସହିଦ ହୋଇଥିଲେ ବୋଲି ଇତିହାସରେ ଉଲ୍ଲେଖ ଥିବା ବେଳେ ସରକାରଙ୍କ ତଥ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।  ସେହିପରି କନିକା ପ୍ରଜା ଆନ୍ଦୋଳନ  ସମୟରେ ବାସୁଦେବ ସେଠୀ ଓ ବିସୁନି ମଢ଼ିଆଳ ସହିଦ ହୋଇଥିବା ବେଳେ ସରକାରଙ୍କ ଉତ୍ତରରେ ଭାରତଛାଡ଼ ଆନ୍ଦୋଳନ  କାଳରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏ ଦୁଇଜଣ ସହିଦ ହୋଇଥିବା ଦର୍ଶଯାଇଛି । ତେବେ ଏହି ଜାତୀୟ ଆନ୍ଦୋଳନ  କାଳରେ ଯାଜପୁର ଜିଲ୍ଲାରେ ୪ ଜଣ ସହିଦ ହୋଇଥିବା ଘେନି ସଠିକ୍ ତଥ୍ୟ ଦିଆଯାଇଛି । 

ଭାରତଛାଡ଼ ଆନ୍ଦୋଳନ  ବେଳେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ରକ୍ତତୀର୍ଥ ଇରମରେ  ମହିଳାଙ୍କ ସମେତ ୨୯ ଜଣ ପୋଲିସ ଗୁଳିରେ ସହିଦ ହୋଇଥିଲେ । ସେହିପରି ଖଇରାଡିହି, ତୁଡ଼ିଗଡ଼ିଆ, ଲୁଣିଆ, ନିମାପଡ଼ା ଆଦି ସମେତ ନୟାଗଡ଼, ନୀଳଗିରି, ତାଳଚେର ଗଡ଼ଜାତ ଅଞ୍ଚଳରେ ଏହି ଆନେ୍ଦାଳନ କାଳରେ ବ୍ରିଟିଶ୍ ପୋଲିସର ଗୁଳିମାଡ଼ରେ ଅନେକ ସହିଦ ହୋଇଥିଲେ ମଧ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ । 

ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି । 

ଭାରତଛାଡ଼ ଆନ୍ଦୋଳନର ୭୫ତମ ବାର୍ଷିକୀ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ଏଥିଲାଗି କେତେ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି ପ୍ରଶ୍ନ କରିବା ସହିତ ଏହି ଐତିହାସିକ ଆନ୍ଦୋଳନରେ କେଉଁ ଜିଲ୍ଲାରେ କେଉଁମାନେ ଆମ ରାଜ୍ୟରେ ସହିଦ ହୋଇଛନ୍ତି ଓ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ସ୍ୱାଧୀନତା ସଂଗ୍ରାମୀ କାରାବରଣ କରିଥିଲେ ତାହାର ବିସ୍ତୃତ ବିବରଣୀ ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ । ଐତିହାସିକ ଭାରତଛାଡ଼ ଆଂଦୋଳନର ୭୫ ବର୍ଷ ପୂର୍ତ୍ତି ଏବଂ ସେ ସମୟରେ ଦେଶ ମାତୃକା ଲାଗି ଯେଉଁମାନେ ଜୀବନ ଦେଲେ ଓ କାରାବରଣ କଲେ ସେମାନଙ୍କ ସ୍ମୃତିକୁ ଯୁବପିଢ଼ି ମଧ୍ୟରେ ଉଜ୍ଜୀବିତ କରି ରଖିବା ଲାଗି ବିଳମ୍ବରେ ହେଲେ ମଧ୍ୟ ସରକାର ଏହି ଐତିହାସିକ ଘଟଣାର ବର୍ଷବ୍ୟାପି ଉତ୍ସବ ପାଳନ କରିବାକୁ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି । 

0
0
0
s2sdefault