ଦେଶରେ ଓ ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଆତଙ୍କିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

17-04-18-MAHILA-CONGRESS-PA.jpg - 335.45 kB

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କଳା ଦିବସ ପାଳିତ

ଭୁବନେଶ୍ୱର– ଦେଶ ଓ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ଦୁଷ୍କର୍ମର ବୃଦ୍ଧି ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ଉଦାସୀନତା ପ୍ରତିବାଦରେ ଅଖିଳ ଭାରତ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ସୁଶ୍ରୀ ସୁସ୍ମିତା ଦେବଙ୍କ ଆହ୍ୱାନକ୍ରମେ ଆଜି ଅପରାହ୍ନରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ କଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବେହେରା କହିଛନ୍ତି ଯେ ଦେଶବାସୀ ଓ ରାଜ୍ୟବାସୀ ଅନୁଭବ କଲେଣି ଯେ ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଦୁଷ୍କର୍ମକାରୀଙ୍କ ସପକ୍ଷରେ ଲଢେ଼ଇ କରୁଛନ୍ତି ।

ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମକୁ ଘଣ୍ଟ ଘୋଡାଇବା ପାଇଁ ଉଭୟ ଉତ୍ତରପ୍ରଦେଶର ବିଜେପି ଓ କେନ୍ଦ୍ରର ବିଜେପି ସରକାର ଷଡଯନ୍ତ୍ର କରୁଛନ୍ତି । ଏପରିକି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରି ପୀଡିତାର ପୀତାକୁ ଉତ୍ତରପ୍ରଦେଶ ସରକାର ହତ୍ୟା କରିଛନ୍ତି । ଅନ୍ୟପକ୍ଷରେ ଜମ୍ମୁକାଶ୍ମିରର କାଠୱା ଠାରେ ଆଠ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଆନେ୍ଦାଳିତ କରିଥିବା ବେଳେ ବିଜେପି ଦଳ ଏବଂ ବିଜେପି ସରକାର ଏଥିରେ ଅପ୍ରଭାବିତ ରହିଲେ । ବିଜେପି ଦଳ ଏବଂ ସରକାର ପକ୍ଷରୁ ଉଭୟ ଉନ୍ନାଓ ଓ କାଠୱାର ଦୁଷ୍କର୍ମକାରୀଙ୍କୁ ସମର୍ଥନ ଦିଆଯିବା ସହ ତାଙ୍କ ସପକ୍ଷରେ ଲଢେଇ ମଧ୍ୟ କରାଯାଇଥିଲା । ମୋଦି ଯିଏକି ମହିଳାଙ୍କ ସୁରକ୍ଷା ନେଇ ଗଣମାଧ୍ୟମରେ ବାକ୍ଚାତୁରୀ କରୁଛନ୍ତି, ତାଙ୍କର ଅସଲ ମୁଖା ଏବେ ଖୋଲି ଯାଇଛି । ଖୋଦ ତାଙ୍କରି ରାଜ୍ୟ ଗୁଜୁରାଟ ସୁରଟରେ ୧୦ ବର୍ଷର ନାବାଳିକାକୁ ବିର୍ଭଷ ଭାବରେ ଗଣଦୁଷ୍ମର୍ମ ଓ ହତ୍ୟା କରାଯାଇଛି, ଅପରାଧୀଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ପାରିନାହିଁ । 

ଅନ୍ୟପକ୍ଷରେ ଓଡିଶାରେ ବିଜେଡି ସରକାର ମଧ୍ୟ ମହିଳାମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା ଦୁଷ୍କର୍ମ ଘଟଣାକୁ ଚାପି ଦେବା ପାଇଁ ସରକାରୀ କଳକୁ ଅପବ୍ୟବହାର କରୁଛି । ନୀଳଗିରି ଦୁଷ୍କର୍ମ ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି । କୁନ୍ଦୁଲି ପୀଡିତାକୁ ନ୍ୟାୟ ନଦେବାରୁ ସେ ଆତ୍ମହତ୍ୟା କଲା ଏବଂ ଆଜି ମଧ୍ୟ ତାର ଫରେନ୍ସକ୍ ଲ୍ୟାବର ରିପୋର୍ଟ ବଦଳାଇ ଦେବା ପାଇଁ ମସୁଧା ଚାଲିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ, ପୋଲିସ ବିଭାଗ ଏବଂ ସରକାରୀ ଡାକ୍ଟର ମିଳିମିଶି  ଘଟଣାକୁ ରଫାଦଫା କରିବାପାଇଁ ଷଡଯନ୍ତ୍ର କରୁଛନ୍ତି । ସୁତରାଂ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଏବଂ ସାରା ଦେଶ  ଓ ରାଜ୍ୟରେ ମହିଳା ଆତଙ୍କିତ ଅବସ୍ଥାରେ ଥିବାରୁ ଆଜି ମହଳା କଂଗ୍ରେସ ପକ୍ଷରୁ କଳାଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନବାଳା ଦାସ, ବିନୋଦିନୀ ମହାନ୍ତି, ପ୍ରତିମା ମଲ୍ଲିକ, କନକଲତା ମଲ୍ଲିକ, କମଳା ତିରିଆ, ଶୋଭା ସିଂ, ଜାନକୀ ମଲ୍ଲିକ, ଉର୍ବଶୀ ମିଶ୍ର, ସ୍ନେହଲତା ନାୟକ, ଆରତୀ ସ୍ୱାଇଁ,  ସମସିଦା ତାଏବ, ରେଣୁବାଳା ପାତ୍ର, କୁଶୁମ ପ୍ରଧାନ, ବିଜୟନୀ ତିରିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

 

 

0
0
0
s2sdefault