ହେଡଲାଇନସ୍:

କୋଭିଡ୍-୧୯ ପରିସ୍ଥିତିରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି -  ମନ୍ତ୍ରୀ ଡ଼ଃ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଖରିଫ ଚାଷ ପରିପ୍ରେକ୍ଷୀରେ ବରିଷ୍ଠ କୃଷି ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡ଼ିଓ କନଫରେନସିଙ୍ଗରେ ମନ୍ତ୍ରୀ ନେଲେ ବୈଠକ

  • ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଉପରେ ଗୁରୁତ୍ୱ

  • ପ୍ରତି ୧୫ ଦିନରେ ବ୍ଲକସ୍ତରର ବିଭିନ୍ନ ବିଭାଗର ପ୍ରତିନିଧିଙ୍କୁ ନେଇ ବ୍ଲକସ୍ତରୀୟ ବୈଷୟିକ ଟିମର ବୈଠକ

  • ପଂଚାୟତ ସ୍ତରରେ ଗଠିତ  ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ ଚାଷ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ପାଇପାରୁଛନ୍ତି ଚାଷୀ

  • ଜଳସେଚନର ସୁବିଧା ନିମନ୍ତେ ୧,୦୩,୦୦୦ ଗୋଟି ‘ମୋ ପୋଖରୀ’ ଖୋଳାଯିବାର ଲକ୍ଷ୍ୟ

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ ଯୋଗୁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇଗତି କରୁଥିବା ବେଳେ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛିା  ଏଥି ସହିତ ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କ ଆୟବୃଦ୍ଧି ଦିଗରେ କୃଷି ଉଲ୍ଲେଖନୀୟ ଅବଦାନ କରିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂବାର୍ହ୍ନରେ ଲୋକସେବା ଭବନଠାରେ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଆୟୋଜିତ ବୈଠକରେ କୃଷି ବିଭାଗର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ତଥା ଖରିଫ ଚାଷର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ଼ଃ ସାହୁ କହିଲେ କୋଭିଡ୍-୧୯ ପରିସ୍ଥିତି ଭଳି ଏକ ଘଡ଼ିସନ୍ଧି ମୁହୁର୍ତରେ କୃଷି ତାର ଗୁରୁତ୍ୱପୁର୍ଣ୍ଣ ଭୂମିକା ପ୍ରତିପାଦନ କରିବା ଦିଗରେ ଏକ ସୁଯୋଗ ଆଣିଦେଇଛି । କୃଷିକୁ ସର୍ବଦା ପ୍ରାଥମିକତା ପ୍ରଦାନ କରିବା ସହିତ ପରିସ୍ଥିତିକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିୟମିତ ଭାବେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । ଜୀବିକାଅର୍ଜନ ଦିଗରେ ୨୦୦ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ପ୍ୟାକେଜ ଫଳରେ ୨୫ ଲକ୍ଷ ଚାଷୀ ଉପକୃତ ହୋଇପାରିବେ । ଏଥି ନିମନ୍ତେ ତୁରନ୍ତ ଯୋଗ୍ୟ ହିତାଧିକାରୀ ଚୟନକରି ପ୍ୟାକେଜ ବଂଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ମନ୍ତ୍ରୀ ଡ଼ଃ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷାକରି ସମୟ ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ଚାଷୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଓ ଜ୍ଞାନକୌଶଳ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ ।

