ମାଇକ୍ରୋ ଫାଇନାନ୍ସ କମ୍ପାନୀର ଋଣ ଆଦାୟକାରୀ ଏଜେଣ୍ଟ ଡକାଉଛନ୍ତି ଆଶାଳୀନ ଆଚରଣ
ଋଣ ଛାଡ଼ ଦାବିରେ ଏସଏସଜି ଗ୍ରୁପ ମହିଳାମାନେ ରାଜ ରାସ୍ତାକୁ ଉହ୍ଲାଇ ଆସିଲେ
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କରୋନା ଯୁଦ୍ଧା ଭାବେ ଜନସାଧାରଣଙ୍କ ସେବାରେ ଲାଗିପଡ଼ିଛନ୍ତି । କିନ୍ତୁ କରୋନାକୁ ନେଇ ଜାରି ହୋଇଥିବା ଲକ୍ ଡ଼ାଉନ ଜନସାଧାରଣଙ୍କ ନିକଟରୁ ଜୀବନ ଜୀବୀକାକୁ ଛଡ଼ାଇ ନେଇଛି । ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବ୍ୟାଙ୍କ ହେଉ ଅଥବା ଯେ କୌଣସି ଅର୍ଥ ଲଗାଣକାରୀ ସଂସ୍ଥା ୩ ମାସ ପର୍ଯ୍ୟନ୍ତ ଇଏମଆଇ ଆଦାୟ କରିପାରିବେ ନାହିଁ ବୋଲି ଘୋଷଣା କରିଥିଲେ । ମାତ୍ର ଅର୍ଥ ଲଗାଣକାରୀ ସଂସ୍ଥା ସରକାରଙ୍କ ଘୋଷଣାକୁ ଅନୁପାଳନ କରିବା ପରିବର୍ତ୍ତେ ଋଣ କିସ୍ତି ଆଦାୟ ନିମନ୍ତେ ଆରମ୍ଭ କରିଦେଇଛନ୍ତି ଜୁଲୁମ । ଫଳରେ ମାଇକ୍ରୋ ଫାଇନାନ୍ସ ନିକଟରୁ ଋଣ ନେଇଥିବା ଏସଏସଜି ଗ୍ରୁପ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି । କେବଳ ଏତିକି ନୁହେଁ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଋଣ ଆଦାୟକାରୀ ଏଜେଣ୍ଟଙ୍କର ଆଶାଳୀନ ଆଚରଣ ପରିବାରର ମାନ ସମ୍ମାନରେ ଆଞ୍ଚ ପହଁଞ୍ଚାଉଥିବାରୁ ପରିବାର ମଧ୍ୟରେ ଝଡ଼ ଉଠିବାରେ ଲାଗିଛି । ପ୍ରତିବାଦରେ ଆଜି ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୨୮ର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଆଜି ରାଜରାସ୍ତାକୁ ଉହ୍ଲାଇ ଆସିବାକୁ ବାଧ୍ୟ ହୋଇଛନ୍ତି । ମହିଳା ନେତ୍ରୀ ସମ୍ପା ମଜୁମଦାରଙ୍କ ନେତୃତ୍ୱରେ ଏସଏସଜି ଗ୍ରୁପର ଶତାଧିକ ମହିଳା ଆଜି ଷ୍ଟେସନ ବଜାରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
ଶ୍ରମତୀ ମୁଜୁମଦାର ଗଣମାଧ୍ୟମକୁ ଦେଇଥିବା ସୂଚନା ଆଧାରରେମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବା ନିମନ୍ତେ ସରକାର ଏସଏସଜି ଗୋଷ୍ଠୀ ଗଠନ କରାଇ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇ ଦେଇଥିଲେ । ମହିଳାମାନେ ମଧ୍ୟ ଆତ୍ମ ନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ଆରମ୍ଭ କରିଥିବା ବ୍ୟବସାୟକୁ ବୃଦ୍ଧି କରାଇ ଦୁଇ ପଇସା ଲାଭ ଆଶାରେ ବ୍ୟାଙ୍କରୁ ଋଣ ନେଇ ନିୟମିତ ଭାବେ କିସ୍ତି ପୈଠ କରିଆସୁଥିଲେ । ଏହି ସମୟରେ କରୋନା ମହାମାରୀକୁ ନେଇ ଲକ୍ ଡ଼ାଉନ ସବୁ ଓଲଟପାଲଟ କରାଇ ଦେଇଛି । ଆୟ ଉପାର୍ଜନ ନ ଥିବା ବେଳେ ଋଣ ଆଦାୟ ନିମନ୍ତେ ଜୁଲୁମ ଆରମ୍ଭ ହୋଇଯାଇଛି । ବିଶେଷ କରି ଋଣ ଆଦାୟ ପାଇଁ ଆସୁଥିବା ଏଜେଣ୍ଟମାନଙ୍କ ଧମକ, ଦୁର୍ବ୍ୟବହାର କରୋନା କଷ୍ଟକୁ ବଳିପଡ଼ିଛି । ଏହାକୁ ନେଇ ପରିବାର ମଧ୍ୟରେ ଝଡ଼ ସୃଷ୍ଟି ହୋଇଛି । ସ୍ୱାମୀ, ଦିଅର, ଶାଶୁ, ଶ୍ୱଶୁର, ନଣଦ, ନଣଦେଇଙ୍କୁ ନେଇ ଗଢ଼ି ଉଠିଥିବା ସଂସାର ଅଶାନ୍ତ ହୋଇପଡ଼ିଛି । ଏହାକୁ ନେଇ ଗତ ମେ ୨୫ରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜି ବସିଛନ୍ତି । ଏଣେ ବନ୍ଧନ, ସ୍ପନ୍ଦନା, ଆରହଣ, ଜାଗରଣ, ଉତ୍ତରାୟଣ, ସୁର୍ୟୋଦୟ , ଅନ୍ତୋଦୟ, ରତ୍ନାକର, ଆଶା, ଏଚଡ଼ିଏଫସି, ବାଜାଜ, ଆକ୍ସିସ, ଆଶା, ଏଲ ଏଣ୍ଡ ଟି, ଏସକେଏସ, ଇଏସ ଆଦି ବ୍ୟାଙ୍କ ପକ୍ଷରୁ ଚକ୍ରବୃଦ୍ଧି ସୁଧରେ ଋଣ ଆଦାୟ ନିମନ୍ତେ ଧମକ ଚମକ ସହିତ ଜୁଲୁମ ଆରମ୍ଭ ହୋଇଛି । ସରକାର ନାରୀ ସୁରକ୍ଷାର ଡ଼ିଣ୍ଡିମ ପିଟୁ ଥିବା ବେଳେ ସେହି ସମାଜ ଭିତରେ ନାରୀମାନେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ ହୋଇପଡ଼ିଛି । କରୋନାକୁ ନେଇ ସମଗ୍ର ପୃଥିବୀରେ ହାହାକାରା ବେଳେ ରାଜ୍ୟ ସରକାର ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏ ଦିଗରେ କାହିଁକି ନୀରବଦ୍ରାଷ୍ଟା ସାଜିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଥି ସହିତସରକାର ତୁରନ୍ତ ଏସଏସଜି ଗ୍ରୁପକୁ ସହାୟତା ଓ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ଦେଖାଦେଇଛି । ତେଣୁ ଗ୍ରୁପଗୁଡ଼ିକର ଋଣ ଓ କିସ୍ତୁକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଇବା ନିମନ୍ତେ ଦାବି କରିଛନ୍ତି । ଆଜିର ଏହି ବିକ୍ଷୋଭ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ନମୀତା ଚାନ୍ଦ, ଝିଲି ବେହେରା, ସୁଭଦ୍ରା ଦାସ, ବିଜୟ ଲକ୍ଷ୍ମୀ ଦାସ, କଳ୍ପନା ବିନ୍ଧାଣୀ, ସୁଲେଖା ନାୟକ, ବେବୀ ମହାନ୍ତି, କୁନି ପାତ୍ର, ଅନୀତା ସେଠୀ, ପ୍ରମିଳା ପୃଥାଳ, ମାଧୁରୀ ବାରିକ, ସାହେନାଜ ହୋସେନ, ବୀଣା ବେହେରା, ଫରିନ୍ଦା ବେଗମ ପ୍ରମୁଖଙ୍କ ସମେତ ଯୁବ ନେତା ରାଜେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।