ହେଡଲାଇନସ୍:

ଜନ୍ମମାଟିରେ ସହିଦ ଚନ୍ଦ୍ରକାନ୍ତଙ୍କୁ ଅଶ୍ରୁଳ ବିଦାୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜି.ଉଦୟଗିରି/ ଗଗନ କୁମାର ପ୍ରଧାନ : ବୀର ଯବାନ ଚନ୍ଦ୍ରକାନ୍ତଙ୍କୁ ହରାଇ ଏ ମାଟି ଝୁରୁଛି, ଗାଁ କାନ୍ଦୁଛି | କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିଅରପାଙ୍ଗା ଅଂଚଳ ଶୋକରେ ମ୍ରିୟମାଣ | ରାଜ୍ୟବାସୀ ବି ମର୍ମାହତ ମାଟିର ବୀର ସପୁତଙ୍କୁ ହରାଇ |  ଦେଶମାତୃକା ପାଇଁ ସୀମାରେ ସହିଦ ହୋଇଥିବା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ଜନ୍ମମାଟି ବିଅରପାଙ୍ଗାରେ ପହଂଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ | ଅନେକଙ୍କ ଆଖିରୁ ଅବାରିତ ଅଶ୍ରୁ ବହିଯାଇଥିଲା |  ଅପୂର୍ବ ବଳିଦାନ ଦ୍ୱାରା ବୀରତ୍ବର ପରିଚୟ ଦେଇ ଦେଶ ମାତୃକାକୁ  ଭଲପାଇବାର ସଂଜ୍ଞା ଶିଖାଇ ଯାଇଥିବା  ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସମସ୍ତେ ଜଣାଇଥିଲେ  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି | ଏହି ଅବସରରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା | ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି, କୃଷକ ସଶକ୍ତିକରଣ , ମତ୍ସ୍ୟ, ପଶୁପାଳନ ତଥା ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଉପସ୍ଥିତ ରହି ସହିଦ ଚନ୍ଦ୍ରକାନ୍ତଙ୍କୁ ଅନ୍ତିମ ସମ୍ମାନ ପ୍ରଦାନ କରିବା ସହ ପାର୍ଥିବ ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ | ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧି ତଥା ଜନସାଧାରଣ ଅନ୍ତିମ ସମ୍ମାନ ପ୍ରଦର୍ଶନ କରିଥିଲେ |

ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ମନ୍ତ୍ରୀ  ଡ଼ ସାହୁ କହିଛନ୍ତି ଯେ  " ଲଦାଖ ଗଲୱାନ ଘାଟିରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ଓଡ଼ିଆ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ତାଙ୍କ ଜନ୍ମମାଟି ରାଇକିଆରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଉଭୟ ଓଡ଼ିଆ ବୀର ଯବାନଙ୍କ ଦେଶପ୍ରେମ ଏବଂ ବଳିଦାନ ତାଙ୍କୁ ଚିରସ୍ମରଣୀୟ କରି ରଖିବ ।"

ସୂଚନାଯୋଗ୍ୟ ଯେ,  ପୂର୍ବ ଲଦାଖ ଗଲଵାନ ଘାଟିରେ ଚୀନ ସେନାଙ୍କ ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିଅରପାଙ୍ଗା ଅଞ୍ଚଳର ୧୬ ବିହାରେ ରେଜିମେଣ୍ଟରେ କାମ କରୁଥିବା ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡ଼ଚମ୍ପାଉଦା ଗାଁର ୧୬ ବିହାର ରେଜିମେଣ୍ଟର ଲେଫ୍ଟନାଣ୍ଟ ସୁବେଦାର ନନ୍ଦୁରାମ ସୋରେନ। ଗତକାଲି ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିବା ପରେ ବିମାନବନ୍ଦରରେ କାର୍ଗୋ ଟର୍ମିନାଲ୍ ଫାଟକ ଦେଇ ମରଶରୀରକୁ ବାହାରକୁ ଅଣାଯିବା ପରେ ଏକ ଭାବବିହ୍ବଳ ପରିବେଶରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ଅଚ୍ୟୁତ ସାମନ୍ତ, କଂଗ୍ରେସ ବିଧାୟକ ସୁର ରାଉତରାଙ୍କ ସମେତ ବହୁ ନେତୃବୃନ୍ଦ ତଥା ଅଧିକାରୀ ଶେଷ ସମ୍ମାନ ଜଣାଇଥିଲେ |

 

0
0
0
s2sdefault