ହେଡଲାଇନସ୍:

କାନ୍ଦୁଛି ବଡ଼ଚମ୍ପାଉଦା, ଝୁରୁଛି ନନ୍ଦୁଙ୍କୁ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 
  • ଦେଶ ପାଇଁ ଶହୀଦ ହୋଇଛନ୍ତି ମୟୂରଭଞ୍ଜ ମାଟିର ବୀର ଯବାନ ନନ୍ଦୁରାମ

  • କାନ୍ଦ ବୋବାଳିରେ ଫାଟି ପଡ଼ିଛି ବଡ଼ଚମ୍ପାଉଦା ଗ୍ରାମ

  • ଶହୀଦ ପରିବାରକୁ ସମବେଦନା ଜଣାଇବାକୁ ନେତାଙ୍କ ଭିଡ଼

ବାରିପଦା(ଦିଲ୍ଲୀପ ମହାନ୍ତି)- ଭାରତର ଉତ୍ତର ଭାଗରେ ଦଣ୍ଡାୟମାନ ଗିରିରାଜ ହିମାଳୟ ପୂର୍ବ-ପଶ୍ଚିମକୁ ଲମ୍ବି ଦେଉଛି ସୁରକ୍ଷା । ତଥାପି ବର୍ହିଶତ୍ରୁ ଆକ୍ରମଣରୁ ଦେଶ ବଞ୍ଚିତ ହୋଇନି । ଏବେ ଲଦାଖର ଗଲୱାନା ଘାଟିରେ ଭାରତ-ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଗତ ସୋମବାର ବିଳମ୍ବିତ ରାତିରେ ଉଭୟ ରାଷ୍ଟ୍ରର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନ୍ୟ ସହିଦ ହୋଇଛନ୍ତି । ସହିଦ ହୋଇଥିବା ୧୬ ବିହାର ରେଜିମେଣ୍ଟର ସୈନ୍ୟମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ଓ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନ(୪୨) ରହିଛନ୍ତି । ନନ୍ଦୁରାମ ସହିଦ ହୋଇଥିବା ଖବର ଆଜି ରାଇରଙ୍ଗପୁର ଥାନାରେ ପହଁଞ୍ଚିବା ତାଙ୍କ ପରିବାରକୁ ଜଣାଇ ଦିଆଯାଇଥିଲା । ଏହାପରେ ବଡ଼ଚମ୍ପାଉଦା ଗ୍ରାମରେ ଖେଳେଇ ଯାଇଥିଲା ଶୋକର ଛାୟା । ସେହିପରି ଇଚିଣ୍ଡା ଗ୍ରାମରେ ଭଡ଼ା ଘରେ ରହୁଥିବା ସହିଦ ବୀର ଯବାନଙ୍କ ପରିବାରରେ କାନ୍ଦ ବୋବାଳି ପଡ଼ିଯାଇଥିଲା । ସ୍ତ୍ରୀ ଲକ୍ଷ୍ମୀ ସୋରେନ କାନ୍ଦି କାନ୍ଦି ସଂଜ୍ଞା ହରାଇ ବସିଥିବା ବେଳେ ବାପ ଛେଉଣ୍ଡ ହୋଇଥିବା ୩ ଝିଅର ଭବିଷ୍ୟତକୁ ନେଇ ବାହୁନିବାରେ ଲାଗିଥିଲେ । 

ଦେଶମାତୃକାର ସେବା ପାଇଁ ନିଜର ପ୍ରାଣବଳି ଦେଇ ସହୀଦର ରୂପେ କାଳକାଳକୁ କୀର୍ତ୍ତି ରଖିଯାଇଥିବା ନନ୍ଦୁରାମ ସୋରେନଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସଙ୍ଗେସଙ୍ଗେ ଦୁଃଖରେ ସାମିଲ ହେବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପହଁଞ୍ଚିଥିଲେ ଇଚିଣ୍ଡା ଗ୍ରାମରେ । ଏମାନଙ୍କ ମଧ୍ୟରେ ବିଜେଡ଼ିର ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା ସଙ୍ଗଠନ ସଭାପତି କାଶିନାଥ ହେମ୍ବ୍ରମ, ପୂର୍ବତନ ବିଧାୟକ ସାଇବା ସୁଶୀଳ ହାଁସଦାଃ, ରତିକାନ୍ତ ପରିଚ୍ଛା, ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି ଓ ସୁବ୍ରତ  ଛାଟୋଇ, ଗଣେଶ ମିଶ୍ର ପ୍ରମୁଖ ସହୀଦଙ୍କ ଧର୍ମପତ୍ନୀ ଓ ୩ କନ୍ୟାକୁ ସାକ୍ଷାତ କରି ସମବେଦନା ଜଣାଇଥିଲେ । ସେହିପରି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ପ୍ରମୁଖ ରହିଛନ୍ତି । 

