ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୭ଜଣ
ପ୍ରଥମ ଥର ଖୁଣ୍ଟା, କୁଳିଅଣା ଓ ରରୁଆଁ ବ୍ଲକକୁ କରୋନା ଛୁଇଁଲା
ଡ଼ୁକୁରା ବଜାର ସହିତ ଆଖପାଖ ଅଞ୍ଚଳ ୭୨ ଘଣ୍ଟା ସଟ୍ ଡ଼ାଉନ ଘୋଷଣା କଲେ ସରପଞ୍ଚ
ବାରିପଦା(ଦିଲୀପ ମହାନ୍ତି )-କପ୍ତିପଦା ବ୍ଲକରୁ ମୟୁରଭଞ୍ଜ ଜିଲ୍ଲାରେ ମଇଦାନକୁ ଓହ୍ଲାଇଥିବା କରୋନା ଆଜି ୩୮ତମ ଦିନରେ ୧୯ଟି ଜିଲ୍ଲାକୁ ଛୁଇଁ ଯିବା ସହ ସେଞ୍ଚୁରୀ ମାରିଛି | ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣ ଟପିଲା ଶହେ । ଶନିବାର ୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୧୦୮ରେ ପହଁଞ୍ଚିଛି । ପ୍ରଥମ ଥର ନିମନ୍ତେ ଖୁଣ୍ଟା , ରରୁଆଁ ଓ କୁଳିଅଣା ବ୍ଲକ ଅଞ୍ଚଳକୁ କରୋନା ଛୁଇଁଥିବା ବେଳେ ଖୁଣ୍ଟା ଓ ବଡ଼ସାହି ବ୍ଲକରେ ୨ଟି ଲେଖାଏଁ ମୋଟ ୪ ପଜିଟିଭ ମାମଲା ଲୋକାଲ କଣ୍ଟାକ୍ଟରୁ ଆସିଛି । ସେହିପରି ବାରିପଦା ବ୍ଲକରୁ -୧, କୁଳିଅଣା ବ୍ଲକରୁ-୧, ରରୁଆଁ ବ୍ଲକରୁ-୧, ଶୁଳିଆପଦା ବ୍ଲକରୁ-୧ ଓ ମୋରଡ଼ା ବ୍ଲକରୁ ୧ ଏହିପରି ମୋଟ ୫ ଜଣ ସ୍ଥାନୀୟ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କର୍ଣ୍ଣାଟକ ଫେରନ୍ତା-୧, ପଶ୍ଚିମବଙ୍ଗ ଫେରନ୍ତା-୨, ମହାରାଷ୍ଟ୍ର ଫେରନ୍ତା -୧ ଓ ତାମିଲନାଡ଼ୁ ଫେରନ୍ତା – ୧ ରହିଥିବା ସମୟରେ ସମସ୍ତ କରୋନା ସଂକ୍ରମିତମାନଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆଜିର ୯ କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୯୯ରୁ ବୃଦ୍ଧି ପାଇ ୧୦୮ରେ ପହଁଞ୍ଚିଛି । ସଂକ୍ରମିତମାନଙ୍କ ମଧ୍ୟରୁ ୨୬ ଜଣ ସୁସ୍ଥ ହୋଇ ଫେରି ଆସିଥିବା ବେଳେ ସକ୍ରିୟ ଥିବା ୮୨ ଜଣଙ୍କର ବାରିପଦା ବ୍ଲକ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସା ଜାରି ରହିଥିବାର ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାର ୧୯ଟି ବ୍ଲକ ଓ ଗୋଟାଏ ପୌରପରିଷଦରେ କରୋନା ତାର କାୟା ବିସ୍ତାର କରିସାରିଛି । ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜିଲ୍ଲାର ୭ଜଣ ଆକ୍ରାନ୍ତ |