ଏଥିସହି କୃଷିଜାତ ଦ୍ରବ୍ୟର ସୁବିଧାରେ ବିକ୍ରିବଟା ଉପରେ ଅଧିକ ଦୃଷ୍ଟି ଦେବାପାଇଁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ ।  ବୈଠକରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ସୌରଭ  ଗର୍ଗ ‘ମୋ ପୋଖରୀ’ ଯୋଜନାର ହିତାଧିକାରୀ ଚୟନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା ପାଇଁ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଅଧିକ ପ୍ରକଳ୍ପ ନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ‘ମୋ ପୋଖରୀ’ ଖନନ ମାଧ୍ୟମରେ ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ସହିତ ଜଳସେଚନର ସୁବିଧା ନିମନ୍ତେ ୧,୦୩,୦୦୦ ଗୋଟି ‘ମୋ ପୋଖରୀ’ ଖୋଳାଯିବାର ଲକ୍ଷ୍ୟ ରଖାଯାଇଛି ।  ବୈଠକରେ ପ୍ରତି ସୋମବାର ଦିନ ପଂଚାୟତ ସ୍ତରରେ କୃଷି ସଂପ୍ରସାରଣ ଅଧିକାରୀଙ୍କ ଦ୍ୱାରା ବୈଠକ ଆୟୋଜନ କରି ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ପ୍ରତି ୧୫ ଦିନରେ ବ୍ଲକସ୍ତରର ବିଭିନ୍ନ ବିଭାଗର ପ୍ରତିନିଧିଙ୍କୁ ନେଇ ଗଠିତ ବ୍ଲକସ୍ତରୀୟ  ବୈଷୟିକ ଟିମର ବୈଠକର ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତୃଣମୂଳ ସ୍ତରରେ ଉପରୋକ୍ତ ବୈଠକ ଗୁଡ଼ିକର ନିୟମିତ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ପ୍ରତିମାସରେ ଜିଲ୍ଲାସ୍ତରରେ ସମନ୍ୱୟ ବୈଠକ ଆୟୋଜନ କରି ଚାଷୀମାନଙ୍କର ସମସ୍ୟାର ସମାଧାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

 ଏଥିସହିତ ବୈଠକରେ ଖରିଫ ଚାଷ ନିମନ୍ତେ ଆବଶ୍ୟକ ଉନ୍ନତମାନର ବିହନ, ସାର ଆଦି ଯୋଗାଣ ବିଷୟରେ ସମୀକ୍ଷା କରାଯାଇଥିଲା । ଚଳିତ ବର୍ଷ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଅଣଋଣୀ ଚାଷୀମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କୃଷି ବିଭାଗ ପକ୍ଷରୁ ପ୍ରଚଳନ କରାଯାଇଥିବା ‘ଆମ କୃଷି’ ଟୋଲ୍ ଫ୍ରି ହେଲ୍ପ୍ ଲାଇନ ଜରିଆରେ ଚାଷୀମାନଙ୍କୁ ଚାଷକାର୍ଯ୍ୟ ସମ୍ବନ୍ଧୀୟ ଆବଶ୍ୟକ ସେବା ଯୋଗାଇ ଦିଆଯାଉଥିବା କ୍ଷେତ୍ରରେ ଏହାର ବହୁଳ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହିତ ପଂଚାୟତ ସ୍ତରରେ ହ୍ୱାଟ୍ସଆପ୍ ଗ୍ରୁପ ଗଠନ କରି ଚାଷୀମାନଙ୍କ ପାଇଁ ଆବଶ୍ୟକ ଚାଷ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଉପଯୋଗୀ ହୋଇପାରୁଛି ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏତଦ୍ ବ୍ୟତୀତ ବୈଠକରେ ଫସଲର ବିବିଧକରଣ, ବୃକ୍ଷରୋପଣ, ଚାରା ପ୍ରସ୍ତୁତି, କୋଭିଡ଼-୧୯ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ  ଡ଼ଃ ଏମ୍. ମୁଥୁକୁମାର, ଉଦ୍ୟାନ କୃଷିର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ  ବିଭାଗୀୟଅଧିକାରୀମାନେ ଲୋକସେବା ଭବନରେ ଉପସ୍ଥିତ ଥିବାବେଳେ ୩୦ଟି ଜିଲ୍ଲା ଓ ୩୧୪ଟି ବ୍ଲକର କୃଷି ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ବୈଠକରେ ଯୋଗଦେଇଥିଲେ ।   

 

 

 

0
0
0
s2sdefault