ହେଡଲାଇନସ୍:

ବିଳମ୍ବରେ ଆରମ୍ଭ ହୋଇ ବି ଶେଷ ପାଦିଆ ହେଲାଣି ରଥ ନିର୍ମାଣ କାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଉଠିଲା ପାରା ଭାଡ଼ି, ଲାଗିବ ଓଲଟ ପାରା ଓ କଳସ 

  • ମୁଣ୍ଡି ମାରିବାକୁ ଅଂଟା ଭିଡି ଲାଗିପଡିଛନ୍ତି ସମସ୍ତ ସେବକ

ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : ବିଳମ୍ବରେ ଆରମ୍ଭ ହୋଇଥିଲା ରଥ ନିର୍ମାଣ କାର୍ଯ୍ୟ | ଆଶଙ୍କା ଭିତରେ ଥିଲେ ସମସ୍ତେ ଠିକଣା ସମୟରେ ରଥ କାମ ସରିବକି ନାହିଁ | ହେଲେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ନିଷ୍ଠା ତଥା ସମର୍ପିତ ଉଦ୍ୟମ, ପ୍ରଶାସନିକ ସମନ୍ୱୟ ସର୍ବୋପରି ପ୍ରଭୁଙ୍କ ଆଶୀର୍ବାଦରୁ ବିଳମ୍ବରେ ଆରମ୍ଭ ହୋଇବି ଏବେ ଶେଷ ପାଦିଆ ହେଲାଣି ତିନି ଠାକୁରଙ୍କ ରଥ ନିର୍ମାଣ କାମ | ଏପରିକି ପୂର୍ବଥର ଠାରୁ ଆଗୁଆ ଏଥର ରଥ ନିର୍ମାଣ କାର୍ଯ୍ୟ | ଆଉ ଏବେ ଚାଲିଛି ଅନ୍ତିମ ପର୍ଯ୍ୟାୟ କାମ ,ମୁଣ୍ଡି ମାରିବାକୁ ଅଂଟା ଭିଡି ଲାଗିପଡିଛନ୍ତି ସେବକମାନେ |  

 ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ହୋଇଛି । ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ସରିଲାପରେ ରଥରେ ତାହା ଖଞ୍ଜାଯିବ । ସେହିଭଳି ଗତକାଲି ତିନି ରଥର ୨ଟି ଲେଖାଁଏ ଦୁଆର ଘଡା ପ୍ରସ୍ତୁତ ସହ ରଙ୍ଗ ପାଇଁ ରଥଖଳାକୁ ଆସିଥିବାବେଳେ ସେଥିରେ ପ୍ରାଇମର ଲଗାଯାଇଛି । ଆଜି ତିନି  ରଥର ଆଶାବାଡି ଖୁଣ୍ଟିଆ କାର୍ଯ୍ୟ ଚାଲିଛି । ପ୍ରତି ରଥରେ ଦୁଇଟି ଲେଖାଁ ଆଶାବାଡି ଖୁଣ୍ଟିଆ ଆବଶ୍ୟକ ହୋଇଥାଏ ଓ ରଥରେ ଘୋଡା ଖଞ୍ଜାଯିବାବେଳେ ଏହା ବ୍ୟବହାର ହୋଇଥାଏ । ତିନିରଥରେ ଖଞ୍ଜା ଯାଇଥିବା ପଟ୍ଟାଗୁଜରେ ରୂପକାର ସେବକମାନେ ସିଂହବରାଳ, ଗଜବରାଳ, ଗଜସିଂହ ଖୋଦେଇ କାମ ସହ ରଥଚକା ଦଣ୍ଡା ଇତ୍ୟାଦିର ରଙ୍ଗକାମ କରୁଛନ୍ତି । ଶ୍ରୀମନ୍ଦିର ନୂତନା କାର୍ଯ୍ୟାଳୟ ତଳେ ଚିତ୍ରକର ସେବକମାନେ ରଥ ପାର୍ଶ୍ୱ ଦେବାପାଦୀ, କଳସ ଇତ୍ୟାଦିର ରଙ୍ଗକାମ ଜାରି ରଖିଛନ୍ତି । ଦରଜି ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ରଥକନାରେ ଜରିଫିତା ସିଲାଇ ରଥ ଘେର ସିଲାଇ କାମ ଆରମ୍ଭ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଏଲ୍‍ କ୍ଲାମ୍ପ, ଧୂଳିଦଣ୍ଡା, ବିଡିଆ କଣ୍ଟା ପ୍ରସ୍ତୁତରେ ଲାଗିବା ସହ ରଥଦଣ୍ଡାରେ ଖଞ୍ଜା ଯାଇଥିବା କୋଣ ଗୁଜ ଗୁଡିକରେ ଧୂଳିଦଣ୍ଡା କଣ୍ଟା ବାଡେଇଛନ୍ତି ।

ଆଜି ଶ୍ରୀମନ୍ଦିର ନୀଳାଦ୍ରୀ ଉକ୍ତ ନିବାସ ଠାରେ କରୋନା ସଚେତନତା ସ୍ୱାସ୍ଥ୍ୟ ଶିବିରର ଥିଲା ଚତୁର୍ଥ ଦିନ । ଆଜି ପୂଜାପଣ୍ଡା ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ଔଷଧ ବିତରଣ କରାଯାଇଥିଲା । ମୋଟ୍‍ ୧୬୧ ଜଣ ସଦସ୍ୟଙ୍କୁ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଅନ୍ୟାନ୍ୟ ସେବକଙ୍କୁ ମିଶାଇ ଆଜି ମୋଟ୍‍ ୨୫୩ ଜଣଙ୍କୁ ଔଷଧ ବଣ୍ଟା ଯାଇଛି । ଆସନ୍ତା କାଲି ଶେଷ ଦିନରେ ଗରାବଡୁ ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟ ସହିତ ହୋମିଓପାଥି ଔଷଧ ସଂଗ୍ରହ କରିନଥିବା ଅନ୍ୟ ସେବାୟତଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବ ।

0
0
0
s2sdefault