ସହୀଦ ନନ୍ଦୁରାମ ସୋରେନଙ୍କ ବେଷ୍ଟ ଫ୍ରେଣ୍ଡ ତଥା ବାଲ୍ୟବନ୍ଧୁ ବଡ଼ଚମ୍ପାଉଦା ଗ୍ରାମର ମନୋରଞ୍ଜନ ହାଁସଦାଃଙ୍କ କହିବା ଅନୁସାରେ ନନ୍ଦୁରାମ ହେଉଛନ୍ତି ଙ୍କର ସାନ ପୁଅ । ଗତ ଫେବୃଆରୀ ମାସରେ ନନ୍ଦୁ ଫେବୃଆରୀ ୧୬ରେ ତାଙ୍କର ଦ୍ୱିତୀୟ ଭାଇଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସି ମାର୍ଚ୍ଚ ୨ରେ ଫେରିଯାଇଥିଲେ । ବାପା କାହ୍ନୁ ମାଝି ଓ ମାଙ୍କର ପୂର୍ବରୁ ଦେହାନ୍ତ ହୋଇସାରିଥିଲା । ପରିବାରରେ ସ୍ୱଳ୍ପ ପରିମାଣରେ ଚାଷ ଜମି ରହିଛି । ପରିବାରର ଅନ୍ୟ ଦୁଇ ଭାଇଙ୍କ ପରିବାର ସହିତ ନିଜ ସ୍ତ୍ରୀ ଲକ୍ଷ୍ମୀ ଓ ୩ ଝିଅ ସମସ୍ତ ଦାୟିତ୍ୱ ଉଠାଇ ଆସୁଥିଲେ । ଇଚିଣ୍ଡା ପବ୍ଲିକ ସ୍କୁଲରେ ନନ୍ଦୁଙ୍କ ବଡ଼ ଝିଅ  ଜ୍ଞାନେଶ୍ୱରୀ  ନବମ , ମଝିଆ ଝିଅ ମାନସୀ  ଷÂ ଓ ସାନ ଝିଅ ସୁନାଲୀ ପ୍ରଥମ ଶ୍ରେଣୀରେ ଅଧ୍ୟନ କରୁଥିବା କାରଣରୁ ଇଚିଣ୍ଡାରେ ଏକ ଭଡ଼ା ଘର ନେବାକୁ ବାଧ୍ୟ ହୋଇଥିଲେ । ତାଙ୍କର କୌଣସି ପୁଅ ନଥିବାରୁ ଝିଅକୁ ଭଲ ଭାବେ ପାଠ ପଢ଼ାଇ ବଡ଼ ମଣିଷ କରିବା ଏକ ମାତ୍ର ଲକ୍ଷ ରହିଥିଲା । ନନ୍ଦୁ ରାଇରଙ୍ଗପୁର ବିଦ୍ୟାଳୟରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ରାଇରଙ୍ଗପୁର ମହାବିଦ୍ୟାଳୟରୁ + ୨ ପାଶ କରି ୧୯୯୭ରେ  ୧୬- ବିହାର ରେଜିମେଣ୍ଟରେ ନିଯୁକ୍ତି ପାଇଥିଲେ ଏବଂ ଲେଫ୍ଟଲାଣ୍ଟ ସୁବେଦାର ହୋଇଥିଲେ । ନନ୍ଦୁ ଖେଳକୁଦକୁ ବହୁତ ଭଲ ପାଉଥିଲେ । ସେ ୨୦୦୩ରେ ବାଦଡ଼ା ଗ୍ରାମରୁ ବିବାହ କରିଥିଲେ । ସେ ସହୀଦ ହେବା ଖବରରେ ଯେତିକି ଗର୍ବ ଅନୁଭବ କରୁଛି ସେହି ପରି ଜଣେ ଭଲ ବନ୍ଧୁଙ୍କୁ ହରାଇଥିବାରୁ ମଧ୍ୟ ଦୁଃଖ ଲାଗୁଛି ବୋଲି ବାଲ୍ୟବନ୍ଧୁ ବଡ଼ଚମ୍ପାଉଦା ଗ୍ରାମର ମନୋରଞ୍ଜନ ହାଁସଦାଃ କହିଥିଲେ । ସେହିପରି ସହୀଦ ନନ୍ଦୁ ସୋମବାର ସକାଳ ସମୟରେ ସ୍ତ୍ରୀ ଲକ୍ଷ୍ମୀଙ୍କ ସହିତ ଶେଷ ଥର ବାର୍ତ୍ତାଳାପ କରିଥିବାର ଜଣାପଡ଼ିଛି । 

 

 

 

0
0
0
s2sdefault