ସୂଚନା ଯୋଗ୍ୟ ଯେ, ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତର ଜଣେ ୩୫ ବର୍ଷିୟ ଟ୍ରାକ୍ଟର ଚାଳକ ସହ ଡ଼ୁକୁରା ପଞ୍ଚାୟତର ଜଣେ ୧୨ ବର୍ଷର ନାବାଳକ ଏବଂ ବଡ଼ସାହି ବ୍ଲକ ଖାନୁଆ ପଞ୍ଚାୟତର ୧୧ ବର୍ଷର ନାବାଳକ ଗତ ମଙ୍ଗଳବାର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଡ଼ୁକୁରା ହସପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଯାଇଥିଲେ । ଏମାନଙ୍କ ନିକଟରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ପରିଲକ୍ଷିତ ହେବା ପରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇ ଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିବାର ଜଣାପଡ଼ିବା ପରେ ପୁଲିସ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ଗ୍ରାମରେ ପହଁଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ସଂକ୍ରମିତମାନଙ୍କୁ କୋଭିଡ଼ ହସପିଟାଲକୁ ନେଇଯାଇଥିଲେ ଏବଂ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରିବା ପରେ ସେମାନଙ୍କୁ ହୋମ କ୍ୱରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି । ଦମକଳ ବାହିନୀ ପହଁଞ୍ଚି ଡ଼ୁକୁରା ପଞ୍ଚାୟତ ସହିତ ଆଖପାଖ ଗ୍ରାମକୁ ସାନିଟାଇଜ କରାଇଥିଲେ । ଏହାପରେ ଡ଼ୁକୁରା ସରପଞ୍ଚ ଚିତ୍ତରଞ୍ଜନ ନାୟକ ଓ ପ୍ରତାପପୁର ସରପଞ୍ଚ ସସ୍ମୀତା ନାଏକ ଜିଲ୍ଲାପାଳଙ୍କ କ୍ଷମତାକୁ ପ୍ରୟୋଗ କରି ପଞ୍ଚାୟତକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟର୍୍ ଡ଼ାଉନ ଘୋଷଣା କରିଛନ୍ତି । ସେହିପରି ବଡ଼ସାହି ବ୍ଲକ କେନ୍ଦୁଡ଼ିହା ପଞ୍ଚାୟତର ଜଣେ କଲେଜ ଛାତ୍ରଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମଧ୍ୟ ବାଙ୍କିଶୋଳ କୋଭିଡ଼ ହସପିଟାଲକୁ ନିଆଯାଇଥିବା ସମୟରେ ଗତ ଜୁନ ୬ରେ ବଡ଼ସାହି ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ୨୫ ବର୍ଷୀୟାଙ୍କ ରିପୋର୍ଟ ପଜିଟିଭ ବାହାରି ଥିଲା । ଉକ୍ତ ମହିଳା ଚିକିତ୍ସା ନିମନ୍ତେ ଡ଼ୁକୁରା ସିଏଚସିକୁ ଆସିଥିବା ସମୟରେ ୨ ଜଣ ଡ଼ାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଟେକ୍ନିସିଆନ ଓ ଜଣେ ଷ୍ଟାଫ ନର୍ସଙ୍କ ସମେତ ଏଏନଏମ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ । ତେଣୁ ସେମାନଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ହୋମ କ୍ୱରେଣ୍ଟିନରେ ରହିବାକୁ କୁହାଯାଇଛି । ତେବେ ଲୋକାଲ କଣ୍ଟାକ୍ଟରୁ ପଜିଟିଭ ଚିହ୍ନଟଙ୍କ ଯାତ୍ରା ବିବରଣୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଛି ଏବଂ କୋଭିଡ଼-୧୯ ଭୂତାଣୁ ସଂକ୍ରମଣର ରୁଟ ବାହାର କରିବା ନିମନ୍ତେ ଉଦ୍ୟମ ଜାରି ରହିଥିବାର ଜଣାପଡ଼ିଛି ।











