କରିଥିଲେ କେଉଁ ପାପ, ପୁଅର ମଲା ମୁହଁକୁ ଦେଖି ପାରିଲେନି ବାପ !!
ବାରିପଦା(ଦିଲ୍ଲୀପ ମହାନ୍ତି )- ସମସ୍ତେ ବହୁଡୁଛନ୍ତି | ତାଲା ଖୋଲିଲେ ପୁଅ ବି ଫେରିବ | ଆଶାରେ ଆଉ ଅପେକ୍ଷାରେ ଥିଲେ ପରିବାର | ବାହୁଡ଼ିଲାନି ପ୍ରବାସରୁ ଏକମାତ୍ର ରୋଜଗାରିଆ ପୁତ୍ର, ହେଲେ ହ୍ଵାଟ୍ସଆପରେ ଆସିଲା ମୃତ୍ୟୁର ଖବର ଓ ପ୍ରମାଣପତ୍ର | ପରିବାରର ଭରଣପୋଷଣ ଭାର ଉଠାଇବା ନିମନ୍ତେ ବାହାର ରାଜ୍ୟ ହରିୟାନାକୁ ଯିବା କାଳ ହେଲା । ଶେଷରେ କରୋନା ନେଲା ଜୀବନ । ସେହି ହରିୟାନାରେ ହେଲା ଅନ୍ତିମ ସଂସ୍କାର । ପରିବାରକୁ କେବଳ ମିଳିଲା ମୃତ୍ୟୁ ଖବର । ବାପ ଓ ମା ପୁଅର ମଲା ମୁହଁକୁ ଦେଖିବାର ସୁଯୋଗ ପାଇଲେ ନାହିଁ । ମୃତ୍ୟୁର ମୂକ ସାକ୍ଷୀ ଭାବେ ପରିବାର ନିକଟରେ ପହଁଞ୍ଚିଲା ମୃତ୍ୟୁର ପ୍ରମାଣପତ୍ର ।
ଏହିଭଳି ଏକ ଅଭାବନୀୟ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ ଡ଼ିହିରାକୁଳ ଗ୍ରାମରେ । ଗ୍ରାମର ଗୋପୀନାଥ ସେନାପତିଙ୍କ ପରିବାର ଅଭାବ ଅନାଟନ ଭିତରେ ଗତି କରୁଥିଲା । ପୁଅ ସୁଶାନ୍ତ ସନୋପତି ଚାକିରୀବାକିରୀ ନ ପାଇ ଘରେ ବେକାର ହୋଇ ବସି ରହିଥିଲା । ପରିବାରର ଦୁଃଖ ସହି ନ ପାରି ଗତ ଜାନୁଆରୀ ମାସରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବାକୁ ହରିଆନା ଚାଲିଯାଇଥିଲା । ଏହା ପରେ ପରେ ମାଡ଼ି ଆସିଥିଲା ବିଶ୍ୱ ମହାମାରୀ କରୋନା । ଘରକୁ ଫେରି ନ ପାରି ସେହି ହରିୟାନାରେ ଅଟକି ରହିଥିଲା । ୪ ଦିନ ପୂର୍ବେ ସେଠାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣର ଶିକାର ହୋଇ ମୃତ୍ୟୁ ହୋଇଥିବାର ଖବର ହ୍ୱାଟ୍ସଆପ୍ ଯୋଗେ ଆସି ପହଁଞ୍ଚିଥିଲା । ପ୍ରଥମେ ଏହାକୁ ବିଶ୍ୱାସ କରିପାରି ନ ଥିଲେ ପରିବାର । ମାତ୍ର ଡେଥ ସାର୍ଟିଫିକେଟ ମିଳିବା ପରେ ବାପା ଗୋପୀନାଥ ରୋଜଗାରିଆ ଜୁଆନ ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିଲେ । ଘରେ ଚୁଲି ଜଳି ନ ଥିଲା । ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ସୁଶାନ୍ତକୁ ହରାଇ ଭାଙ୍ଗି ପଡ଼ିଥିଲେ । ଗ୍ରାମର ବିଶ୍ୱନାଥ ପଣ୍ଡାଙ୍କ କହିବା ଅନୁସାରେ, ସୁଶାନ୍ତ ଜଣେ ମିଷ୍ଟ ଭାଷୀ, ମେଳାପି ଓ ନମ୍ର ସ୍ୱଭାବର ଯୁବକ ରହିଥିଲା । ତାକୁ ହରାଇ କେବଳ ତାଙ୍କର ପରିବାର ନୁହେଁ ଆମ୍ଭେମାନେ ମଧ୍ୟ ଜଣେ ଆପଣାର ଲୋକକୁ ହରାଇ ବସିଥିବାର ଅନୁଭବ କରୁଛୁ ବୋଲି କହିଥିଲେ । ଏଥି ସହିତ ସରକାର ଏହି ଦୁର୍ଦ୍ଧିନ ସମୟରେ ସୁଶାନ୍ତଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ମତ ପୋଷଣ କରିଥିଲେ ।