ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ସହିଦ ନୁଦୁରାମ ସୋରେନଙ୍କ ଶେଷକୃତ୍ୟ ସମ୍ପନ୍ନ
ନୁଦୁରାମ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଲା ରାଇଙ୍ଗପୁର ଉପଖଣ୍ଡର ଗଗନପବନ
ବାରିପଦା(ଦିଲ୍ଲୀପ ମହାନ୍ତି )- ଚୀନ ସେନା ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ ସମୟରେ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ରାଉରଙ୍ଗପୁର ଉପଖଣ୍ଡ ବିଜାତୋଳା ବ୍ଲକ ବଡ଼ଚମ୍ପାଉଦା ଗ୍ରାମ ପଡ଼ିଆରେ ପହଁଞ୍ଚିଛି । ସହିଦଙ୍କୁ ଶେଷ ଦର୍ଶନ ନିମନ୍ତେ ବଡ଼ଚମ୍ପାଉଦା ଗ୍ରାମରେ ପହଁଞ୍ଚିଥିଲେ ବହୁମାନ୍ୟଗଣ୍ୟ ବ୍ୟକ୍ତି । ସେଠାରେ ସହିଦ୍ ନୁଦୁରାମ ସୋରେନଙ୍କୁ ଗାଡର଼୍ ଅଫ ଅନର ଦିଆଯାଇଛି । ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର, ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରମୁଖଙ୍କ ସମେତ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, ଓଡ଼ିଶା ବିଧାନସଭା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଧାୟକ ରାଜକିଶୋର ଦାସ, ବାସନ୍ତୀ ହେମ୍ବ୍ରମ, ନବ ଚରଣ ମାଝୀ, ଡ଼ା ବୁଢ଼ାନ ମୁର୍ମୁ, ସନାତନ ବିଜୁଳି, ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ଶ୍ୟାମ ଚରଣ ହାଁସଦାଃ, ପ୍ରହଲ୍ଲାଦ ପୂର୍ତ୍ତି, ଲକ୍ଷ୍ମଣ ମାଝୀ, ଡ଼ା ଦେବାଶିଷ ମହାନ୍ତି, ବିଜେଡ଼ି ପଶ୍ଚିମ ସଂଗଠନ ସଭାପତି କାଶିନାଥ ହେମ୍ବ୍ରମ, ବିଜେପି ପୂର୍ବ ଜିଲ୍ଲା ସଂଗଠନ ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର, ରତିକାନ୍ତ ପରିଚ୍ଛା ଆଦି ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ସହୀଦଙ୍କ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ, ସାଙ୍ଗ ସାଥୀମାନେ ମଧ୍ୟ ସହୀଦ ନୁଦୁରାମଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇବା ପରେ ଧର୍ମପତ୍ନୀ ଲକ୍ଷ୍ମୀ ସୋରେନ, ବଡ଼ ଝିଅ ଜ୍ଞାନେଶ୍ୱରୀ, ମଝିଆ ଝିଅ ମାନସୀ ଓ ସାନ ଝିଅ ସୁନାଲୀ ଅନ୍ତିମ ଦର୍ଶନ କରିଥିଲେ । ଶେଷରେ ଆସିଥିବା ବିହାର ରେଜିମେଣ୍ଟ ଯବାନଙ୍କ ପକ୍ଷରୁ ୩ ରାଉଣ୍ଡ ତୋପ ସାଲାମୀ ପ୍ରଦାନ କରାଯିବା ପରେ ବଡ଼ଭାଙ୍କ ବଡ଼ ପୁଅ କାହ୍ନୁ ମାଝୀ ମୁଖାଗ୍ନି ଦେଇଥିଲେ ଏବଂ ଆସିବାସୀ ରୀତିନୀତି , ପରମ୍ପରା , ବିଧି ବ୍ୟବସ୍ଥା ସହିତ ଶୋକାକୋଳ ପରିବେଶ ମଧ୍ୟରେ ସହୀଦ ନୁଦୁରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ସୂଚନା ଯୋଗ୍ୟ, ଗତ ସୋମବାର ବିଳମ୍ବିତ ରାତିରେ ଲଦାଖର ଗଲୱାନା ଉପତ୍ୟକାରେ ଚୀନ ସେନାର ଆକ୍ରମଣରେ ସହୀଦ ହୋଇଥିବା କନ୍ଧମାଳ ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଜାତୋଳା ବ୍ଲକ ବଡ଼ଚମ୍ପାଉଦା ଗ୍ରାମର ନୁଦୁରାମ ସୋରେନ ଦୁଇ ଜଣ ଓଡ଼ିଆ ଜବାନଙ୍କ ମରଶରୀର ସ୍ୱତନ୍ତ୍ର ବିମାନ ଯୋଗେ ଭୂବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିବା ପରେ ନୁଦୁରାମଙ୍କ ପାର୍ଥିବ ଶରୀରକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଅଣାଯାଇ ରାତି ପ୍ରାୟ ସାଢେ଼ ୩ ସମୟରେ ରାଇରଙ୍ଗପୁର ଥାନାରେ ପହଁଞ୍ଚିଥିଲା । ଆଜି ରାଇରଙ୍ଗପୁର ଥାନା ପରିସରରୁ ହଜାର ହଜାର ଜନତାଙ୍କ ଗହଣରେ ସହୀଦ ନୁଦୁରାମ ସୋରେନଙ୍କ ମରଶରୀର ବଡ଼ଚମ୍ପାଉଦା ଗ୍ରାମ ପଡ଼ିଆରେ ପହଁଞ୍ଚିଥିଲା । ଏହି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଜନସାଧାରଣ ଧାଡ଼ିବାନ୍ଧି ଛିଡ଼ା ହୋଇ ଶେଷ ଦର୍ଶନ କରିଥିଲେ । ରାଇରଙ୍ଗପୁରରୁ ଆସିବାଠାରୁ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସହୀଦ ନୁଦୁରାମ ଅମର ରହେ, ଭାରତ ମାତା କୀ ଜୟ ଓ ବନେ୍ଦ ମା ତରମ୍ ଧ୍ୱନୀ ଗଗନପବନକୁ ପ୍ରକମ୍ପିତ କରାଇ ଦେଇଥିଲା ।