ସ୍ମୃତିଙ୍କୁ ମହିଳା, ଅଭିଜ୍ଞ ଵିଭୂଙ୍କୁ ଏସସି ଏବଂ ଟୁଡୁ ସମ୍ଭାଳିବେ ଏସଟି ମୋର୍ଚା
ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗଢ଼ିଛନ୍ତି ତାଙ୍କ ନୂଆ ଟିମ | ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ ପରେ ପ୍ରକାଶ ପାଇଛି କର୍ମକର୍ତ୍ତାଙ୍କ ତାଲିକା। ଅନେକ ପୁରୁଣା ଚେହେରା ବାଦ ପଡିଥିବା ବେଳେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି ତାଲିକାରେ |
ସମୀର ପୁରାପୁରି ବଦଳାଇଦେଇଛନ୍ତି ତାଙ୍କ ଛାମୁଆ ସଂଗଠନର ଚେହେରା | ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦଳର ମହିଳା ମୋର୍ଚା ସଂଗଠନ ସହିତ ଦୀର୍ଘଦିନ ଧରି ଜଡିତ ଥିବା ସ୍ମୃତି ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି | ସେହିପରି ଯୁବ ସଂଗଠନ ଦାୟିତ୍ୱ ଦିଆଯାଇଛି ଦଳର ଫାୟାର ବ୍ରାଣ୍ଡ ଯୁବନେତା ଇରାଶୀଷ ଆଚାର୍ଯ୍ୟଙ୍କୁ | ତାଙ୍କୁ ଦଳର ଯୁବ ମୋର୍ଚା ସଭାପତି ନିଯୁକ୍ତ କରାଯାଇଛି | ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ତୃଣମୂଳ ସଂଗଠନ ସର୍ବୋପରି ସାମାଜିକ ଓ କୃଷକ ସଂଗଠନ ସହିତ ଓତପ୍ରୋତ ଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ କୃଷକ ମୋର୍ଚ୍ଚା ସଭାପତି ଭାବେ ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ବେଲେ ବିଶ୍ୱେଶ୍ୱର ଟୁଡୁ ଏସଟି ମୋର୍ଚ୍ଚା ସଭାପତି, ଅଭିଜ୍ଞ ରାଜନେତା ବିଭୁପ୍ରସାଦ ତରାଇଙ୍କୁ ଏସସି ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି | ସେହିପରି ଦଳର ଯୁବ ସଂଗଠନ ସହ ଜଡିତ ସିକନ୍ଦର ଅଲ୍ଲୀଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆଯାଇଛି | ଛାମୁଆ ସଂଗଠନ ଭିତରୁ ଯୁବ ଓ କୃଷକ ମୋର୍ଚା ପ୍ରଦାନ କରାଯାଇଥବା ବେଳେ ପଶ୍ଚିମ ଓଡ଼ିଶାରେ ଯୁବ ଓ କୃଷକ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦଳ ଚିନ୍ତା କରୁଥିବା ଅନୁମାନ କରାଯାଉଛି| ଖାସ କରି ଗୋଟିଏ ଜିଲ୍ଲା ଅର୍ଥାତ ରାଜନୈତିକ ସମ୍ବେଦନଶୀଳ ଜିଲ୍ଲା ବରଗଡ଼ ଜିଲ୍ଲାରୁ ଦୁଇ ଦୁଇ ଜଣଙ୍କୁ ଛାମୁଆ ସଂଗଠନ ଦାୟିତ୍ୱ ଦେବା ବି ଗୁରୁତ୍ୱ ବହନ କରେ |











